ପ୍ରବାସୀଙ୍କ ଭାବବିହ୍ବଳ ବିଦାୟ : ପୋଡ଼ପିଠା, ମୁଢିମୁଆଁ ଧରି ଫେରିଲେ

ରାଜନଗର : ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ସଙ୍ଗରୋଧ ଅବଧି ଶେଷ ହେବା ପରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ସରପଂଚ ପ୍ରବାସୀଙ୍କୁ ବିଦାୟ ଦେବା ବେଳେ ପୋଡ଼ପିଠା ଓ ମୁଢି ମୁଆଁ ଦେଇ ବିଦାୟ ଦେଇଛନ୍ତି।

ରାଜନଗର ବ୍ଲକ ଡାଙ୍ଗମାଳ ପଂଚାୟତ ଡାଙ୍ଗମାଳ କଲ୍ୟାଣମଣ୍ତପରେ ୩୭ଜଣ ଓ ବାଙ୍କୁଆଳ ଉପ୍ରା ବିଦ୍ୟାଳୟରେ ୧୨ଜଣ ମୋଟ ୪୯ଜଣ ପ୍ରବାସୀ ସଙ୍ଗରୋଧରେ ଥିଲେ। ମହାକାଳପଡା ଓ ମାର୍ଶାଘାଇ ଅଂଚଳର ପ୍ରବାସୀମାନେ ସୁରତରୁ ଫେରି ଏଠାରେ ସଙ୍ଗରୋଧରେ ଥିଲେ। ସଙ୍ଗରୋଧ ଅବଧି ଶେଷ ହେବା ପରେ ଗତକାଲି ସେମାନେ ଘରକୁ ଫେରିଛନ୍ତି। ସେମାନେ ଘରକୁ ଫେରିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା। ଗୁରୁଜନମାନଙ୍କ ପାଦ ଛୁଇଁ ସରପଞ୍ଚ ଆଶୀର୍ବାଦ ନେଇ ବିଦାୟ ଦେଇଥିବା ବେଳେ କନିଷ୍ଠମାନେ ସରପଞ୍ଚଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ ବିଦାୟ ନେଇଛନ୍ତି। ବନ୍ଧୁ ପରିଜନଙ୍କୁ ବିଦାୟ ଦେବା ବେଳେ ଓଡିଆ ପରମ୍ପରା ଅନୁଯାୟୀ ସମସ୍ତ ପ୍ରବାସୀଙ୍କୁ ସରପଞ୍ଚ ରମେଶ ଚନ୍ଦ୍ର ବେହେରା ପୋଡ଼ ପିଠା ଓ ମୁଢିମୁଆଁ ଦେଇ ବିଦାୟ ଦେଇଛନ୍ତି। ପ୍ରବାସୀମାନେ ଫେରିବା ଘରେ ପହଞ୍ଚିବା ପରେ ସେମାନଙ୍କ ପରିବାର ଲୋକେ ଫୋନ ଯୋଗେ ସରପଞ୍ଚଙ୍କୁ ବଧେଇ ଜଣେଇବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ଘରଠୁଁ ଅଧିକ ଆତିଥ୍ୟ ପ୍ରଦାନ କରିଥିବା କହିଛନ୍ତି।

ସୂଚନା ଯୋଗ୍ୟ, ଏହି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଏହାବାଦ୍‌ ଗତ ରିବିବାର ସମସ୍ତଙ୍କୁ ମାଂସ ଭୋଜି ସହ ୩ ଜଣ ଶିଶୁଙ୍କୁ ସରପଞ୍ଚ ‘ସେରେଲାକ୍‌ ’ ଯୋଗାଇ ଦେଇଥିଲେ। ସରପଞ୍ଚଙ୍କ ଆତିଥ୍ୟରେ ପ୍ରବାସୀମାନେ ଖୁସି ହେବା ସହ ବନ୍ଧୁ ପରିଜନଙ୍କୁ ଛାଡିଯିବା ଭଳି ଯିବାବେଳେ ଲୁହଭରା ପରିବେଶ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର