ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ: ଖତିଆନରେ ପୂର୍ତ୍ତ ବିଭାଗର ବି ଜମି

ଜାଣିବାର ଛଅ ମାସ ପରେ ବି ହସ୍ତାନ୍ତର କରିନାହାନ୍ତି

ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାଜେନ୍ଦ୍ର କଲେଜ ଅକ୍ତିଆରେ ଥିବା ଜମି ଭିତରୁ କିଛି ଜମି ପୂର୍ତ୍ତ ବିଭାଗର ବି ରହିଛି। ଏଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବି ଚିଠି ଲେଖି ଜମି ହସ୍ତାନ୍ତର କରିବାକୁ କହିଛନ୍ତି। କିନ୍ତୁ ଏଯାଏ ଛଅ ମାସରୁ ଅଧିକ ବିତିଯାଇଥିଲେ ବି ସେହି ପ୍ରକ୍ରିୟା ଆରମ୍ଭ ହୋଇନି। ଏପଟେ ବିଶ୍ୱବିଦ୍ୟାଳୟ ନାଁରେ ଜମି ନଥିଲେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଆସିଲେ ୟୁଜିସି ମାନ୍ୟତା ପାଇବାରେ ସମସ୍ୟା ଉପୁଜିପାରେ। ଏଣୁ ଆଗ୍ରାଧିକାର ଭିତ୍ତିରେ ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇଦେବା କଥା। କିନ୍ତୁ ଜମି ଯୋଗାଇବାରେ ପ୍ରଶାସନ ବିଳମ୍ବ କରୁଥିବାରୁ ବିଶ୍ୱବିଦ୍ୟାଳୟ ହେବାପରେ ବି ଜମିର ଖତିଆନରେ ନାଁଗନ୍ଧ କିଛି ବି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୦ ମସିହା ଡିସେମ୍ବର ମାସରେ ରେଜିଷ୍ଟ୍ରାର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ଲଟ ନଂ-୪୮୪ର ୦.୦୬୫ ଏକର(ରାସ୍ତା), ପ୍ଲଟ ନଂ-୪୮୫ର ୭.୬୬୫ ଏକର(ଘରବାରି) ଜମି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନାଁକୁ କରିବାକୁ ସେ ଅନୁରୋଧ କରିଥିଲେ। ଯେହେତୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଯାଞ୍ଚ କମିଟି ଆସିବେ ଏବଂ ଜମିର କାଗଜପତ୍ର ନିହାତି ଦାଖଲ କରିବାକୁ ପଡ଼ିବ, ଏହାକୁ ଜରୁରୀକାଳୀନ ଭାବରେ ହସ୍ତାନ୍ତର କରିବାକୁ ସେ ଚିଠିରେ ଉଲ୍ଲେଖ କରିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚିଠି ପାଇବା ପରେ କେବଳ ନିଜ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ପଠାଇ ଦେଇ କାମ ସାରିଦେଇଛନ୍ତି। ଏଭଳି ଭାବରେ ପୂର୍ତ୍ତ ବିଭାଗ ନାଁରେ ଥିବା ଜମି ମଧ୍ୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଖକୁ ଆସି ନାହିଁ। ଏପଟେ ରାଜେନ୍ଦ୍ର କଲେଜ ଅକ୍ତିଆରରେ ଥିବା ସବୁ ଜମି ସରକାରୀ ଓ ପୂର୍ତ୍ତ ବିଭାଗ ଖାତାରେ ରହିଛି। ଏପଟେ ମାପଚୁପ କାମ ବି ଠିକ୍‌ରେ ଏଯାଏ ସରି ନାହିଁ। ୫୮.୪୯୫ଏକର ଜମି କଲେଜ ଅକ୍ତିଆରରେ ଥିବା କୁହାଯାଉଥିବାବେଳେ ତାହା ପ୍ରକୃତରେ ସେତିକି ଅଛି ନା ନାହିଁ ବି କାହାକୁ ଜଣାନାହିଁ। ଅନ୍ୟପଟେ ବିଶ୍ୱବିଦ୍ୟାଳୟ ସଂପ୍ରସାରଣ ତଥା ନୂଆ କ୍ୟାମ୍ପସ ପାଇଁ ୧୦୦ ଏକର ଜମିର ଆବଶ୍ୟକତା ଥିବାରୁ ତାହା ଯୋଗାଇଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାରବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେଣି। କିନ୍ତୁ ଏଯାଏ ତାହା ଚିହ୍ନଟ ହୋଇପାରି ନାହିଁ।

ତେବେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଖୁବ ଶୀଘ୍ର ଜମି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, କଲେଜ ଅକ୍ତିଆରରେ ଥିବା ଜମି ସହ ନିକଟରେ ଆଉ କିଛି ଜାଗା ବଛାଯାଇଛି। ନିକଟରେ ଜବରଦଖଲ ଉଚ୍ଛେଦ ବି କରାଯାଇଥିଲା। ସେଥିରୁ ୧୦ରୁ ୧୨ ଏକର ଜମି ବାହାରିବ। ଆଉ କିଛି ସ୍ଥାନ ବି ଚିହ୍ନଟ ହୋଇଛି। ଖୁବ୍‌ଶୀଘ୍ର ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇ ଦିଆଯିବ। ଏହାସହ ଦ୍ୱିତୀୟ କ୍ୟାମ୍ପସ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ଉଭୟ କଥାବାର୍ତ୍ତା କରି ଯେଉଁଠି ଠିକ୍‌ ହୋଇପାରିବ ସ୍ଥାନ ଚିହ୍ନଟ କଲା ପରେ ସେହି ଜମି ବି ଯୋଗାଇ ଦିଆଯିବ। ମାସେ ଦୁଇ ମାସ ଭିତରେ ଜମି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର