ଉପବାଚସ୍ପତି ରହିବେ ରଜନୀକାନ୍ତ

ଅନୁଗୁଳ/କାମାକ୍ଷାନଗର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ଫୋନ୍‌ କଲ୍‌। ମନ୍ତ୍ରୀ ପଦ ପାଇଁ ପୁଣି ଥରେ ଆସିଲା ଡାକରା। ଆଜି ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେ। ତେଣୁ ଉପସ୍ଥିତ ରହିବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଫୋନ୍‌ କରି ଆଜି ସୂଚନା ଦିଆଯାଇଛି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରି ଚାରି ଥର ବିଧାୟକ ହୋଇଥିବା ଶ୍ରୀ ମଲ୍ଲିକ ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଥିଲେ, ଆସନ୍ତାକାଲି ହେବାକୁ ଥିବା ନୂଆ ମନ୍ତ୍ରିମଣ୍ଡଳରେ ସେ ପୁଣି ଥରେ ସାମିଲ୍ ହେବେ।ଅନ୍ୟପକ୍ଷରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ପୂର୍ବଭଳି ବିଧାନସଭାର ଉପ ବାଚସ୍ପତି ପଦ ବଜାୟ ରଖିବେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଚାରି ଚାରି ଥରର ବିଧାୟକ ଶ୍ରୀ ମଲ୍ଲିକ ୨୦୧୪ ମସିହାରେ ପ୍ରଥମେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ସେତେବେଳେ ତାଙ୍କୁ ଖଣି ଓ ଇସ୍ପାତ, ଶ୍ରମ, ଇଏସ୍‌ଆଇ ବିଭାଗ ଦିଆଯାଇଥିଲା। ୨୦୧୬ମସିହାରେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦ ପ୍ରଦାନ କରାଯାଇଥିଲା। ସେ ଖଣି ଓ ଇସ୍ପାତ ସହିତ ଗୁରୁତ୍ବପୂର୍ଣ୍ଣ ଶକ୍ତି ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ। ୨୦୧୭ ମସିହାରେ ତାଙ୍କଠାରୁ ଶକ୍ତି ବିଭାଗ କାଢ଼ି ନେଇ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପୂର୍ତ୍ତ ବିଭାଗ ଦିଆଯାଇଥିଲା। ୨୦୧୯ ମସିହାରେ ମଧ୍ୟ ସେ ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ବିଭାଗର ମନ୍ତ୍ରୀ ରହିଥିଲେ।

ପ୍ରକାଶଯୋଗ୍ୟ ଯେ ଶନିବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ଅନ୍ୟମାନଙ୍କ ସହିତ ଶ୍ରୀ ମଲ୍ଲିକ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେଲେ ସଂଧ୍ୟାରେ ତାଙ୍କୁ ପୁଣି ମନ୍ତ୍ରୀ ପଦ ପାଇଁ ଡକରା ଆସିଛି। ତାଙ୍କ ପାଖକୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଆସିଥିଲା। ଆସନ୍ତାକାଲି ନୂତନ ମନ୍ତ୍ରିମଣ୍ଡଳରେ ଶପଥ ନେବା ପାଇଁ ତାଙ୍କୁ କୁହାଯାଇଥିଲା ବୋଲି ଶ୍ରୀ ମଲ୍ଲିକ ‘ସମ୍ବାଦକୁ କହିଛନ୍ତି। ମନ୍ତ୍ରିମଣ୍ଡଳରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ବୋଲି କୁହାଯାଉଛି। ରାଜ୍ୟବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ତାଙ୍କ ଉପରେ ରହିଥିବା ଆସ୍ଥା ଓ ବିଶ୍ୱାସକୁ ସେ ସାକାର କରିବେ ବୋଲି କହିଛନ୍ତି। ବିକାଶ କାମ ଯେଉଁଭଳି ଭାବରେ କରି ଆସୁଥିଲେ ସେହିପରି ଆଗକୁ ମଧ୍ୟ ଜାରି ରଖିବେ। ଆମ ରାଜ୍ୟକୁ ସାରା ଭାରତ ବର୍ଷରେ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଆମେ ସମସ୍ତେ ସେଥିରେ ସାମିଲ ହୋଇ ଲୋକଙ୍କ ସେବକ ହୋଇ କାମ କରିବୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ଅନ୍ୟପକ୍ଷରେ ବାଚସ୍ପତିଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଇସ୍ତଫା ଦେଇଥିବା ବେଳେ ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଇସ୍ତଫା ମଗା ଯାଇନଥିଲା ବୋଲି ନିଜେ ସିଂହ ସମ୍ବାଦକୁ କହିଛନ୍ତି। ଫଳତଃ ସେ ନିଜ ପଦ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର