ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମରେ ରାଜୀବ ଆବାସ ଯୋଜନା(ଆର୍ଏଓ୍ଵାଇ)ରେ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ଏବେ ମିଳିଥିବା ନୂଆ ତଥ୍ୟରେ ଜଣେ ହିତାଧିକାରୀଙ୍କୁ ମିଳିଥିବା ଘର ଅନ୍ୟ ଲୋକର କବ୍ଜାରେ ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ହିତାଧିକାରୀ ଏ ନେଇ ଦୃଷ୍ଟି ଆକର୍ଷଣ କଲା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
୨୦୧୩ ଅକ୍ଟୋବର ମାସରେ ବ୍ରହ୍ମପୁରରେ ଫାଇଲିନ୍ ମହାବାତ୍ୟାରେ ବହୁ ଘର ନଷ୍ଟ ହୋଇ ଯାଇଥିଲା। ସେହି ସମୟରେ ଆମ୍ବପୁଆ ରାଜାଷ୍ଟ୍ରିଟ୍ରେ ରହୁଥିବା ମଙ୍ଗୁଳୁ ସେଠୀଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା। ସେତେବେଳେ ଏହି ଅଞ୍ଚଳ ୩୭ନମ୍ବର ଓ୍ଵାର୍ଡ଼ରେ ଥିଲା। ବର୍ତ୍ତମାନ ଏହା ୪୦ନମ୍ବର ଓ୍ଵାର୍ଡ଼ରେ ରହିଛି। ଆର୍ଏଓ୍ଵାଇ ସର୍ଭେ ବେଳେ ମଙ୍ଗୁଳୁଙ୍କୁ ହିତାଧିକାରୀ(ଡିଏସ୍-୧୫୩) ଭାବେ ଚିହ୍ନଟ କରାଯାଇଥିଲା। ମଙ୍ଗୁଳୁଙ୍କ ଜମିରେ ଘର ମଧ୍ୟ ତିଆରି ହେଲା। କିନ୍ତୁ ତାଙ୍କୁ ଘର ମିଳିଲା ନାହିଁ। ଅନ୍ୟ ଜଣେ ବ୍ୟକ୍ତି ସେହି ଘରକୁ ମାଡ଼ି ବସିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ଯେଉଁ ବ୍ୟକ୍ତି ଜଣକ ମଙ୍ଗୁଳୁଙ୍କ ଘର ମାଡ଼ି ବସିଛନ୍ତି ତାଙ୍କୁ ମଧ୍ୟ ଆର୍ଏଓ୍ଵାଇରେ ଘର ମିଳିଛି। ତା’ ସତ୍ୱେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଜନପ୍ରତିନିଧିଙ୍କୁ ହାତ କରି ମଙ୍ଗୁଳୁଙ୍କ ଘର କବ୍ଜା କରିଛନ୍ତି। ଏପରିକି ମଙ୍ଗୁଳୁଙ୍କୁ ଆର୍ଏଓ୍ଵାଇ ଘର ଛାଡ଼ି ପାଇଁ ଟଙ୍କା ଅଫର୍ ଦିଆଯାଇଥିଲା।
ମଙ୍ଗୁଳୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ବଡ଼ କଷ୍ଟରେ ଚଳୁଛନ୍ତି। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ମଙ୍ଗୁଳୁ ଗତ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଚିଠି ଲେଖି ନ୍ୟାୟ ପାଇଁ ଗୁହାରି କରିଥିଲେ। ସେ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ତରଫରୁ ଓଡ଼ିଶା ସରକାରଙ୍କୁ ଘଟଣାର ତଦନ୍ତ ପାଇଁ ଚିଠି ଲେଖିଥିବା ଜଣାପଡ଼ିଛି।