ପୁଣି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ! ରାଜନଗରରେ ରାସ୍ତାରୋକ; ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା

ରାଜନଗର: ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ତକୁ ଅଲଗା କରି ଦିଆଯାଇଛି। କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ ଅନ୍ତର୍ଗତ ତ୍ରିନାଥବଜାର ନିକଟରେ ବିଜୁ ସ୍ମୃତି ସଂସଦ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଏଭଳି ଢଙ୍ଗରେ ଭାଙ୍ଗିବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଜୁ ପ୍ରେମୀମାନେ ତ୍ରିନାଥବଜାର ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ନିକଟରେ ଥିବା ପୂର୍ବତନ ବିଧାୟକ ତଥା ବିଜେପି ନେତା ଅଲେଖ ଜେନାଙ୍କ କାର୍ଯ୍ୟାଳୟକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି। ଗଲା ଛଅ ମାସ ତଳେ ସମାନ ଘଟଣା ଘଟିଥିବାବେଳେ ପ୍ରଶାସନ ଭଙ୍ଗାମୂର୍ତ୍ତିରେ ମୁଣ୍ତକୁ ଥୋଇଦେଇ କାମ ସାରିଦେଇଥିଲା। ଆଜି ଘଟଣାର ପୁନରାବୃତ୍ତି ହେବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ରାଜନଗର ବ୍ଲକ ସାନବଡ଼ଗୋପାଳପୁର ପଂଚାୟତ ଗର୍ଜନପୁର ରସ୍ତାର ତ୍ରିନାଥବଜାର ନିକଟରେ ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ରହିଛି। ବର୍ତ୍ତମାନର ବିଜେପି ନେତା ଅଲେଖ କୁମାର ଜେନା ବିଜେଡି ବିଧାୟକ ଥିବାବେଳେ ସେଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପୂର୍ବତନ ବିଧାୟକ ଶ୍ରୀ ଜେନା ବିଜେପିରେ ମିଶିବା ପରେ ସ୍ମୃତି ସଂସଦରେ ବିଜେପି ଶିବିର ଚାଲିଥିଲା। ବିଜେପି ପତାକା ଓ ପୂର୍ବତନ ବିଧାୟକ ଶ୍ରୀ ଜେନାଙ୍କ ଫଟୋ ଲଗାଯାଇ ଏହି କାର୍ଯ୍ୟାଳୟ ଚାଲିଥିଲା।ଗତ ଜୁନ୍ ୧୯ ତାରିଖରେ କାର୍ଯ୍ୟାଳୟ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ତକୁ ଅଲଗା କରି ଦିଆଯାଇଥିଲା। ଏହାକୁ ନେଇ ସେତେବେଳେ ରାଜନଗର ଥାନାରେ ୩ଟି ଅଭିଯୋଗ ହୋଇଥିଲା। ଏଥିପାଇଁ ରାଜନଗର ବନ୍ଦ ହୋଇଥିଲା। ସବୁ ମହଲରେ ପ୍ରତିକ୍ରିୟା ବଢିବା ପରେ ରାଜନଗର ତହସିଲଦାର ସେଠାରେ ପହଞ୍ଚି ବିଜୁବାବୁଙ୍କ ମୂର୍ତ୍ତି ଥିବା ସ୍ଥାନରେ ନାଲି ପତାକା ମାରି ଏହା ସରକାରଙ୍କ ସମ୍ପତ୍ତି ବୋଲି ଉଲ୍ଲେଖ କରିଥିଲେ। ଏଥିସହ ଜୁନ ୨୨ ତାରିଖରେ ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟକୁ ସେ ଅବରୋଧମୁକ୍ତ କରିବାକୁ ୩ ଦିନିଆ ନୋଟିସ ଦେଇଥିଲେ। ପୁଲିସ ଦୁଇ ଜଣ ଯୁବକଙ୍କୁ ଥାନାକୁ ଡାକି ପଚରା ଉଚରା କରି ଛାଡି ଦେଇଥିଲା। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାମୁଣ୍ତକୁ ଆଣି ଯୋଡି ଧଳା ଗାମୁଛା ଗୁଡ଼ାଇ ପ୍ରଶାସନ କାମ ସାରିଦେଇଥିଲା। ମାତ୍ର ମାମଲା ଥଣ୍ତା ପଡିଯିବା ପରେ ପ୍ରଶାସନ ପଦକ୍ଷେପ ନନେଇ ଶୋଇ ଯାଇଥିଲା। କିନ୍ତୁ ଆଜି ଅପରାହ୍ନରେ କେହି ଦୁର୍ବୃତ୍ତ ପୁଣି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ତକୁ ଅଲଗା କରିଦେଇଛି। ଏହି ଖବର ଜଣାପଡିବା ପରେ ରାଜନଗରରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ତ୍ରିନାଥବଜାର ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫ଟି ସ୍ଥାନରେ ପରାଜିତ ହେବା ପରେ ୧୯୭୧ ଉପନିର୍ବାଚନରେ ବିଜୁବାବୁ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତିରେ ବିଜୁବାବୁଙ୍କୁ ପୁଣି ମୁଣ୍ଡ ଟେକି ଛିଡ଼ା ହେବାର ସୁଯୋଗ ଦେଇଥିବା ରାଜନଗର ମାଟିରେ ତାଙ୍କ ପ୍ରତିମୂର୍ତ୍ତିରୁ ବାରମ୍ବାର ଏଭଳି ଅସମ୍ମାନିତ କରାଯିବା ଘଟଣାକୁ ନେଇ ରାଜନଗରରେ ଉତ୍ତେଜନା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର