ବଲାଙ୍ଗୀର: ବର୍ଦ୍ଧିତ ହଷ୍ଟେଲ ଫି’ ବିରୋଧରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସ୍ନା‌ତକୋତ୍ତର ଛାତ୍ରଛାତ୍ରୀମାନେ ଶୁକ୍ରବାର ସନ୍ଧ୍ୟାରୁ ଧାରଣାରେ ବସିଥିଲେ। ଶନିବାର ଅପରାହ୍ନ ପ୍ରାୟ ୨ଟାରେ କୁଳପତି ଉମାବଲ୍ଲଭ ମହାପାତ୍ର ପୂଜାଛୁଟି ପରେ ହଷ୍ଟେଲ ଫି’ ସଂପର୍କରେ ପୁନଃବିଚାର କରାଯିବ ବୋଲି  ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।
ପ୍ରକାଶ ଯେ, ଏବର୍ଷ ପିଜି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ୭ ହଜାର ୨ଶହ ଟଙ୍କାରୁ ୯ ହଜାର ୨ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା। ଫଳରେ ଶୁକ୍ରବାର ଦିନ ଋଷିଶୃଙ୍ଗ ଓ ନିରଞ୍ଜନା ପିଜି ହଷ୍ଟେଲର ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପିଜି ପ୍ରଥମ ବର୍ଷ ନାମ ଲେଖାଇବା ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦ ହଜାର ଟଙ୍କା ନିଆଯାଇଥିଲା। ସେହି ପତ୍ରରେ ଅନ୍ତେବାସୀମାନଙ୍କୁ ଯେଉଁ ସୁବିଧାଗୁଡିକ ଦିଆଯିବ ବୋଲି ଲେଖାଯାଇଥିଲା ତାହା ମଧ୍ୟ ଦିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। କମନ୍‌ରୁମ୍‌ ବାବଦକୁ ମୁଣ୍ଡପିଛା ୨୬୦ଟଙ୍କା ନିଆଯାଉଛି। ହଷ୍ଟେଲ ଫି’ରେ ଏକାଥରକୁ ୨ହଜାର ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ବିରୋଧ କରିଥିଲେ। ଛାତ୍ରଛାତ୍ରୀମାନେ ରାତି ତମାମ ଆନ୍ଦୋଳନ ପରେ ଆଜି କୁଳପତି ଆସି ଏବେ ପରୀକ୍ଷା ସମୟ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦିଅନ୍ତୁ। ହଷ୍ଟେଲ ଫି’ ଉପରେ ନଭେମ୍ବର ମାସରେ ପୁନଃବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।