ନବରଙ୍ଗପୁର/ବ୍ରହ୍ମପୁର/ବାରପଦା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ୩ଟି ଦଳୀୟ ସଭାରେ ଯୋଗଦେଇଥିଲେ। ଏହିସବୁ ସଭାରେ ଶ୍ରୀ ସିଂହ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କଲାଭଳି ମନ୍ତବ୍ୟ ଦେଇଥିବା ବେଳେ ପ୍ରକାରାନ୍ତରେ ଏକପ୍ରକାର ନିର୍ବାଚନୀ ମାହୋଲ୍ ସୃଷ୍ଟି ହୋଇଥିଲା।
କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ
ନବରଙ୍ଗପୁରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ଦୈନିକ ୧୨ ଘଣ୍ଟାଧରି ଦଳ ପାଇଁ କାର୍ଯ୍ୟ କରିବାକୁ ଏବଂ ବୁଥ୍ରେ ୯୮ ପ୍ରତିଶତ ମତଦାନକୁ ନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
ମନମୋହନଙ୍କ ପ୍ରତିଶ୍ରୁତି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କା ହେବ। କୌଣସି କଟ୍ନି ଛଟ୍ନି କରାନଯାଇ ଚାଷୀଙ୍କୁ ଧାନରେ ଏମ୍ଏସ୍ପି ବାବଦ ୩୧ଶହ ଟଙ୍କା ପ୍ରଦାନ କରାଯିବ। କୃଷିଭିତ୍ତିକ ଶିଳ୍ପ ସହ ୯୨ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା ହେବ। ନଦୀ ସଂଯୋଗୀକରଣ, ପର୍ଯ୍ୟଟନ ଶିଳ୍ପର ବିକାଶ ସହ ଯୁବକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦିଆଯିବ। ୪୦ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ୩ମାସରେ ଅର୍ଥ ଫେରସ୍ତ ପାଇବେ ବୋଲି କହିଥିଲେ।
୬୦ଦିନ ପାଇଁ ପରିଶ୍ରମ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାତରେ ଆଉ ମାତ୍ର ୬୦ ଦିନ ଥିବା କହିଥିଲେ। ତେଣୁ ଦଳୀୟ କର୍ମୀଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଜନାଥ ଆହ୍ବାନ ଦେଇଥିଲେ। ସେହିପରି, ବ୍ରହ୍ମପୂର ସଭାରେ ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଥିଲେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ। ଧନ୍ୟବାଦ ଅର୍ପଣ କରିବାକୁ ଯାଇ ନିଜର ସଂକ୍ଷିପ୍ତ ଭାଷଣରେ ଉପସ୍ଥିତ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲେ। ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଏହାକୁ ଅନ୍ଧ, ମୁକ ଓ ବଧିର ସରକାର ଦର୍ଶାଇବା ସହ ଆଗାମୀ ନିର୍ବାଚନରେ ବିଜେପିକୁ ବିଜୟୀ କରିବା ପାଇଁ, ଆଗାମୀ ୬୦ଦିନ ରାତିଦିନ ଏକ କରି କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।
ରାଜ୍ୟ ନେତୃବୃନ୍ଦଙ୍କ ସମାଗମ
ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ପ୍ରଦୀପ ନାଏକ, ଆଦିତ୍ୟ ମାଢ଼ୀ, ମୁକେଶ ମହାଲିଙ୍ଗ, ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଇଂ. ବଳଭଦ୍ର ମାଝୀ, ଅର୍କ କେଶରୀ ସିଂହଦେଓ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ସାଧାରଣ ସମ୍ପାଦକ କାଳିରାମ ମାଝୀ, ଗୋବିନ୍ଦ ଜୈନଙ୍କ ସମେତ ଜିଲ୍ଲା ସଭାପତି ଓ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବରିଷ୍ଠ ନେତା ରମେଶ ସାହୁ ମଞ୍ଚ ସଂଯୋଜନା କରିଥିଲେ।
ବ୍ରହ୍ମପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ. ନାରାୟଣ ରାଓ, ଜୟନ୍ତ ଷଡ଼ଙ୍ଗୀ, ୫ ସଂସଦୀୟ କ୍ଷେତ୍ର ଯଥା- ପୁରୀ, ଭୁବନେଶ୍ୱର, ଆସିକା, କନ୍ଧମାଳ କ୍ଷେତ୍ରରୁ ଆସିଥିବା ସାଙ୍ଗଠନିକ ଜିଲ୍ଲା ସଭାପତି, ପ୍ରଭାରୀ, ଲୋକସଭା ପ୍ରଭାରୀ, ଲୋକସଭା ସଂଯୋଜକ, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।
ସେହିପରି, ବାରିପଦାଠାରେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଭାସ୍କର ମଢ଼େଇ, ନବଚରଣ ମାଝୀ, ଡାକ୍ତର ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ସୁକାନ୍ତ କୁମାର ନାୟକ, ସୂର୍ଯ୍ୟବଂଶୀ ସୂରଜ ଓ ଗଣେଶରାମ ସିଂ ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ, ପଦ୍ମଲୋଚନ ପଣ୍ଡା ଓ ରଘୁନାଥ ମହାନ୍ତି, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ନେତା ବିରଞ୍ଚିନାରାୟଣ ତ୍ରିପାଠୀ, ସୁକେଶୀ ଓରାମ୍, କୃଷ୍ଣଚନ୍ଦ୍ର ମହାପାତ୍ର, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ମହେଶ୍ବର ସାହୁ, କାନ୍ଦ୍ରା ସୋରେନ, କୃପାସିନ୍ଧୁ ମହାନ୍ତ, ଉମାକାନ୍ତ ମହାପାତ୍ର, ହେମନ୍ତ ପାଢୀ, ଆୟୁଷ୍ମାନ ସବୁଜ ମହାନ୍ତ ବୁରାମ, ପୁରୁଷୋତ୍ତମ ନାୟକ, ସଞ୍ଜୀବ ମହାନ୍ତି, ଲମ୍ବୋଦର ନାୟକ, ଆଶୁତୋଷ ପରିଡ଼ା, ଛୋଟେଲାଲ ମହାନ୍ତ, କବି ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/sfhsffhhhh.jpg)