ବୃତ୍ତି ଟଙ୍କାରେ ବହି ଓ ଖାତା କିଣି ଗରିବ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଛନ୍ତି ରାଜେଶ

ଘୁ.ଉଦୟଗିରି : ନିଜ ଛାତ୍ରବୃତ୍ତିକୁ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରିଛନ୍ତି ଜଣେ ଆଦିବାସୀ ଛାତ୍ର। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ର‍୍ୟାଙ୍କ ହୋଲଡ଼ର ସ୍କଲାରସିପ୍‌ ବାବଦରେ ପାଇଥିବା ୬୨ ହଜାର ଛାତ୍ରବୃତ୍ତି ଟଙ୍କାରେ ଖାତା ଓ ବହି କିଣି ନିଜ ଗ୍ରାମର ପିଲାମାନଙ୍କୁ ଯୋଗାଇ ଦେଇଛନ୍ତି। ରାଜେଶ କହନ୍ତି, ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି। ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ ତାଙ୍କର କର୍ତ୍ତବ୍ୟ ରହିଛି। ଗାଁର ଉନ୍ନତି ସାଙ୍ଗକୁ ଗାଁ ପିଲାମାନଙ୍କୁ ଶିକ୍ଷାକ୍ଷେତ୍ରରେ ବିକଶିତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ।

ଗତ ୨୦୧୯ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ ପରେ କରୋନା ମହାମାରୀ ଦୃଷ୍ଟିକୋଣରୁ ନିଜ ଗାଁକୁ ଚାଲି ଆସିଥିଲେ ରାଜେଶ। ପରବର୍ତ୍ତୀ ସମୟରେ ସେ ଗାଁରେ ରହିବା ବେଳେ କନ୍ଧମାଳ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ ତଥା ସାମାଜିକ କାର୍ଯ୍ୟ କରିଆସୁଛନ୍ତି। କରୋନା ମହାମାରୀ ସମୟରେ ଦେଶରେ ଲକ୍‌ଡାଉନ ଯୋଗୁଁ ଗତ ମାର୍ଚ୍ଚମାସରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା। ଏହି ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବା ହୃଦବୋଧ କରି ସେ ଗଟାମାହା ଗାଁର ପ୍ରଥମଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳ ୮ ଟା ରୁ ଦିନ ୧୧ ଘଟିକା ଏବଂ ସନ୍ଧ୍ୟା ୬ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି। ବର୍ତ୍ତମାନ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଧୁନିକ ଭାରତୀୟ ଇତିହାସରେ ଏମ୍.ଫିଲ୍ କରୁଥିଲେ ମଧ୍ୟ କିଛି ସମୟ ବାହାର କରି ଛୁଟି ନେଇ ନିଜ ଗ୍ରାମକୁ ଆସି ପିଲାମାନଙ୍କୁ ପାଠ ପଢାଉଛନ୍ତି। ଏହା ସହ ଆଗକୁ ନିଜ ଗ୍ରାମରେ ଏକ ପାଠାଗାର ପ୍ରତିଷ୍ଠା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ଛୋଟରୁ ବଡ଼ ସମସ୍ତ ପିଲାଙ୍କୁ ନିଜ ପାଖରେ ବସାଇ ଶିକ୍ଷାଦାନ କରି ସେ ପ୍ରଶଂସାର ପାତ୍ର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏବେ ନିଜ ଘର ବାରଣ୍ଡାରେ ଗାଁର ୧୫ରୁ ଊର୍ଦ୍ଧ୍ବ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର