ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଯୁକ୍ତତିନ ଶେଷବର୍ଷର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହେବା ପରେ ପ୍ରଥମଥର ପାଇଁ ଏହା ପ୍ରକାଶ ପାଇଛି। ସୂଚନା ମୁତାବକ, ଯୁକ୍ତତିନି ଶେଷବର୍ଷ ପାଇଁ ସମୁଦାୟ ୬୭୬୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୮୮୦ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୪୯୯୧ ଜଣ ମଧ୍ୟରୁ ୨୨୧୨ ଜଣ, ବିଜ୍ଞାନରେ ୧୨୩୧ ଜଣ ମଧ୍ୟରୁ କେବଳ ୪୧୫ ଜଣ, ବାଣିଜ୍ୟରେ ୪୩୩ ଜଣଙ୍କ ମଧ୍ୟରୁ ୨୧୭ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର କଳାରେ ୪୪.୩୨ ପ୍ରତିଶତ, ବିଜ୍ଞାନରେ ୩୪.୨୧ ପ୍ରତିଶତ ଓ ବାଣିଜ୍ୟରେ ସର୍ବାଧିକ ୫୦.୧୨ ପ୍ରତିଶତ ରହିଛି। ତିନୋଟି ଯାକ ବିଭାଗରେ ମହିଳାମାନେ ଟପର୍‌ ହୋଇଛନ୍ତି।

Advertisment

କଳାରେ ବଲାଙ୍ଗୀର ସରକାରୀ ମହିଳା କଲେଜର ଛାତ୍ରୀ ଅନନ୍ୟା ପରୁଆ ୯.୧୯ ସିଜିପିଏ ମାର୍କ ରଖି ବିଭାଗର ଟପର ହୋଇଛନ୍ତି। ବିଜ୍ଞାନରେ ସୋନପୁର ଡିଗ୍ରି କଲେଜର ସ୍ମୃତିରେଖା ମେହେର ୯.୪୮ ସିଜିପିଏ ମାର୍କ ରଖି ବିଜ୍ଞାନ ବିଭାଗର ଟପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ନାଇସ୍‌ କଲେଜ ଅଫ୍‌ କମର୍ସର ଶ୍ରେୟା କେଶୱାନୀ ୯.୫୬ ସିଜିପିଏ ମାର୍କ ରଖି ବାଣିଜ୍ୟ ବିଭାଗର ଟପର ହେବା ସହ ବିଶ୍ବବିଦ୍ୟାଳୟ ଟପର ମଧ୍ୟ ଘୋଷିତ ହୋଇଥିବା ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଆଖପାଖ ଅଞ୍ଚଳର ୫୯ଟି କଲେଜ ରହିଛି। ତେବେ ୪ଟି କଲେଜ ନିୟମ ପାଳନ କରି ନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନଥିବା କୁହାଯାଇଛି। ଆଜିର ପରୀକ୍ଷା ଫଳ ପ୍ରକାଶନ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ ମିଶ୍ର, ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର, ଡ. ରାଜକିଶୋର ପାତ୍ର ଓ ଡ. ନରେନ୍ଦ୍ର ରାଉତ ଉପସ୍ଥିତ ଥିଲେ।