ବଲାଙ୍ଗିର : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଛୁଟି କାଟିବା ପାଇଁ ‘ଆଇଏନ୍ଏସ୍- ବିରାଟ’କୁ ବ୍ୟବହାର କରିଥିବା ତଥ୍ୟ ପ୍ରତିରକ୍ଷା ମନ୍ତ୍ରାଳୟରେ ନିକଟରେ ନାହିଁ। ମନ୍ତ୍ରାଳୟ ମୁଖ୍ୟ କାର୍ଯ୍ୟାଳୟର ଭାଇସ୍ ଆଡମିରାଲ ତଥା ସୂଚନା ଅପିଲ୍ ଅଧିକାରୀ ବିଶ୍ୱଜିତ ଦାସଗୁପ୍ତ ଚିଠି ନଂ- ଡିଏଲ୍/୦୮୧୨/୬୭୪୬/ଆଇ/ଅପିଲ ଯୋଗେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ନିଜର ଅବସର ବିନୋଦନ ପାଇଁ ନୌବାହିନୀର ‘ଆଇଏନ୍ଏସ୍-ବିରାଟ’କୁ ବ୍ୟବହାର କରି କ୍ଷମତାର ଦୁରୁପଯୋଗ କରିଥିଲେ ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଗାନ୍ଧୀ ପରିବାର ଓ କଂଗ୍ରେସକୁ କଟୁ ସମାଲୋଚନା କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। ରାଜୀବ ଗାନ୍ଧୀ ଜୀବିତ ନ ଥିବାରୁ କଂଗ୍ରେସ ଏହାର ସଠିକ୍ ଭାବେ ମୁକାବିଲା କରି ନ ପାରି ପଛଘୁଞ୍ଚା ଦେଇଥିଲା। ଏକ ଗୁରୁତର ଅଭିଯୋଗ ହୋଇଥିବାରୁ ଏହାର ସତ୍ୟାସତ୍ୟ ଜଣିବା ପାଇଁ ସୂଚନା କର୍ମୀ ଶ୍ରୀ ପଣ୍ଡା ତିନି ସେନାର ମୁଖ୍ୟ ଦପ୍ତର ତଥା ସମନ୍ୱିତ ମୁଖ୍ୟ କାର୍ଯ୍ୟାଳୟ (ନୌସେନା)କୁ ଆଇଏନ୍ଏସ୍ ବିରାଟ ସମ୍ପର୍କିତ ତଥ୍ୟ ମାଗିଥିଲେ।
ତଥ୍ୟରୁ ଜଣାପଡିଛି ଯେ, ୟୁନାଇଟେଡ କିଙ୍ଗ୍ଡମ୍ର ପ୍ଲାଇମାଉଥ ୧୨ ମଇ ୧୯୮୭ ମସିହାରେ କାର୍ଯ୍ୟାରମ୍ଭ କରି ଆଟଲାଣ୍ଟିକ ମହାସାଗର, ଲୋହିତ ସାଗର ଏବଂ ଆରବ ସାଗର ଦେଇ ୨୨ ଅଗଷ୍ଟ ୧୯୮୭ ମସିହାରେ ମୁମ୍ବଇରେ ପହଞ୍ଚିଥିଲା। ଗତ ୨୦୧୭ ମସିହା ମାର୍ଚ୍ଚ ୭ ତାରିଖରେ ନୌବାହିନୀରେ କାର୍ଯ୍ୟ ସମାପ୍ତ କରିଛି। ମାତ୍ର, ପୂର୍ବତନ ପ୍ରଧାନମନ୍ତ୍ରୀ ‘ଆଇଏନ୍ଏସ୍-ବିରାଟ’କୁ ବ୍ୟବହାର କରିଥିବା ସମ୍ପର୍କରେ କୌଣସି ତଥ୍ୟ ନଥିବା ଅପିଲ୍ ଅଧିକାରୀ ଜଣାଇଥିବା ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି।