ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି: ଆଜି ରୁକ୍ମଣୀ ହରଣ ଓ ମହାପ୍ରଭୁଙ୍କ ବିବାହ

ପୁରୀ : ଶ୍ରୀମନ୍ଦିରେ ଆଜି ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ ପରେ ମଦନମୋହନ ଆଜ୍ଞାମାଳ ପାଇ ମଇଲମ ଭୋଗ ବାଟକୁ ବିଜେ ହୋଇଥିଲେ। ମହାପ୍ରଭୁଙ୍କୁ ମଇଲମ ଓ ଆଲଟ ଲାଗି ସରିବା ପରେ ସେଠାରେ ବଚନିକା ହୋଇଥିଲା। ବଚନିକା ପରେ ମହାପ୍ରଭୁ ରଥକୁ ବିଜେ କରିଥିଲେ। ପଣାଭୋଗ ସହ ରଥାରୁଢ଼ ମହାପ୍ରଭୁଙ୍କୁ ବେଢ଼ା ପରିକ୍ରମା କରାଯାଇଥିଲା।

ବେଢ଼ା ପରିକ୍ରମା ଶେଷ ପରେ ମହାପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନଲାଗି ହେବା ପରେ ରାଜେନ୍ଦ୍ରାଭିଷେକ ନୀତି ଶେଷ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କର ରାତିରେ ନିୟମିତ ନୀତି ହୋଇଥିଲା। ଆସନ୍ତାକାଲି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ରୁକ୍ମଣୀଙ୍କୁ ବିବାହ କରିବେ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯଥାସମ୍ଭବ ସୀମିତ ସେବକରେ ଏହି ନୀତି ସଂପାଦନ କରିବାକୁ ଚୂଡ଼ାନ୍ତ ହୋଇଛି। ସେପଟେ ସଅଳ ନୀତି ସାରିବାକୁ ବି ନିଷ୍ପତ୍ତି ହୋଇଛି। ଏହି ଉପଲକ୍ଷେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ଚୂଡ଼ାନ୍ତ ନୀତି ଅନୁଯାୟୀ, ରାତି ୨ଟାରେ ଦ୍ବାରଫିଟା ପରେ ସାଢ଼େ ୨ଟାରେ ଭିତରଶୋଧ ହେବ। ପରେ ମଙ୍ଗଳା ଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ହୋଇ ସାଢ଼ ୫ଟାରେ ବେଶଶେଷ ହେବ। ଗୋପାଳବଲ୍ଲଭ ପୂଜା, ସକାଳଧୂପ ପରେ ସକାଳ ୬ଟା ୪୦ରେ ଭୋଗମଣ୍ଡପ ଉଠିବ। ସକାଳ ୭ଟା ୪୦ରେ ମହାଲକ୍ଷ୍ମୀ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ। ୭ଟା ୫୦ରେ ମଦନମୋହନ ଜୟ-ବିଜୟ ଦ୍ବାରକୁ ବିଜେ କରିବେ। ବଚନିକା ଓ ଅନ୍ୟାନ୍ୟ ନୀତି ପରେ ପୂର୍ବାହ୍ଣ ୧୧ଟା ୧୫ରେ ମଦନ‌ ମୋହନ ରଥକୁ ବିଜେ କରିବେ।

ସାଢ଼େ ୧୧ଟାରେ ମହାଲକ୍ଷ୍ମୀ ବିମଳା ମନ୍ଦିରକୁ ବିଜେ କରିବେ। ୧୧ଟା ୪୫ରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୪୫ରେ ଦିଅଁ ବିବାହ ମଣ୍ଡପକୁ ବିଜେ କରିବେ। ଅପରାହ୍ଣ ୩ଟା ୧୦ରେ ଦିଅଁ ଜଳକ୍ରୀଡ଼ାକୁ ବିଜେ କରିବେ। ୪ ଟା ୧୦ରେ ଜଳକ୍ରୀଡ଼ା ଶେଷ ପରେ ୪ଟା ୧୦ରୁ ୫ଟା ୧୦ ଭିତରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଭିତରେ ସଂଧ୍ୟାଧୂପ ଶେଷ ପରେ ରାତି ୯ଟା ୪୫ରେ ବିବାହ ଆରମ୍ଭ ହେବ। ରାତି ଗୋଟାଏରେ ପହୁଡ଼ ହେବ।

ସମ୍ବନ୍ଧିତ ଖବର