ସାହିତ୍ୟ ମୁରବି ରାଜକିଶୋର

ପ୍ରଫେସର ବସନ୍ତ କୁମାର ପଣ୍ଡା

ରାଜକିଶୋର ମିଶ୍ରଙ୍କ ବ୍ୟକ୍ତିସତ୍ତା ଆଲୋଚ୍ୟ ନୁହେଁ, ଆରାଧ୍ୟ। କାରଣ ଆଲୋଚନା ପାଇଁ ଆମ ପାଖରେ ଯାହା ଉପାଦାନ ଅଛି, ତାହା ଅପୂର୍ଣ୍ଣ, ଆଂଶିକ। ବ୍ୟକ୍ତି ଓ ଅଭିବ୍ୟକ୍ତି- ଉଭୟ ଦିଗରୁ ସେ ଥିଲେ ଅସାଧାରଣ, ସ୍ମରଣୀୟ। ଗଣେଶ ବନ୍ଦନାର ସ୍ଥୂଳତନୁ, ଲମ୍ବୋଦରଂ, ସୁନ୍ଦରମ୍ – ସବୁ ବିଶେଷଣଯୁକ୍ତ ଥିଲେ। ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜଣେ ମୁରବି ମଣିଷ। ରାଜକିଶୋର ସାର୍ ଥିଲେ ଇଂରାଜୀ ସାହିତ୍ୟର ଅଧ୍ୟାପକ, କିନ୍ତୁ ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ସୁପଣ୍ଡିତ। ଜଣେ ବିଦଗ୍ଧ ସାହିତ୍ୟ ଆଲୋଚକ, ସଂକଳକ, ସୁଦକ୍ଷ ସଂପାଦକ, ଅନୁବାଦକ ଓ ଅଭିଧାନ ପ୍ରଣେତା- ସାମଗ୍ରିକ ଭାବରେ କହିଲେ ଜଣେ ବିଶ୍ୱକୋଷୀ ବ୍ୟକ୍ତିତ୍ୱ। ସାଂପ୍ରତିକ ଓଡ଼ିଶାରେ ବହୁ କାର୍ଯ୍ୟ କରି, ବହୁ ଅବଦାନ ଦେଇ ସେ ରିକ୍ତହସ୍ତରେ ଅସମୟରେ ଅଜ୍ଞାତ ଭାବେ ବିଦାୟ ନେଲେ।

ଅଧ୍ୟାପନା, ସଂପାଦନା ଓ ସଂରଚନା- ଏଇ ତିନି ଭାଗରେ ତାଙ୍କର କାର୍ଯ୍ୟସ୍ରୋତ ଗତିଶୀଳ ଥିଲା। ଅଧ୍ୟାପକ ଭାବେ ସେ ଥିଲେ ଅତ୍ୟନ୍ତ ନିଷ୍ଠାପର, ଅମାୟିକ ଓ ଛାତ୍ରବତ୍ସଳ। ସଂପାଦକ ଭାବରେ ତାଙ୍କର ବହୁ ସ୍ତର ବ୍ୟାପୀ ପ୍ରତିଭାର ପରିଚୟ ମିଳେ। ଦୀର୍ଘକାଳ (୧୯୯୨-୨୦୦୦) ଓଡ଼ିଶା ସରକାରଙ୍କ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଭାବରେ ହେଉ ବା ‘ଓଡ଼ିଆ ଭାଷାକୋଷ’ ଅଥବା ‘ଚାର୍ଲସ ଗ୍ରୋମ୍‌ସ ରିପୋର୍ଟ ଅନ୍ ଲର୍ଡ ଜଗନ୍ନାଥ’- ସକଳ କାର୍ଯ୍ୟରେ ତାଙ୍କର ଅତୁଳନୀୟ ବିଦ୍‌ବତ୍ତା ଓ ବିସ୍ମୟକର ଏକାଗ୍ରତା ପ୍ରକାଶ ପାଇଛି। ତୃତୀୟ ଦିଗଟି ଥିଲା ସାଂଗଠନିକ ସଂରଚନା। ଦୁଇଥର ସେ ଓଡ଼ିଶା ସାହିତ୍ୟ ଏକା‌‌‌‌ଡେମିର ସଂପାଦକ ହୋଇ ସାରସ୍ୱତ ଦାୟିତ୍ୱ ନିର୍ବାହ କରିଥିଲେ (୧୯୯୨-୯୪ ଓ ୨୦୦୨- ୦୩)। ଇମ୍ଫା ପକ୍ଷରୁ ପ୍ରଦତ୍ତ ଶାରଳା ପୁରସ୍କାର ଚୟନ କମିଟିର ସଂପାଦକ ଭାବରେ ସେ ଦୀର୍ଘକାଳ କାର୍ଯ୍ୟ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସେ ନିରପେକ୍ଷତା ଓ ନିଷ୍ଠାପରତା ବଜାୟ ରଖୁଥିଲେ। ତାଙ୍କର ବ୍ୟକ୍ତିତ୍ୱର ଗାମ୍ଭୀର୍ଯ୍ୟ, ଯୁକ୍ତିବାଦିତା ଓ ବୌଦ୍ଧିକ ସତତା ତାଙ୍କୁ ସମସ୍ତଙ୍କ ନଜରରେ ମର୍ଯ୍ୟାଦାବନ୍ତ କରି ରଖିଥିଲା। ସେ ଥିଲେ ଶୁଦ୍ଧ, ସାତ୍ତ୍ୱିକ ଓ ସାରବନ୍ତ।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ଗବେଷଣାତ୍ମକ ବିବରଣୀ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗୋଟିଏ କମିଟି ଗଠନ କଲେ। ୨୦୧୩ ଜାନୁଆରି ମାସରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଚିଠି ଓ ପ୍ରୟୋଜନୀୟ ମାନଦଣ୍ଡ ବିଷୟରେ ଅବଗତ କରାଇବା ପରେ ସେ ତତ୍‌କ୍ଷଣାତ୍ ଗୋଟିଏ ଡ୍ରାଫ୍ଟିଂ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଓ କିଏ ରହିବେ ସ୍ଥିର କଲେ। ଆମ କେତେଜଣଙ୍କ ସହିତ ରାଜକିଶୋର ମିଶ୍ର ଓ ଇଂରାଜୀ ପ୍ରଫେସର୍‌ ଯତୀନ୍ଦ୍ର କୁମାର ନାୟକଙ୍କୁ ସେଥିରେ ନେବା ପାଇଁ ମୁଁ ପ୍ରସ୍ତାବ ଦେଲି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଦଲିଲ୍‌-ଗ୍ରନ୍ଥ ପ୍ରସ୍ତୁତ ହେଲା, ତା’ର ସଂପୂର୍ଣ୍ଣ ସଂଶୋଧନ ଓ ସଜ୍ଜୀକରଣ ପାଇଁ ରାଜକିଶୋରଙ୍କର ଅଜସ୍ର ଶ୍ରମ, ସମୟ ଓ ସାଧନା ଲାଗି ଏ ଜାତି ତାଙ୍କ ପାଖରେ ଚିର କୃତଜ୍ଞ ରହିବ।

ସାହିତ୍ୟ ଅଧ୍ୟୟନ ଓ ବିଶ୍ଳେଷଣରେ ରାଜକିଶୋର ଥିଲେ ଜଣେ ବ୍ୟତିକ୍ରମ ସ୍ରଷ୍ଟା। ଅଧ୍ୟୟନରେ ଗଭୀର ନିଷ୍ଠା, ନିର୍ବାଚନ ନୈପୁଣ୍ୟ ଓ ସାର ସଂଗ୍ରହ କରିବାରେ ଥିଲା ତାଙ୍କର ଅଦ୍ଭୁତ ଦକ୍ଷତା। ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସଗୁଡ଼ିକର ଆଲୋଚନା ତାଙ୍କର ଏକ ଅସାମାନ୍ୟ କୃତି-ଗୋପୀନାଥଙ୍କ ଉପନ୍ୟାସର ମରମକଥା। ଏହି ଗ୍ରନ୍ଥର ଉପସଂହାରରେ ହେନେରୀ ଜେମ୍‌ସ, ଡୁଫୋ, ଉର୍ଣ୍ଣେ, ମାଲଭିବଲ, କନରାଡ୍‌ ଓ ଜେମ୍‌ସ ଜୟସ୍‌ଙ୍କ କଥା ଉଲ୍ଲେଖ କରି ସେ ଗୋପୀନାଥଙ୍କର ଯେଉଁ ବିସ୍ମୟକର ବୈଶିଷ୍ଟ୍ୟର ଉଲ୍ଲେଖ କରିଛନ୍ତି, ଅଦ୍ଭୁତ ଭାବରେ ସେସବୁର କୃତବିଦ୍ୟ ଅଧିକାରୀ ହେଲେ ସେ ନିଜେ। କାବ୍ୟିକ ଲକ୍ଷ୍ୟ ଓ ଏକତମ ଦୃଷ୍ଟି, ନିବିଡ଼ତମ ଅନୁଭୂତି ଓ ଗଭୀର ଅନ୍ତର୍ଦୃଷ୍ଟିସଂପନ୍ନ ନାନ୍ଦନିକ ଜୀବନ- ଏସବୁ ଗୋପୀନାଥଙ୍କୁ ଯେପରି ମହାନ କଥାଶିଳ୍ପୀରେ ପରିଣତ କରିଥିଲା, ରାଜକିଶୋରଙ୍କୁ ଠିକ୍ ସେହିପରି ଜଣେ ଅନନ୍ୟ ସାହିତ୍ୟ ଆଲୋଚକର ଗୌରବ ଦେଇଛି, ଆମ ସମୟର ଆମ ସାହିତ୍ୟର ମୁରବି ମଣିଷରେ ପରିଣତ କରିଛି।

ସମ୍ବନ୍ଧିତ ଖବର