ତିତଲି ପ୍ରଭାବିତଙ୍କ ପାଇଁ ଓଡ଼ିଶାକୁ ଅତିରିକ୍ତ ସହାୟତା ରାଶି ମଞ୍ଜୁର, ମିଳିଲା ୧୦୨୩ କୋଟି

ନୂଆଦିଲ୍ଲୀ: ତିତ୍‌ଲି ପ୍ରଭାବିତଙ୍କ ପାଇଁ  ଓଡ଼ିଶାକୁ ଅତିରିକ୍ତ ସହାୟତା ରାଶିର ମଞ୍ଜୁରୀ ମିଳିଛି। ଓଡ଼ିଶାକୁ ୧୦୨୩କୋଟି ୫୯ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି  ମିଳିଥିବା ନେଇ ଗୃହମନ୍ତ୍ରାଳୟ ଟୁଇଟ କରି ଜଣାଇଛି। ତେବେ ଏହି ସହାୟତା ମଞ୍ଜୁର ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ତେବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ଏହି ସହାୟତା ମଞ୍ଜୁର ହୋଇଥିବା ଗୃହମନ୍ତ୍ରାଳୟ ଜଣାଇଛି।

କେବଳ ଏତିକି ନୁହେଁ, ଏହି ସହାୟତା ମଞ୍ଜୁର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ଫୋନ୍‌ ମଧ୍ୟ କରିଥିଲେ। ଓଡ଼ିଶା ଭଳି ତ୍ରିପୁରାକୁ ମଧ୍ୟ ୨୬୮ କୋଟିର ସହାୟତା ରାଶି ମଞ୍ଜୁର ହୋଇଛି।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କୃଷିମନ୍ତ୍ରୀ ରାଧାମୋହନ ସିଂହ, ସ୍ୱରାଷ୍ଟ୍ର ସଚିବ ରାଜୀବ ଗୁହା, ଅର୍ଥ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ। ଏହି ବୈଠକରେ ଓଡ଼ିଶା ଓ ତ୍ରିପୁରାରେ ପୁନର୍ବାସ ଓ ଥଇଥାନ କାର୍ଯ୍ୟ ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଅନୁମୋଦନ ହୋଇଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ଟିମ୍‌ ଓଡ଼ିଶା ଗସ୍ତରେ ଆସି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ୧୭ଟି ଜିଲ୍ଲାରେ ତିତଲି ବାତ୍ୟା ଓ ବନ୍ୟା ଯୋଗୁ ୧୨୮ଟି ବ୍ଲକର ୬୦.୩୧ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।

ସମ୍ବନ୍ଧିତ ଖବର