ରାଜୀବ ସେବା କେନ୍ଦ୍ର ନାଁରେ ଟଙ୍କା ହଡ଼ପ ଘଟଣା : ଭିଜିଲାନ୍‌ସର ଖୋଳତାଡ଼ ଆରମ୍ଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆଳି ବ୍ଲକ୍ ଅନ୍ତର୍ଗତ ପଦନୀପାଳ ପଂଚାୟତରେ ରାଜୀବ ସେବା କେନ୍ଦ୍ର ନାଁରେ ୧୬ଲକ୍ଷ ଟଙ୍କା ହଡ଼ପ ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି।

ଗୋଟିଏପଟେ ଏହି ଦୁର୍ନୀତିକୁ ନେଇ ପ୍ରଶାସନିକ ସ୍ତରରେ ଖୋଳତାଡ଼ ଚାଲିଥିବା ବେଳେ ଆଜି ଭିଜିଲାନ୍ସ ଡିଏସ୍‌ପି ସତ୍ୟନାରାୟଣ ରାୟଗୁରୁ ପଦନୀପାଳରେ ପହଞ୍ଚି ଘଟଣାର ଛାନଭିନ୍ କରିଛନ୍ତି। କିଭଳି ଆଉ କେଉଁ ପରିସ୍ଥିତିରେ ଏପ୍ରକାର ଦୁର୍ନୀତି ହେଲା, ପ୍ରାଥମିକ ଭାବେ ତାହା ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ବିଭାଗୀୟ କର୍ତୃପକ୍ଷଙ୍କଠାରୁ ମାଗିଛନ୍ତି। ଗୋଟିଏ ପଟେ ବ୍ଲକ୍ ଅଡିଟର୍‌ଙ୍କ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସ ଖୋଳତାଡ଼ ଅସାଧୁ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ନିଦ ହଜାଇ ଦେଇଛି। ଦୁର୍ନୀତିର ପ୍ରମାଣ ଜଳଜଳ ଦିଶୁଥିବାରୁ ସେମାନେ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେଠୁ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି।

ସୂଚନାନୁଯାୟୀ, ୨୦୧୩ ମସିହାରେ ଆଳି ବ୍ଲକ୍ ପଦନୀପାଳ ପଂଚାୟତରେ ଏକ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ୧୫ ଲକ୍ଷ ୬୩ ହଜାର ୮୭୨ଟଙ୍କା ବ୍ୟୟବରାଦ ହୋଇଥିଲା। କିନ୍ତୁ ବିଭାଗୀୟ କର୍ତୃପକ୍ଷ କୌଣସି ନିର୍ମାଣ ନ କରି କାଗଜପତ୍ରରେ ପ୍ରକଳ୍ପ ହେଇଯାଇଥିବା ଦର୍ଶାଇ ସବୁତକ ବିଲ୍‌ ଟଙ୍କା ଉଠାଇ ନେଇଥିଲେ। ବ୍ଲକ୍ ଅଡିଟର୍‌ କେନ୍ଦ୍ରର ସ୍ଥିତି ସଂପର୍କରେ ଯାଂଚ ପାଇଁ ପଦନୀପାଳ ଯାଇଥିବାବେଳେ ଏ କେଳେଙ୍କାରୀ ଧରିଥିଲେ।‌ ଏହାକୁ ନେଇ ‘ସମ୍ବାଦ’ରେ ବୁଧବାର ଖବର ପ୍ରକାଶ ପାଇବା ପରେ ତନାଘନା‌ ହୋଇଥିଲା। ଜିଲ୍ଲା ସମୀକ୍ଷକଙ୍କ ‌ନିର୍ଦେଶ କ୍ରମେ ବ୍ଲକ୍ ସମୀକ୍ଷକ ଘଟଣାର ତଦନ୍ତ କରିଥିବା ବେଳେ ଅନ୍ୟପଟେ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ‌ ବୋଲି ଗତକାଲି ଡିଆରଡିଏ ପିଡି ଦିଲ୍ଲୀପ ପରିଡ଼ା କହିଥିଲେ। ହେଲେ, ଆଜି ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର