ଅବେଳାରେ ହାତ ଛାଡିଦେ‌ଲା ମା’, କୋମାରେ ରାଜେଶଙ୍କ ଭବିଷ୍ୟତ

ବନ୍ଧୁଗାଁ: ଅବେଳାରେ ହାତ ଛାଡିଦେଲା ମା’। ପୁଅର କ’ଣ ହୋଇଯିବ ଭାବି ସାଙ୍ଗରେ ରଖିଲେ ବାପା। ସମୟକ୍ରମେ ନିଜେ କରୁଥିବା ବୃତ୍ତିରେ ତାଙ୍କୁ ନିୟୋଜିତ କରିଦେଲେ। ଯେଉଁ ବୟସରେ ବହି କଲମ ହାତରେ ରହିବା କଥା ଏବେ ସେହି ହାତରେ ୫ କେଜିଆ ହାତୁଡି। ଆମେ କହୁଛୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡ଼ ସରପଲି ପଞ୍ଚାୟତ ଅନ୍ତର୍ଗତ ଏସାଡା ଗ୍ରାମରେ ବସବାସ କରୁଥିବା କାସୁ କୋମାଙ୍କ ପୁଅ ରାଜେଶ କୋମାଙ୍କ ବିଷୟରେ।

ଯେଉଁ ବୟସରେ ଅନ୍ୟ ଯୁବକଙ୍କ ଭଳି ସୁନେଲି ଭବିଷ୍ୟତ ଦେଖିବା କଥା ସେହି ସମୟରେ ବଦଳାଉଛନ୍ତି ଲୁହାର ଆକାର। ଯେଉଁ ସମୟରେ ତାଙ୍କ ସମ ବୟସର ସାଥୀ ହସିଖେଳି ସମୟ ବିତାଉଛନ୍ତି ସେହି ସମୟରେ ସେ ଲୁହା ବାଡ‌େଇ ତାହା ଆକାର ବଦଳାଉଛନ୍ତି। ମନରେ ରହିଥିବା ସ୍ବପ୍ନକୁ ପାଣିରେ ମିଳେଇ ଦେଇଛନ୍ତି ରାଜେଶ। କିଛି ଲୋକ କୁଲିଭୁତି କରି ଦୈନନ୍ଦିନ ଜୀବନରେ ଦୁଇ ଓଳି ଦୁଇ ମୁଠା ପେଟକୁ ଦାନା ଯୋଗାଡ କରି ଆରାମରେ ଚଳି ଯାଉଛନ୍ତି। ଦୁନିଆର ହାଲଚାଲ ସେମାନେ ଜାଣନ୍ତିନି କିନ୍ତୁ କେମିତି କଷ୍ଟ କରି ପରିବାରର ପେଟକୁ ଦାନା ଦେବେ ସେଇ ଚିନ୍ତାରେ ସେମାନଙ୍କ ଜୀବନ ରଥ ଗଡି ଚାଲିଛି।

ସେହିଭଳି ଜଣେ ବ୍ୟକ୍ତି ହେଲେ କାସୁ କୋମା। ପରିବାର କହିଲେ ଗୋଟିଏ ମାତ୍ର ୧୯ ବର୍ଷିଆ ପୁଅ ରାଜେଶ କୋମା। ପୁଅ ରାଜେଶ ଛୋଟ ଥିଲା ବେଳେ ସ୍ତ୍ରୀ ଆରପାରିକୁ ଚାଲିଗଲେ। ଛୋଟ ଛୁଆଟିକୁ ଧରି କାସୁ ହାଟ ବଜାର ବୁଲି ଲୁହାକାମ କରନ୍ତି। ସେଥିରେ ଜାହା ରୋଜଗାର ହୁଏ ସେଥିରେ ତାଙ୍କ ଘର ଚଳିଯାଏ। କମ୍ ରୋଜଗାର ହେଉଥିବାରୁ ରାଜେଶ ପାଠ ନପଢି ବାପାଙ୍କ ସହ ଲୁହା କାମ କରୁଛି। ସିଏ ଜଣେ ଆଦିବାସୀ ଲୋକ ହେଇ ମଧ୍ୟ ଲୁହାକୁ ବାଡେଇ ତାର ଆକାର ବଦଳାଇ ଭଳିକି ଭଳି ସାମଗ୍ରୀ ତିଆରି କରିପାରିବାରେ ପୁରା ଓସ୍ତାଦ୍।

ପ୍ରତ୍ୟେକ ସପ୍ତାହର ସୋମବାର ଦିନ ବଡ଼ ସରପଲି ଓ ବୁଧବାର ଦିନ ଆଲମଣ୍ଡା ସାପ୍ତାହିକ ହାଟକୁ ଯାଇ ଲୁହା ସାମଗ୍ରୀ ବିକ୍ରି କରନ୍ତି କାସୁ । ପ୍ରତ୍ୟେକ ହାଟରେ ୪ସହରୁ ୫ସହ ଟଙ୍କା ରୋଜଗାର ହୋଇଥାଏ ଓ ବଳକା ସମୟରେ ଜଙ୍ଗଲରୁ କାଠ ଆଣି ବିକ୍ରି କରନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଧା ସେ ସରକାରଙ୍କ ତରଫରୁ କୌଣସି ସୁବିଧା ପାଇ ନାହାନ୍ତି। ଗରିବ ଗୁରୁବାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆବାସ ଯୋଜନା କରିଥିବା ବେଳେ ତାଙ୍କ ଭାଗ୍ୟରେ ସେ ସବୁ ଲେଖା ହୋଇନି। ଖାଉଟି କାଡ୍ ଖଣ୍ଡିଏ ମଧ୍ୟ ତାଙ୍କ ନାମରେ ହୋଇଛି, ଯେଉଁଥିରୁ   ମାସକୁ ଦଶ କେଜି ଚାଉଳ କିଛିଦିନ ଯାଉଛି, ବଳକା ଦିନରେ ଦୋକାନରୁ କିଣି ବାପପୁଅ ଚଲୁଥିବା କହିଛନ୍ତି କାସୁ।  ତଥାପି କାହାରି ଉପରେ ତାଙ୍କର ରାଗ କି ଅଭିମାନ ନାହିଁ ଯାହା ଭାଗ୍ୟରେ ଲେଖା ହୋଇଛି, ତାକୁ କେହି ବଦଳାଇ ପାରିବନି ବୋଲି କାସୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର