୫ ଦିନିଆ ରିମାଣ୍ଡରେ ଦୁର୍ଦ୍ଦାନ୍ତ ରାଜେଶ, ଫେରାର୍ ୩ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ଡକାୟତ ରାଜେଶ ମହାପାତ୍ର ଗୁରୁବାର କୋର୍ଟରେ ଆତ୍ମସମର୍ପଣ କରିବା ପରେ ଆଜି ଖଣ୍ଡଗିରି ଥାନା ପୁଲିସ ତାକୁ ରିମାଣ୍ଡରେ ଆଣିଛି। ୫ ଦିନିଆ ରିମାଣ୍ଡରେ ଆଣିବା ପରେ କମିସନରେଟ୍ ପୁଲିସର ୩ଟି ଥାନା ଓ ସ୍ପେସାଲ୍ ସ୍କ୍ବାଡ୍ ତାକୁ ଜେରା କରିବା ଆରମ୍ଭ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ଖଣ୍ଡଗିରି, ନୂଆପଲ୍ଲୀ ଓ ସହିଦନଗର ଥାନା ପୁଲିସ ତାକୁ ଜେରା କରିଛନ୍ତି। ଏହା ସହିତ ସ୍ପେସାଲ ସ୍କ୍ବାଡ୍ ଏସିପି ଓ ଜୋନ୍-୩ ଏସିପି ମଧ୍ୟ ଜେରାରେ ସାମିଲ ହୋଇଛନ୍ତି। ଲୁଟ୍ ସୁନା ଚେନ୍ ଗୁଡ଼ିକ ବିକ୍ରି ପାଇଁ ଦିଆଯାଇଥିବା ଜୁଏଲର୍ସ ଓ ମୋବାଇଲ୍ କେଉଁ ଅଞ୍ଚଳକୁ ପଠାଯାଇଛି ସେ ନେଇ ଖୋଳତାଡ୍‌ ଚାଲିଛି।

ଚକରା ଗ୍ୟାଙ୍ଗ୍ ସହିତ ମିଶି ଆତଙ୍କ ଖେଳାଉଥିବା ରାଜେଶ ଓ ତା’ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ମାତ୍ର ଏବେ ବି ରାଜେଶର ୩ଜଣ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ସେହିଭଳି ଆହୁରି ଏକାଧିକ ଲୁଟ୍‌ ଘଟଣାରେ ସୁନାଚେନ୍, ମୋବାଇଲ୍ ଓ ଟଙ୍କା ଆଦି ପୁଲିସ ଜବତ କରିପାରିନାହିଁ। ଗତ ୨ଦିନ ମଧ୍ୟରେ ନୂଆପଲ୍ଲୀ ଓ ଖଣ୍ଡଗିରି ଥାନା ଅଞ୍ଚଳରୁ ୨ଟି ଛିନ୍‌ତାଇ ହୋଇଛି। ୨୬ ତାରିଖ ଖଣ୍ଡଗିରି ଶିରିପୁରରେ ରିତାସିଗ୍ଧା ସାହୁଙ୍କ ଚେନ୍ ଲୁଟ୍‌ ଅଭିଯୋଗ ହୋଇଥିବା ବେଳେ ନୂଆପଲ୍ଲୀ ଆଇଆର୍‌ସି ଅଞ୍ଚଳରେ ଜଣେ ନର୍ସଙ୍କ ଭ୍ୟାନିଟି ଝାମ୍ପି ନେଇଛନ୍ତି ଲୁଟେରା। ରାଜଧାନୀରେ ହୋଇଥିବା ୩ଟି ବଡ଼ ସିନ୍ଧିଚୋରିରେ ମଧ୍ୟ ଲୁଟେରା ଧରାପଡ଼ିନାହାନ୍ତି। ତେଣୁ ରାଜେଶ ଗ୍ୟାଙ୍ଗ୍‌ର ଫେରାର୍ ଥିବା ୩ ସହଯୋଗୀ ଏହି ସବୁ ଲୁଟ୍‌ପାଟ୍ କରୁଥିବା ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର