ଗୋ‌-ସେବାରେ ବ୍ରତୀ ରାଜନନ୍ଦିନୀ: ‘ଗୋସେବାର ଖୁସି ରାଜମହଲରେ ମିଳେନି’

ପୁରୀ : ବଣେଇର ପୂର୍ବତନ ରାଜା ସ୍ବର୍ଗତ କଦମ୍ବ କେଶରୀ ‌ଚନ୍ଦ୍ରଦେଓଙ୍କର ଝିଆରୀ ହେଉଛନ୍ତି ଚିନ୍ମୟୀ। ତାଙ୍କ ଅଜା ହେଉଛନ୍ତି କଳାହାଣ୍ଡି ମଦନପୁର ରାମପୁରର ରାଜା ସ୍ବର୍ଗତ ଦୁର୍ଗାମାଧବ ସିଂହଦେଓ। ପିଲାବେଳୁ ରାଜ ପରିବାରର ଚାକଚକ୍ୟରେ ବଢ଼ିଥିଲେ। କିନ୍ତୁ ମା’ ଉତ୍ପଳ ମଞ୍ଜରୀ ଦେବୀଙ୍କଠାରୁ ପୁରାଣ ଶାସ୍ତ୍ର ଶୁଣିବାବେଳେ ସେବା ମନୋଭାବ ତାଙ୍କ ଭିତରକୁ ଧସେଇ ପଶିଥିଲା। ବଣେଇରେ ତାଙ୍କ ଜେଜେ ୫୮୫ ଏକର ଜମିରେ ରାଜ ପରିବାରର ଏକ ଗୋଶାଳା‌ କରିଥିବା ବେଳେ ସେଠାରେ ନିଜ ମା’ଙ୍କୁ ଗୋମାତାଙ୍କ ସେବା କରିବା ଦେଖି ସେ ବି ଏହାର ଆକର୍ଷଣରେ ପଡ଼ିଥିଲେ। ଯେଉଁଥିପାଇଁ ଗୋସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ଚିନ୍ମୟୀ।

ଚିନ୍ମୟୀଙ୍କ କହିବା ମୁତାବକ, ଯଦିଓ ବଣେଇରେ ତାଙ୍କର ଘର ଅଛି କିନ୍ତୁ ପୁରୀ ସ୍ବର୍ଗଦ୍ବାର ନିକଟରେ ପିଲାବେଳୁ ବଢ଼ି ଆସିଛନ୍ତି। ପିଲାଦିନୁ ଗୋମାତାଙ୍କ ପ୍ରତି ପ୍ରେମ ଯୋଗୁ ସେ ବୁଲା ଗୋରୁଙ୍କ ସେବା କରିବାରେ ନିମଜ୍ଜିତ ହେଲେ। ଶଙ୍କରାଚାର୍ଯ୍ୟ ମଠକୁ ଯାଇ ସେଠାରେ ଗୋଶାଳାରେ ସେବା ଦେଲେ। ଏଣେ ୨୦୧୭ ମସିହାରେ ବାଘ ଆଖଡ଼ା ମଠରେ ଗୋପାଷ୍ଟମୀରେ ଗୋଶାଳା ନିର୍ମିତ ହେଲା। ସନ୍ଥ ପ୍ରଜ୍ଞାନନନ୍ଦ ସରସ୍ବତୀ ଏନେଇ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସନ୍ଧାନରେ ଥିବା ବେଳେ ତାଙ୍କ ନଜରକୁ ଆସିଥିଲେ ଚିନ୍ମୟୀ। ସେବେଠୁ ଚିନ୍ମୟୀ ପ୍ରତ୍ୟେକ ଦିନ ମଠକୁ ଆସି ଗାଈମାନଙ୍କର ସେବା କରନ୍ତି। ଦୁର୍ଘଟଣାଗ୍ରସ୍ତ ଗାଈମାନଙ୍କୁ ଉଦ୍ଧାର କରି ଅଣାଯିବା ପରେ ସେମାନଙ୍କ କ୍ଷତ ସ୍ଥାନରେ ମଲମ ଲଗାଇ ସୁସ୍ଥ କରିବା ପର୍ଯ୍ୟନ୍ତ ଲାଗିପଡ଼ନ୍ତି। ଏ ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିବା ବେଳେ ୪୫୦ରୁ ଅଧିକ ଗାଈଙ୍କ ଚିକିତ୍ସା କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର