ସମୁୁଦ୍ର ପାଲଟିଛି ଗଳାବାଟ : ରାତିରେ ବୋଟ୍‌ରେ ଚାଲିଛି ଲୋକବୁହା

ରାଜନଗର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ପଶ୍ଚିମବଙ୍ଗରୁ ଆସିଥିବା ଲୋକ ଏବେ ଚିନ୍ତାର କାରଣ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଏହାକୁ ନେଇ ଆତଙ୍କ ବଢିବାରେ ଲାଗିଛି। ତାଳଚୁଆ ସାମୁଦ୍ରିକ ଥାନା ବଙ୍ଗୀୟ ଭାଷାଭାଷୀ ଅଂଚଳର ଲୋକଙ୍କର ଜଳପଥରେ ପଶ୍ଚିମବଙ୍ଗ ଯାତାୟାତ ଏବେ ବି ଜାରି ରହିଥିବାରୁ ଭୟ ବଢିବାରେ ଲାଗିଛି। ଏହି ଅଞ୍ଚଳକୁ ରାତିରେ ବୋଟ ଚାଲୁଛି। ସପ୍ତାହ ଭିତରେ ଅନେକ ଲୋକ ପଶ୍ଚିମବଙ୍ଗ ସମେତ ଭଦ୍ରକ, ବାଲେଶ୍ବରରୁ ତାଳଚୁଆ ସାମୁଦ୍ରିକ ଥାନା ଅଂଚଳକୁ ଆସିଥିବା ସୂଚନା ମିଳିଛି।

ତାଳଚୁଆ ସାମୁଦ୍ରିକ ଥାନା ଅଧୀନରେ ଥିବା ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ ପ୍ରଭୃତି ୭ଟି ପଂଚାୟତର ଲୋକେ ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଯାତାୟତ କରନ୍ତି। ଏହି ପଂଚାୟତରେ ବଙ୍ଗୀୟ ଭାଷାଭାଷୀ ଲୋକେ ଅଧିକ ସଂଖ୍ୟାରେ ବାସ କରନ୍ତି। ଏଠାକାର ଲୋକେ ଭଦ୍ରକ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୋଟ ମାଧ୍ୟମରେ ଯା’ଆସ କରିଥାନ୍ତି। ବୋଟରେ ଦିଘା, ପଶ୍ଚିମବଙ୍ଗକୁ ଯିବା ଆସିବା କରିଥା’ନ୍ତି। ଏଠାରେ ବାସ କରୁଥିବା ବଙ୍ଗୀୟ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର ପଶ୍ଚିମବଙ୍ଗରେ ରହିଛି। ୭ଟି ପଂଚାୟତରେ ୫ଶହରୁ ଅଧିକ ଟ୍ରଲର ଓ ବୋଟ ରହିଛି। ଟ୍ରଲର ମାଛ ମାରିବା ପରେ ଚନ୍ଦିନିପାଳ ଓ ଦିଘାରେ ମାଛ ଦେଇଥାଏ। ଟ୍ରଲରରେ ଭଦ୍ରକ, ବାଲେଶ୍ବର ସମେତ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାନେ କାମ କରିଥାନ୍ତି। ଲକଡାଉନ ପରେ ଏହି ୭ଟି ପଂଚାୟତକୁ ଭଦ୍ରକ, ବାଲେଶ୍ବର ଓ ପଶ୍ଚିମବଙ୍ଗରୁ ୫ଶହରୁ ଅଧିକ ଲୋକ ଆସିଛନ୍ତି।

ଗତକାଲି ରାତିରେ ଖମାରସାହି ପଂଚାୟତ ସରପଂଚଙ୍କ ସଂପର୍କୀୟଙ୍କ ବୋଟରେ ଭଦ୍ରକ ଜିଲ୍ଲାରୁ ୫ଜଣ ତାଳଚୁଆ ଥାନା ଅଂଚଳକୁ ଆସିଥିବା ଜଣାପଡ଼ିଛି। ଏହାବାଦ୍‌ ପଶ୍ଚିମବଙ୍ଗରୁ କିଛି ମତ୍ସ୍ୟଜୀବୀ ବୋଟ ଯୋଗେ ଏହି ଅଂଚଳକୁ ଆସିଛନ୍ତି। ସେମାନେ ତାଳଚୁଆ ଓ ପ୍ରଭାତି ଅଂଚଳରେ ଥିବା କିଛି ମାଛ କାଉଣ୍ଟରରେ ରହିଥିବା ଜଣାପଡିଛି। ସେହିପରି ଡାଙ୍ଗମାଳ ପଂଚାୟତରେ ୨ଜଣ ଅଚିହ୍ନା ମହିଳା ଗତକାଲି ରାତିରୁ ବୁଲୁଛନ୍ତି। ଏହି ଦୁଇଜଣ ମହିଳା ଲକଡାଉନ ସମୟରେ କିପରି ଆସିଲେ ଓ କେଉଁଠୁ ଆସିଲେ ସେ ନେଇ ସମସ୍ତଙ୍କ ଚିନ୍ତା ବଢିଛି।

ଆଜି ରାଜନଗର ତହସିଲଦାର ଭୋଳାନାଥ ସେଠୀ, ଡାଙ୍ଗମାଳରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତାଳଚୁଆ ସାମୁଦ୍ରିକ ଥାନା ପୁଲିସକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ଅଂଚଳରେ ୫ଶହରୁ ଅଧିକ ବୋଟ, ଟ୍ରଲର ଚଳାଚଳ କରୁଥିବା ବେଳେ ପୁଲିସ ପାଖରେ କିନ୍ତୁ ବୋଟ୍ ନାହିଁ। ତାଳଚୁଆ ପୁଲିସ ସାତଟି ପଂଚାୟତର ସରପଂଚ ଓ ୱାର୍ଡମେମ୍ବରମାନଙ୍କୁ ନେଇ ହ୍ବାଟ୍ସଆପ ଗ୍ରୁପ ଗଠନ କରିଛି। ସରପଂଚ ଓ ୱାର୍ଡମେମ୍ବରଙ୍କ ଉପରେ ନିର୍ଭର କରି କରୋନା ମୁକାବିଲା ପାଇଁ ଅଂଟା ଭିଡିଛି। ବାହାରୁ କିଏ ଆସିଲେ, କିଏ ଗଲେ, ତାର ଖବର ରଖିବା ପାଇଁ ବ୍ୟବସ୍ଥା କରିଛି। ମାତ୍ର ପୁଲିସ ସରପଂଚଙ୍କ ଉପରେ ଭରସା କରିଥିବା ବେଳେ ସେପଟେ ସରପଂଚଙ୍କ ସଂପର୍କୀୟ ବିଳମ୍ବିତ ରାତ୍ରିରେ ଜଳପଥରେ ବାହାର ଜିଲ୍ଲାର ଲୋକଙ୍କୁ ପାର କରିବା ଘଟଣା ସମସ୍ୟା ସୃଷ୍ଟି କରିଛି।

ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ କହିଛନ୍ତି, ସେମାନଙ୍କୁ ବୋଟରେ ଆଣିଥିବା ସରପଞ୍ଚଙ୍କ ସମ୍ପର୍କୀୟଙ୍କୁ ତାଗିଦ୍‌ କରାଯାଇଛି। ଆଗକୁ ଏପରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର