ରାଜକିଶୋର ନାୟକ ୧୦ମ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା : ଗାନ୍ଧୀ ଫଟୋରେ ସୀମିତ ରହିଲେ ଗାନ୍ଧୀବାଦ ବଢ଼ିବନି

ଭୁବନେଶ୍ବର : ଗାନ୍ଧୀଜୀ ରକ୍ତ, ହାଡ଼, ମାଂସରେ ତିଆରି ଜଣେ ମଣିଷ ଥିଲେ। ଅନ୍ୟ ସାଧାରଣ ମଣିଷ ଭଳି ସେ ଅନେକ ପରୀକ୍ଷାନିରୀକ୍ଷା କରୁଥିଲେ ଓ ଏଥିରେ ଭୁଲ୍ ମଧ୍ୟ କରୁଥିଲେ। ମାତ୍ର ଏହି ଭୁଲ୍‌କୁ ସେ ପରବର୍ତୀ ସମୟରେ ସ୍ବୀକାର କରିବାକୁ ପଛାଉ ନ ଥିଲେ। ଗାନ୍ଧୀଙ୍କୁ କେବଳ ଜାତିର ପିତା କିମ୍ବା ଫଟୋରେ ପୂଜା କରି ତାଙ୍କର ମହାନ ବ୍ୟକ୍ତିତ୍ବକୁ ଅନୁଭବ କରାଯାଇ ପାରିବ ନାହିଁ। ତାଙ୍କୁ ଫଟୋରୁ ବାହାର କରିବାକୁ ପଡ଼ିବ। ଗାନ୍ଧୀ ଜଣେ ମଣିଷ ଥିଲେ ବୋଲି ପିଲାଙ୍କୁ ବୁଝାଇବାକୁ ପଡ଼ିବ। ନଚେତ୍ ଗାନ୍ଧୀବାଦ ଆଗକୁ ଯାଇପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ପ୍ରକାଶିକା ମନୀଷା ଚୌଧୁରୀ।

ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଜୟଦେବ ଭବନରେ ବିଶିଷ୍ଟ ଗାନ୍ଧୀବାଦୀ ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବକ୍ତୃତାମାଳାର ବିଷୟବସ୍ତୁ ରହିଥିଲା ‘ମହିଳା ଓ କିଶୋରମାନଙ୍କ ମନରେ ଗାନ୍ଧୀ ଭାବନାର ଜାଗରଣ’। ଫାଉଣ୍ଡେସନ୍‌ର ସଭାପତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଚୌଧୁରୀ କହିଲେ, ଗାନ୍ଧୀବାଦକୁ ଆଜିର ପିଲାମାନଙ୍କୁ ଜଣାଇବାକୁ ହେଲେ ଗାନ୍ଧୀଙ୍କ ଅହିଂସା ମାର୍ଗକୁ କେବଳ ପୁସ୍ତକରେ ସୀମିତ ନ ରଖି ଏହାକୁ କାର୍ଯ୍ୟରେ ଲଗାଇବାକୁ ପଡ଼ିବ। ପିତାମାତାମାନେ ଯଦି ଗାନ୍ଧୀଙ୍କ ଆଦର୍ଶ‌ରେ ଚାଲିବେ‌, ତା’ ହେଲେ ସେମାନେ ନିଜ ପିଲାଙ୍କୁ ଏଥିରେ ଅନୁପ୍ରାଣୀତ କରିପାରିବେ। ପିଲାଙ୍କୁ ବୁଝାଇବାକୁ ହେବ ଯେ ଗାନ୍ଧୀଜୀ ରାତାରାତି ମହାତ୍ମା ପାଲଟି ନ ଥିଲେ। ଜୀବନର ପ୍ରତ୍ୟେକ ସମୟର ଘଟଣାକୁ ‌ସେ ଅନୁଭବ କରିବା ସହ ଏଥିରୁ ଶିକ୍ଷା ହାସଲ କରିଥିଲେ। ଗାନ୍ଧୀଜୀ ଲୁଚାଛପାରେ ବିଶ୍ବାସ କରୁ ନ ଥିଲେ। ତାଙ୍କର ଲେଖନୀରେ ସଚ୍ଚୋଟ୍ଟତା ଭରି ରହିଥିଲା। ନିଜେ ଯେଉଁ କଥାକୁ ଅନୁଭବ କରୁ ନ ଥିଲେ, ତାହାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟୁ ନ ଥିଲେ। ଆଜିର ସମୟରେ ସାମାଜିକ ଓ ଅର୍ଥନ‌ୈତିକ ବୈଷ୍ୟମତା ବଢ଼ି ଚାଲିଥିବା ବେଳେ ଶିକ୍ଷା, ସମାନତା, ଅନୁକମ୍ପା ଗାନ୍ଧୀଙ୍କ ଲକ୍ଷ୍ୟ ଥିଲା। ଆଜିର ସୂଚନାକ୍ରାନ୍ତି ଯୁଗରେ ପ୍ରତି ମୁହୂର୍ତରେ ଗଦା ଗଦା ସୂଚନା ପହଞ୍ଚୁଛି। ତେବେ ଏହି ସୂଚନା ମଧ୍ୟରୁ ଜ୍ଞାନକୁ ସାଉଣ୍ଟିବାକୁ ହେବ। ଆଜିର ସମୟରେ ଶିକ୍ଷା କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସୀମିତ ରହିଯାଇଛି। ଶିକ୍ଷା ଜ୍ଞାନ ଆହରଣର ମାଧ୍ୟମ ହେବା ଦରକାର। ତେଣୁ ଗାନ୍ଧୀଙ୍କ ଜୀବନ ଚରିତ ଓ ଘଟଣା ସଂପର୍କରେ ପିଲାମାନଙ୍କ ସହ ଆଲୋଚନା କଲେ ହିଁ ସେମାନେ ପ୍ରକୃତ ଗାନ୍ଧୀଙ୍କ ସଂପର୍କରେ ଜାଣିପାରିବେ ବୋଲି ଶ୍ରୀମତୀ ଚୌଧୁରୀ କହିଥିଲେ।

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ଗାନ୍ଧୀ ବିଚାର ଏକ ଚିରନ୍ତନ ମୂଲ୍ୟବୋଧ। ଗାନ୍ଧୀ ବିଚାରରେ ପୃଥିବୀର ଅଧା ସମସ୍ୟାର ସମାଧାନ ହୋଇପାରିବ। ଗାନ୍ଧୀଜୀଙ୍କ କୌଣସି କଥା ବ୍ୟକ୍ତି ଆଧାରିତ ନ ଥିଲା। ସ୍ବର୍ଗତ ନାୟକଙ୍କ ଉପରେ ମତ ଦେବାକୁ ଯାଇ ଶ୍ରୀ ବେନହୁର କହିଥିଲେ ଯେ ଗାନ୍ଧୀ ଯେଉଁଥିରେ ବିଫଳ ହୋଇଥିଲେ, ସ୍ବର୍ଗତ ନାୟକ କିନ୍ତୁ ସେଥିରେ ସଫଳ ହୋଇଥିଲେ। ଗାନ୍ଧୀ କସ୍ତୁରବାଙ୍କୁ ଶିକ୍ଷିତ କରିବାରେ ବିଫଳ ହୋଇଥିଲେ ମାତ୍ର ସ୍ବର୍ଗତ ନାୟକ ଏଥିରେ ସଫଳ ହୋଇଥିଲେ। ଗାନ୍ଧୀଜୀ ପାରିବାରିକ ଜୀବନରେ ସେତେଟା ସଫଳ ହୋଇ ନ ଥିଲେ ହେଁ ସ୍ବର୍ଗତ ରାଜକିଶୋର ସଫଳ ହୋଇଥିଲେ। କହିବାକୁ ଗଲେ ସ୍ବର୍ଗତ ନାୟକ ହେଉଛନ୍ତି ଗାନ୍ଧୀ ପ୍ଲସ୍ ବୋଲି ଶ୍ରୀ ବେ‌ନହୁର ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ପ୍ରଫେସର ଅଭିରାମ ବିଶ୍ବାଳ କହିଲେ, ଗାନ୍ଧୀ କେବଳ ଭାରତରେ ନୁହେଁ, ଏସିଆ ଓ ୟୁରୋପର ଧାତୁରେ ତିଆରି ହୋଇଥିଲେ। ଭୟର ଅନୁପସ୍ଥିତି ସ୍ବାଧୀନତାର ପ୍ରକୃତ ଲକ୍ଷ୍ୟ ହେବା ଉଚିତ ବୋଲି ଓଡ଼ିଶା ଆସିଥିବା ଅବସରରେ ଗାନ୍ଧୀଜୀ କହିଥିଲେ। ଗାନ୍ଧୀଜୀ କହୁଥିଲେ, ମହିଳାଙ୍କ ବିନା ରାଜନୀତି ସୁଦୃଢ଼ ହୋଇପାରିବ ନାହିଁ। ସ୍ବର୍ଗତ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ଥିବା ବେଳେ ଦେଶବ୍ୟାପୀ ଏଭଳି ଅନେକ ପ୍ରାନ୍ତ/କ୍ଷେତ୍ରରେ ଗାନ୍ଧୀ ରହିଥିଲେ। ଏଭଳି ସ୍ଥାନୀୟ/ପ୍ରାନ୍ତୀୟ ଗାନ୍ଧୀଙ୍କ ଯୋଗୁଁ ଜଣେ ଜାତୀୟ ଗାନ୍ଧୀ ସମ୍ଭବ ହୋଇପାରିଥିଲା ବୋଲି ପ୍ରଫେସର୍‌ ବିଶ୍ବାଳ ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ଫାଉଣ୍ଡେସନ୍‌ର ସଂପାଦକ ପର୍ଶୁରାମ ଦ୍ବିବେଦୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର