ରାଜନଗର: ରାଜନଗର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡି ବର୍ତ୍ତମାନର ବିଧାୟକ ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଧ୍ରୁବଙ୍କ ଏକାନ୍ତ ଅନୁଗତ ଥିବା କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ଓ ବିଜେପି ନବାଗତ ଯୁବନେତା ଲଳିତ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ଘୋଷଣା ପରେ ରାଜନଗର ବିଜେପି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ପହଞ୍ଚିଛି।
ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ କହିବା କଥା ହେଲା ୪ଶହରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଟିକେଟ ଘୋଷଣା ପୂର୍ବରୁ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ତାଙ୍କୁ ଭେଟି କର୍ମୀ ଓ ଲୋକଙ୍କ ସମର୍ଥନ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲୁ। ମାତ୍ର ସେମାନେ ଶୁଣିଲେ ନାହିଁ। ଯଦି ପ୍ରାର୍ଥୀ ପରିବର୍ତ୍ତନ କରା ନ ଯାଏ, ଆମେ ସମୂହ ଦଳରୁ ଇସ୍ତଫା ଦେବୁ। ଯୁବନେତା ଅଜୟଙ୍କ କହିବା କଥା ହେଲା, ଟିକେଟ ପ୍ରଦାନରେ ପାତରଅନ୍ତର ହୋଇଛି, ଟିକେଟ ପୁନର୍ବିଚାର ଦାବିରେ କର୍ମୀମାନେ ରାସ୍ତାକୁ ଓହ୍ଲାଇ ସାରିଛନ୍ତି। ଆସନ୍ତାକାଲି ଶତାଧିକ କର୍ମକର୍ତ୍ତା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏ ନେଇ ପ୍ରତିବାଦ କରିବେ। ଯୁବନେତା ଅଜୟ ଗତ ୬ ମାସ ଭିତରେ ସର୍ବାଧିକ ୫୦ ମିଶ୍ରଣ ପର୍ବ କରି ବିଜେପି ପ୍ରତି ସ୍ବତନ୍ତ୍ର ମାହୋଲ ସୃଷ୍ଟି କରିଥିଲେ। ତାଙ୍କର ବ୍ୟକ୍ତିଗତ ସଂଗଠନ ରହିଛି।

Advertisment

ଅଲେଖ କୁମାର ଜେନା ୨୦୦୯ରେ ଲଗାତାର ରାଜନଗରରୁ ନିର୍ବାଚନ ଜିତି ଆସୁଥିବା ଓଡ଼ିଶା ରାଜନୀତିର ହେଭିୱେଟ୍‌ ନଳିନୀକାନ୍ତ ମହାନ୍ତିଙ୍କୁ ପରାସ୍ତ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୨୦୧୯ରେ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜେପିରେ ଭୋଟ ହାର ବଢ଼ାଇବାରେ ସକ୍ଷମ ହୋଇଥିଲେ। ଅଜୟ ଓ ଅଲେଖ ଉଭୟ ଲଳିତଙ୍କୁ ବିରୋଧ କରୁଥିବାରୁ ରାଜନଗର ବିଜେପିରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ୬ ଦିନ ହେଲା ଟିକେଟ ଘୋଷଣା ହୋଇଥିଲେ ବି ଲଳିତ ଦଳୀୟ କର୍ମୀଙ୍କ ବିରୋଧ ଯୋଗୁଁ ଆଜିଯାଏ ପ୍ରଚାର ଆରମ୍ଭ କରି ପାରିନାହାନ୍ତି। ଏପରି ସ୍ଥିତିରେ ଯଦି ପ୍ରାର୍ଥୀ ପରିବର୍ତ୍ତନ ହୁଏ, କିଏ ଟିକେଟ ପାଇବ ଓ ପ୍ରାର୍ଥୀ ପରିବର୍ତ୍ତନ ନ ହେଲେ ଅଜୟ ଓ ଅଲେଖଙ୍କ ରଣନୀତି କ’ଣ ରହିବ, ତା ଉପରେ ସମସ୍ତଙ୍କର ନଜର ରହିଛି।