ରାଜନଗରରେ ଚାଷୀଙ୍କ ଅଭିନବ ପ୍ରତିବାଦ : ଜନଶୁଣାଣିରେ ଛାଡ଼ିଦେଲେ ଷଣ୍ଢପଲ

ବ୍ଳକ୍‌ ପରିସରରେ ଅଧିକାରୀ ହଟହଟା, ପଶିପାରିଲେନି ଜିଲ୍ଲାପାଳ

ରାଜନଗର/କେନ୍ଦ୍ରାପଡ଼ା : ଜିଲ୍ଲାପାଳଙ୍କୁ ଘେରିଲେ ଷଣ୍ଢ! କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ କାର୍ଯ୍ୟାଳୟରେ ଆଜି ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଷଣ୍ଢ ଉତ୍ପାତରେ ଅତିଷ୍ଠ ଚାଷୀମାନେ ଅଭିନବ ପ୍ରତିବାଦ ଜଣାଇବାକୁ ଯାଇ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଏପରି କାଣ୍ଡ ଭିଆଇଛନ୍ତି। ଦୁଇ ଶହରୁ ଅଧିକ ଷଣ୍ଢଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ପୂରାଇ ବାହାରେ ଚାଷୀମାନେ ଠେଙ୍ଗା ଧରି ଜଗି ବସିବାରୁ ସାଂଘାତିକ ପରିସ୍ଥିତି ଉପୁଜିଥିଲା। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଶୁଣାଣିକୁ ଆସିଥିବା ବହୁ ଲୋକ ଷଣ୍ଢ ଭୟରେ ଭିତରକୁ ଯାଇପାରି ନ ଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଲ୍ଲେଖଯୋଗ୍ୟ, ରାଜନଗର ବ୍ଲକରେ ଷଣ୍ଢଙ୍କ ଯୋଗୁଁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳରେ ଶହଶହ ଏକର ଫସଲ ଖାଇ ନଷ୍ଟ କରିଦେଉଥିବା ବେଳେ ଷଣ୍ଢ ଯୋଗୁଁ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଭଳି ସମସ୍ୟା ଭିତରେ ଗତ ୧୯ତାରିଖରେ ପୁଲିସ ଏକ ଟ୍ରକ୍ ଜବତ କରି ପ୍ରାୟ ୨୦ରୁ ଅଧିକ ଷଣ୍ଢଙ୍କୁ ରାଜନଗରରେ ଛାଡ଼ିଦେବା ଘଟଣା ଚାଷୀଙ୍କୁ ଅଧିକ ଅତିଷ୍ଠ କରି ଦେଇଥିଲା। ଗୋଟିଏ ପଟେ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ନ ଶୁଣିବା ଏବଂ ଅନ୍ୟପଟେ ଖୋଦ୍ ପୁଲିସ ଆଣି ଷଣ୍ଢ ଛାଡ଼ିଦେବା ଘଟଣା ଚାଷୀଙ୍କୁ କ୍ଷୁବ୍ଧ କରିବା ଘଟଣାର ପ୍ରତିଫଳନ ଆଜି ରାଜନଗର ବ୍ଲକ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଦେଖିବାକୁ ମିଳିଥିଲା । ଶୁଣାଣି ପୂର୍ବରୁ ଚାଷୀମାନେ ଏକଜୁଟ ହୋଇ ଅଭିନବ ପ୍ରତିବାଦ ଆରମ୍ଭ କରିଥିଲେ। ରାଜନଗର ବଜାର, ଗାଁ ଓ ହଂସୁଆସେତୁ ଉପରେ ଥିବା ଶହଶହ ଷଣ୍ଢଙ୍କୁ ଗୋଡାଇ ଗୋଡାଇ ଆଣି ବ୍ଲକ ଅଫିସ ପରିସରେ ପୂରାଇ ଦେଇଥିଲେ। ପରେ ଶତାଧିକ ଚାଷୀ ବ୍ଲକ ପ୍ରବେଶପଥରେ ଠେଙ୍ଗାଧରି ଜଗି ରହିଥିଲେ । ବାହାରକୁ ନ ଛାଡ଼ିବାରୁ ପରିସର ଭିତରେ ଥିବା ପ୍ରାୟ ୨ଶହରୁ ଅଧିକ ଷଣ୍ଢ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥଲା। ଷଣ୍ଢ ଲଢ଼େଇରେ ସେଠାରେ ଥିବା କେତୋଟି ମଟର ସାଇକଲ ଓ ଗୋଟିଏ ଟେବୁଲ ଭାଙ୍ଗିଯାଇଥବା ବେଳେ ଜନଶୁଣାଣି ଶିବିର ତଥା ବ୍ଲକ, ତହସିଲ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସିଡିପିଓଙ୍କ କାର୍ଯ୍ୟାଳୟକୁ ଆସିଥିବା ଲୋକମାନେ ବି ଭୟରେ କାର୍ଯ୍ୟାଳୟ ଭିତରକୁ ଯାଇପାରି ନ ଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବି ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପଟେ ଚାଷୀମାନେ ଜିଲ୍ଲାପାଳ ସମସ୍ୟା ସମାଧାନର ପ୍ରତିଶ୍ରୁତି ନ ଦେବା ଯାଏଁ ଷଣ୍ଢ ହଟାଯିବ ନାହିଁ ବୋଲି ଅଡ଼ି ବସିଥିଲେ। ସକାଳ ୮ଟାରୁ ଦିନ ୧୨ଟା ଯାଏଁ ପାଖାପାଖି ୪ଘଣ୍ଟା ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏଭଳି ପରିସ୍ଥିତି ଲାଗି ରହିଥିଲା।

ବିଡିଓ ମନ୍ଦରଧର ମହାଳିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡା, ଆଇଆଇସି ତପନ କୁମାର ନାୟକ ଉତ୍ତ୍ୟକ୍ତ ଚାଷୀଙ୍କୁ ଡାକି ବୁଝାସୁଝା କରିବା ସହ ବୁଧବାର ସମାଧାନର ବାଟ ବାହାର କରାଯିବ ବୋଲି କହିଥିଲେ । ମାତ୍ର ଜିଦ୍‌ରେ ଅଟଳ ଚାଷୀ କିଛି ଶୁଣି ନ ଥିଲେ । କେନ୍ଦ୍ରାପଡା ଏସପି ନିତି ଶେଖର ଘଟଣାରେ ହସ୍ତକ୍ଷେପ କରିଥଲେ । ୨/୩ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୁଲିସ ଫୋର୍ସ ଜରିଆରେ ଷଣ୍ଢପଲଙ୍କୁ ବ୍ଲକ୍ ପରିସରରୁ ବାହାର କରାଯାଇଥିଲା ।

ସମ୍ବନ୍ଧିତ ଖବର