ରାଜ୍‌ଗଡ୍‌ସନ ଚିଟ୍‌ଫଣ୍ଡର ମୁଖ୍ୟ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ବର : ଚିଟ୍‌ଫଣ୍ଡ ସଂସ୍ଥା ରାଜ୍‌ଗଡସନ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଜଗଦୀଶ ମିଶ୍ରଙ୍କୁ ଆଜି ୫ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ୮୧ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତର ସ୍ବତନ୍ତ୍ର ବିଚାରପତି ବିଶ୍ବଜିତ ଦାସ। ୨୦୧୬ ମସିହା ଅଗଷ୍ଟ ୨୩ ତାରିଖରେ ବାଲିଆପାଳ ଥାନା ଡଗରା ଅଞ୍ଚଳର ବିନୋଦ ବିହାରୀ ଜେନା ନାମକ ଜଣେ ବ୍ୟକ୍ତି ରାଜ ଗଡସନ୍‌ ସଂସ୍ଥା ବିରୋଧରେ ବାଲେଶ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଥାନା ପକ୍ଷରୁ ୨୧୬/୨୩.୮.୨୦୧୬ରେ ଠକସଂସ୍ଥା ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ଆଜି ଉକ୍ତ ସଂସ୍ଥାର ମୁଖ୍ୟ ଜଗଦୀଶ ମିଶ୍ରଙ୍କୁ ଅଦାଲତ ପକ୍ଷରୁ ଧାରା ୪୬୫, ୪୬୭, ୪୬୮, ୪୨୦, ୪, ୫ ଓ ୬ ପ୍ରାଇଜ୍ ଚିଟିଂ ଓ ମନି ସକୁର୍ଲେସନ୍‌ ବ୍ୟାନିଂ ଆକ୍ଟ୍‌ ସମେତ ଓପିଆଇଡିର ୬ ଧାରାରେ ଦୋଷୀ ସାବ୍ୟସ୍ତ କରି ମାନ୍ୟବର ବିଚାରପତି ଶ୍ରୀ ଦାସ ସୋମବାର ଅପରାହ୍‌ଣରେ ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହ ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ଚିଟ୍‌ଫଣ୍ତ ଅଦାଲତର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର