କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର କନକପାଟଣା ସାହିରେ ଏକ ଭଡ଼ାଘରୁ ଜଣେ ରାଜମିସ୍ତ୍ରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଠାବ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଯୁଧିଷ୍ଠିର ବେହେରା। ତାଙ୍କ ଶବ ଘରର ଉପରମହଲାର ଚଟାଣରେ ପଡ଼ିଥିବା ବେଳେ କାନ୍ଥରେ ବି ରକ୍ତଛିଟା ଦେଖିବାକୁ ମିଳିଛି। ଫଳରେ ପାରିପାର୍ଶ୍ବିକ ସ୍ଥିତିରୁ ଯୁଧିଷ୍ଠିରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ କବିସୂର୍ଯ୍ୟନଗର ପୁଲିସ କେସ୍ ନମ୍ବର ୩୮୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରିଛି।

Advertisment

ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲେ ହେଁ, ପତ୍ନୀ କାମାକ୍ଷୀ ଆଜି ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଶବକୁ ଜବତ କରିଛି। ଫଳରେ କାମାକ୍ଷୀଙ୍କ ଭୂମିକା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି। ରାତିସାରା ଶବ ସେମିତି ଘରେ ପଡ଼ି ରହିବାରୁ ସାହିର କୌଣସି ଘରେ ଚୁଲି ଜଳି ନଥିଲା। ସେପଟେ ପତ୍ନୀ କାମାକ୍ଷୀଙ୍କ କହିବାନୁସାରେ, ଗତକାଲି ଯୁଧିଷ୍ଠିରଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଶୋଇଥିବା ସମୟରେ ଖଟରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁରର ସହାୟତାରେ ଛାନଭିନ୍ କରିଥିଲା।

ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଜାନକୀପଲ୍ଲୀ ଗ୍ରାମର ମୂଳବାସିନ୍ଦା ଯୁଧିଷ୍ଠିର ୨୦୧୦ ମସିହାରେ କାମାକ୍ଷୀଙ୍କୁ ବିବାହ କରିଥିଲେ। କବିସୂର୍ଯ୍ୟନଗର କନକପାଟଣା ସାହିରେ ସେ ପତ୍ନୀ ଓ ଦୁଇପୁଅଙ୍କ ସହ ଏକ ଭଡ଼ାଘରେ ରହୁଥିବା ବେଳେ ରାଜମିସ୍ତ୍ରି ଭାବେ କାମ କରୁଥିଲେ। ଗତକାଲି ଅପରାହ୍‌ଣରେ ଯୁଧିଷ୍ଠିର ପେଟରେ ଯନ୍ତ୍ରଣା‌ ଭୋଗୁଥିବା ନେଇ ପତ୍ନୀ କାମାକ୍ଷୀଙ୍କୁ କହିଥିଲେ। ଘରର ଉପରମହଲାରେ ଖଟରେ ଶୋଇଥିଲେ। ସନ୍ଧ୍ୟାରେ ତାଙ୍କ ପୁଅ ଅମିତ୍ ଉପରମହଲାକୁ ଗାଧୋଇବାକୁ ଯାଇଥିବା ବେଳେ ଯୁଧିଷ୍ଠିର ଦୁଆରମୁହଁ ଏରୁଣ୍ଡିରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। କାନ୍ଥରେ ବି ରକ୍ତଛିଟା ଥିଲା। ଫଳରେ ସେ ମାଆ କାମାକ୍ଷୀଙ୍କୁ ଡାକିଥିଲା। ସେତେବେଳକୁ ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇସାରିଥିଲା। କିନ୍ତୁ କାମାକ୍ଷୀ ଜାଣି ବି କାହାକୁ ଜଣାଇ ନଥିଲେ। ଆଉ ଆଜି ସକାଳ ୧୧ଟାରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚିଥିଲା। ତେବେ ଯୁଧିଷ୍ଠିରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହୋଇଛି। କିନ୍ତୁ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ଏନେଇ ବର୍ତ୍ତମାନସୁଦ୍ଧା କିଛି ସ୍ପଷ୍ଟ ହୋଇପାରୁନି। ସେପଟେ ପତ୍ନୀ କାମାକ୍ଷୀ ବି ପତିଙ୍କ ମୃତ୍ୟୁର କାରଣକୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ କଥା କହୁଥିବାରୁ ତାଙ୍କ ଭୂମିକା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି। ସେହିପରି ଘଟଣା ଗତକାଲିଠୁ ଘଟିଥିଲେ ମଧ୍ୟ କାମାକ୍ଷୀ କାହିଁକି ଏନେଇ ପୁଲିସକୁ ଜଣାଇଲେ ନାହିଁ, ଏହା ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖୁବ୍‌ଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ଥାନା ଆଇଆଇସି ପ୍ରଭାତ ସାହୁ ସୂଚନା ଦେଇଛନ୍ତି।