ବଲାଙ୍ଗୀର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ ଜମିନାହିଁ। ବର୍ଷେରୁ ଅଧିକ ହେଲା ଜମି ଦେବାକୁ ଜିଲ୍ଲା ପ୍ରଶାସନକୁ ବାରବାର ଚିଠି କଲେଣି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କିନ୍ତୁ ଜମିଦେବାର ନାଁ ଗନ୍ଧ କିଛିନାହିଁ। ଏପରିକି ରାଜେନ୍ଦ୍ର କଲେଜ ଅକ୍ତିଆରରେ ଥିବା ଜମି ପୂର୍ତ୍ତ ବିଭାଗ ନାଁରେ ରହିଛି। ସବୁକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାଁରେ କରିବାକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ବି ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କେହି ବି କର୍ଣ୍ଣପାତ କରୁନଥିଲେ। ଫଳରେ ଆଗାମୀ ଦିନରେ ୟୁଜିସି ମାନ୍ୟତା ସହ ନାକ୍ ତଥା ଅନ୍ୟ କମିଟି ଆସିଲେ କେଉଁ ଖାତା ଖତିଆନ ଦେଖାଇବେ ସେହି ଚିନ୍ତାରେ ଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଆଉ ଏ ନେଇ ‘ସମ୍ବାଦ’ରେ ଜମି ପ୍ରସଙ୍ଗକୁ ନେଇ ରିପୋର୍ଟ ପ୍ରକାଶିତ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କଲେଜର ପୂର୍ବତନ ଛାତ୍ର ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ ଅଚାନକ ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଛନ୍ତି। ଜମି ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, କୁଳସଚିବ ପ୍ରଫେସର ଦୁର୍ଗାପ୍ରସନ୍ନ ମହାପାତ୍ରଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଛନ୍ତି। ସବୁ ସମସ୍ୟା ବୁଝିବା ପରେ ମନ୍ତ୍ରୀ ଶ୍ରୀ ସିଂହ ସବୁ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ଶିକ୍ଷା ବିଭାଗ ମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗ ସଚିବ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଏକ ବୈଠକ କରି ତୁରନ୍ତ ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ମନ୍ତ୍ରୀ ଓ ସଚିବ ସ୍ତରରେ ଆଲୋଚନା ହେବ,
ଅନୁଦାନ ଯାହା ଦରକାର ସରକାର ଦେବେ
ଆଲୁମ୍ନି ପ୍ରତିନିଧି ଦଳ ବି ଜମି କଥା ଉଠାଇଲେ
ମଙ୍ଗଳବାର ଅପରାହ୍ଣରେ ମନ୍ତ୍ରୀ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଥିଲେ। କୁଳପତି ଓ କୁଳସଚିବଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତହସିଲଦାରଙ୍କୁ ଡାକି କେତେ ଜମି ରାଜେନ୍ଦ୍ର କଲେଜର ଅକ୍ତିଆରରେ ରହିଛି ଓ ନିକଟରେ କେଉଁ ସବୁ ସାଇଟ ସିଲେକ୍ସନ ହୋଇଛି ତାହା ପଚାରି ବୁଝିଥିଲେ। ୭୧ ଏକରରୁ ଅଧିକ ଜମି ଥିବା ତହସିଲଦାର ରିପୋର୍ଟ ଦେଖିବା ପରେ ସୂଚନା ଦେଇଥିଲେ। ବିଶ୍ୱବିଦ୍ୟାଳୟ ସଂପ୍ରସାରଣ ପାଇଁ ୧୦୦ ଏକର ଜମି ବାବଦରେ କଣ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ବି ପଚାରି ବୁଝିଥିଲେ। ଆଉ ସରକାରଙ୍କ ତରଫରୁ ଆସିଥିବା ୯କୋଟି ଟଙ୍କାର ଅନୁଦାନ କେମିତି ଖର୍ଚ୍ଚ ହେବ ଓ ପ୍ରଶାସନିକ ଭବନ ନିର୍ମାଣ ହେବ ସେ ଦିଗରେ ସବୁ ଆଲୋଚନା କରିଥିଲେ। ପ୍ରଶାସନିକ ଭବନ ଡିଜାଇନ ପୂର୍ବରୁ କିଛି ସମସ୍ୟା ରହିଥିଲା। ଏଣୁ ନୂଆ ଡିଜାଇନରେ ପ୍ଲାନ ଚାଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଖୁବ୍ଶୀଘ୍ର କେମିତି ପ୍ରଶାସନିକ ଭବନ ନିର୍ମାଣ ହେବ ସେ ଦିଗରେ ମନ୍ତ୍ରୀ ଯାହା ସହାୟତା ଦରକାର ତାହା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜମିକୁ ନେଇ ରହିଥିବା ସମସ୍ୟା ଉପରେ ମନ୍ତ୍ରୀଙ୍କୁ ଲିଖିତ ଦେଇଛନ୍ତି। ମନ୍ତ୍ରୀ ଉକ୍ତ ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ୫-ଟି ସଚିବଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।
ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ସେ ହେଉଛନ୍ତି ପ୍ରଥମରେ ଜଣେ କଲେଜର ପୂର୍ବତନ ଛାତ୍ର। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସମସ୍ୟା ଜାଣିବା ପରେ ସେ ତୁରନ୍ତ ଆସିଥିବା କହିଥିଲେ। ସରକାରଙ୍କୁ ସବୁ ପ୍ରସଙ୍ଗରେ ଜଣାଇବା ସହ ଉଚ୍ଚସ୍ତରୀୟ ଏକ ବୈଠକ କରି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଯାହା ସବୁ ଆବଶ୍ୟକ ସବୁ ଉପରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି। ଜମି ଖୁବ୍ଶୀଘ୍ର କେମିତି ବିଶ୍ୱବିଦ୍ୟାଳୟ ନାଁକୁ ଆସିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ଆଲୁମ୍ନିର ଏକ ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟକୁ ଯାଇ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଜମି ତୁରନ୍ତ ବିଶ୍ୱବିଦ୍ୟାଳୟକୁ ଯୋଗାଇଦେବାକୁ ଦାବି ରଖିଥିଲେ। ୟୁଜିସି ମାନ୍ୟତା ନେଇ ଯାହା ସମସ୍ୟା ଅଛି ତାହାର ସମାଧାନ ସହ ଜମି ଯୋଗାଇଦେବାକୁ ଦାବି କରିଥିଲେ। ପ୍ରତିନିଧି ଦଳରେ ଆଲୁମ୍ନିର ସଭାପତି ଅଭିମନ୍ୟୁ ମିଶ୍ର, କୋଷାଧ୍ୟକ୍ଷ ଡ. ଶ୍ରୀକର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ରତନ ମହାରଣା, ହରିନାରାୟଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/56fs456hfs456h4fs564h56fshsssssssssssssssssssss.jpg)