ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣା, ଦିଲ୍ଲୀରେ ସୁନିତଙ୍କ ଶେଷକୃତ୍ୟ ସମ୍ପନ୍ନ, ସମବେଦନା‌ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଭଞ୍ଜନଗର : ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପାଇଲଟ୍ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଳିଆପଲ୍ଲୀ ଗ୍ରାମର ସୁନିତ ମହାନ୍ତିଙ୍କ ଶେଷକୃତ୍ୟ ଗତକାଲି ଦିଲ୍ଲୀରେ ସଂପନ୍ନ ହୋଇଛି। ଗତକାଲି ଦିନ ୧୧ଟା ବେଳେ ସୁନିତଙ୍କ ପାର୍ଥିବ ଶରୀରକୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆ ଯାଇଥିଲା। ସେଠାରେ ପରିବାରବର୍ଗଙ୍କ ସମେତ ପୈତୃକ ଗାଁରୁ ଯାଇଥିବା ସମ୍ପର୍କୀୟମାନେ ଶେଷ ଦର୍ଶନ କରିଥିଲେ। ଅପରାହ୍ନ ଗୋଟାଏରେ ଶବକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ୱାର୍ ସିମେଟ୍ରିକୁ ନିଆଯାଇ ସେଠାରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ଏହା‌ପରେ ସେଠାରେ ସୁନିତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ନେଇ ପିତା ସୁରେନ୍ଦ୍ର ନାଥ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସୁନିତଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସୂଚନା ଥାଉକି, ଗତ ୩ ତାରିଖରେ ବାୟୁସେନାର ଏ-ଏନ-୩୨ ବିମାନ ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିଲା। ୯ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ବିମାନର ଭଗ୍ନାଂଶ ମିଳିବା ପରେ ସେଥିରେ ଥିବା ସମସ୍ତ ୧୩ କ୍ରିଉ ସଦସ୍ୟଙ୍କୁ ବାୟୁସେନା ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର