ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସହ ଗୋଟିଏ କ୍ୟାବିନ ପୋଡି ପାଉଁଶ ହୋଇଯାଇଛି। ଏହି ଘରେ ଥିବା ୨୦୦ ପାରା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ରାତି ପ୍ରାୟ ୧ ଟା ସମୟରେ ରାଜନଗର ଗାଁର ଅଭିରାମ ମହାନ୍ତିଙ୍କ ଅଣ୍ଡା ଦୋକାନ ( କ୍ୟାବିନ)ରେ ହୁ ହୁ ହୋଇ ନିଆଁ ଜଳିଥିଲା। ଲୋକେ ନିଆଁ ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରିବାର ଲୋକେ ନିଦରୁ ଉଠିଲା ବେଳକୁ ନିଆଁ ଘରକୁ ବ୍ୟାପି ସାରିଥିଲା।
ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘରୁ ଓ କ୍ୟାବିନରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇନଥିବାରୁ ଘରକୁ ପଶି ପାରିନଥିଲେ। ହେଲେ ନିକଟରେ ଥିବା ଅନ୍ୟ ତିନିଟି କ୍ୟାବିନକୁ ନିଶ୍ଚିତ ଅଗ୍ନିକାଣ୍ଡରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ଫୋନ୍ କରାଗଲେ ବି କେହି ଫୋନ୍ ଉଠାଇନଥିଲେ। ରାଜନଗର ଲୋକେ ଦୁଇ କିଲୋମିଟର ଦୂରସ୍ଥ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟୁତ ବିଚ୍ଛିନ୍ନ କରିଥିଲେ। ସେତେବେଳକୁ ବିଳମ୍ବ ହୋଇ ସାରିଥିବାରୁ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା। ପିନ୍ଧା ଲୁଗା ବ୍ୟତୀତ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନାହିଁ।
ସବୁଠୁ ବଡ଼ କଥା ହେଲା ଅଭିରାମଙ୍କ ପୁଅ ସନାତନ ୨୦୦ ପାରା ରଖିଥିଲେ। ମାତ୍ର ବିଦ୍ୟୁତ କାରଣରୁ ଅଗ୍ନିକାଣ୍ଡ ଘଟିଥିବାରୁ ଘର ଭିତରକୁ ପଶି ହୋଇନଥିଲା କିମ୍ବା ପାରାମାନଙ୍କୁ ମୁକ୍ତ କରାଯାଇ ପାରି ନଥିଲା। ଅଭିରାମ ଅଣ୍ଡା ବ୍ୟବସାୟ କରି ପରିବାର ଭରଣ ପୋଷଣ କରନ୍ତି। ଏକା ସମୟରେ ଜୀବିକା ସହିତ ବାସଗୃହ ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଥିବାରୁ ସେ ଚିନ୍ତିତ ଅଛନ୍ତି।