ବିଜେପି ପାଇଁ ଭୋଟ ମାଗିଲେ ରାଜନାଥ : ସ୍ବପ୍ନ ବାଣ୍ଟିଲେ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ନୟାଗଡ଼/ କିଶନନଗର /କରଞ୍ଜିଆ/ଠାକୁରମୁଣ୍ଡା/ତାଟୋ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ନୟାଗଡ଼ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଇରାନୀ ରାୟ ଓ ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କ ପାଇଁ ଭୋଟ୍ ନିବେଦନ କରିଛନ୍ତି। ନିର୍ବାଚନୀ ଭାଷଣରେ ରାଜନାଥ ରାଜ୍ୟ ସରକାରଙ୍କ ବିେରାଧରେ ଅସନ୍ତୋଷ ଝାଡିଥିଲେ।

ରାଜନାଥ କହିଥିଲେ, ବିଜେଡି ଏଠି ୨୦ ବର୍ଷର ଶାସନ କରିଛି ସତ, କିନ୍ତୁ ଆଜି ବି ମୌଳିକ ସୁବିଧା ଅପହଞ୍ଚ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରେ ନୟାଗଡ଼ ଜିଲ୍ଲା ପଛରେ ପଡ଼ିଛି। ଗୋଟିଏ ଅଞ୍ଚଳର ବିକାଶ ପାଇଁ ୨୦ ବର୍ଷ ଯଥେଷ୍ଟ ସମୟ। କିନ୍ତୁ ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଏହି ସମସ୍ୟା ଦୂର କରିପାରିନି। ନୟାଗଡ଼ର ପ୍ରମୁଖ ସମସ୍ୟା ହେଉଛି ଚାଷୀ ଓ ଚାଷ। ଏଠାରେ ଜଳସେଚନର ସୁବିଧା ଠିକ୍ ଭାବେ ହୋଇପାରିନି। ଚାଷ ଜମି ଶୁଖିଲା ପଡ଼ିଛି। ଚିନିକଳର ଅବସ୍ଥା କ’ଣ ହୋଇଛି, ତାକୁ ବୁଝିବାକୁ କାହାରି ପାଖରେ ସମୟ ନାହିଁ। ଯଦି ଚଳିତ ନିର୍ବାଚନରେ ବିଜେପି ଜିତେ ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ଯାହା ସହଯୋଗ ଆବଶ୍ୟକ କେନ୍ଦ୍ର ସରକାର ସବୁକିଛି ଯୋଗାଇ ଦେବ। ଚିନିକଳ ପୁଣି ଥରେ ଆରମ୍ଭ ହେବ। ଆବଶ୍ୟକ ପଡ଼ିଲେ ପୁଣି ଏକ ନୂଆ ଚିନିକଳ ଖୋଲି ଚାଷୀଙ୍କ ସମସ୍ୟା ଦୂର କରାଯିବ। ଏହି ଅବସରରେ ନବୀନ ସରକାରଙ୍କ ଉପରେ ବି ବର୍ଷିଥିଲେ ରାଜନାଥ। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ସ୍ୱର୍ଗତ ହେମେନ୍ଦ୍ର ସିଂହଙ୍କ ପ୍ରତି ହୋଇଥିବା ଅନ୍ୟାୟର ବଦ୍‌ଲା ନେବାକୁ ସୁଯୋଗ ଦେବାକୁ ନିବେଦନ କରିଥିଲେ। ଏହି ଅବସରରେ ଗଗନ ମହାପାତ୍ର, ପୂର୍ବତନ ନଗରପାଳ ନିରୁପମା ଖଟେଇ, ସଂଧ୍ୟାରାଣୀ ପଟ୍ଟନାୟକ ପ୍ରମୁଖ ବିଜେପିରେ ସାମିଲ୍ ହୋଇଥିଲେ। ପୁରୀ ଲୋକସଭା ପାଇଁ ବିଜେପି ଆଜି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ସନ୍ନ୍ୟାସୀ ନାୟକ, ବିଜେପି ନେତା ଶ୍ରୀକାନ୍ତ ଖଟେଇ, ଚନ୍ଦ୍ରବିଜୟୀ ମିଶ୍ର, ଯୁବ ନେତା ସନ୍ତୋଷ ପ୍ରଧାନ ଓ ଦୁର୍ଯ୍ୟୋଧନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

କଟକ ଜିଲ୍ଲାର କିଶନନଗର ହାଇସ୍କୁଲ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜନାଥ କଟକ ଲୋକସଭା ବିଜେପି  ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କୁ ଭୋଟ ଦେବାପାଇଁ ଆହ୍ୱାନ ଦେଇଥିଲେ। ବିଜେପି କ୍ଷମତାକୁ ଆସିଲେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଓ ରନ୍ଧନ ଗ୍ୟାସ ମିଳିବାର ପ୍ରତିଶ୍ରୁତି ଦେବା ସହ ୫ ବର୍ଷରେ ଦେଶରୁ ଗରିବି ହଟିବ ବୋଲି ଶ୍ରୀ ସିଂ କହିଥିଲେ। ରାଜନାଥ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ଏବଂ ବିଜେଡି ସରକାରକୁ ସିଧାସଳଖ ସମାଲୋଚନା କରିଥିଲେ। ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ସବସିଡି ଆଦି ପ୍ରଦାନ କରି ମୋଦି ସରକାର ସଞ୍ଚୟ କରିଥିବା ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓଡିଶା ପରି ଗରିବ ରାଜ୍ୟର ବିକାଶରେ ଖର୍ଚ୍ଚ କରାଯିବ ବୋଲି ରାଜନାଥ କହିଥିଲେ।

ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସମ୍ପାଦକ ଦିଲ୍ଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ ମହିଳା ସମ୍ପାଦିକା ପ୍ରତିଭା ଶତପଥୀ, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ମିଲଟନ ନାୟକ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସମ୍ପାଦକ ସତ୍ୟ ଜେନା ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର କେନାଲ ପଡ଼ଆରେ ଆୟୋଜିତ ସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ କରଞ୍ଜିଆର ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ ରାଜନାଥ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଦେଶ ପାଇଁ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଶତ୍ରୁକୁ ଉଚିତ୍‌ ଜବାବ ଦିଆଯିବ। ଗତ ଥର ଭଦ୍ରକ ଆସିଥିଲି। ପୁଲୱାମାରେ ଆତଙ୍କୀ ହମଲାରେ ୪୦ ଜଣ ଯବାନଙ୍କ ପ୍ରାଣ ଚାଲିଗଲା। ମାତ୍ର ୧୩ ଦିନ ଭିତରେ କଡ଼ା ଜବାବ ଦିଆଗଲା। କିନ୍ତୁ କେତେକ ବ୍ୟକ୍ତି ବିଶେଷ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି। ଅଥଚ ୧୯୭୨ ମସିହାରେ ପାକିସ୍ତାନକୁ ମାଟି ଚଟାଇଥିବା ଭାରତୀୟ ସୈନ୍ୟମାନଙ୍କ ଉଦେଶ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ବାଜପେୟୀ ପ୍ରଶଂସା କରିବାକୁ ପଛେଇ ନଥିଲେ। ତେବେ ସମାନ କାର୍ଯ୍ୟ ପାଇଁ ମୋଦୀଙ୍କୁ କାହିଁକି ପ୍ରଶଂସା କରା ନଯିବ ବୋଲି ରାଜନାଥ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରି ରାଜନାଥ କହିଥିଲେ, ଟଙ୍କାକିଆ ଚାଉଳ, ସ୍ବାସ୍ଥ୍ୟସେବା, ଉଜ୍ଜ୍ବଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ କେନ୍ଦ୍ର ସରକାର ଯୋଗାଉଛି। ଅଥଚ ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୋଲାଉଛନ୍ତି। କରଞ୍ଜିଆକୁ ରେଳ ସଂଯୋଗ କରାଯିବ ବୋଲି ଏହି ଅବସରରେ ରାଜନାଥ ଆଶା େଦଖାଇଥିଲେ।

କରଞ୍ଜିଆ ସଂଯୋଜକ ଯୋଗେନ୍ଦ୍ର ମହାନ୍ତ ଧନ୍ୟବାଦ ଦେଇଥିଲେ। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ କେନ୍ଦୁଝର ପ୍ରଭାରୀ ବିରଞ୍ଜି ନାରାୟଣ ତ୍ରିପାଠୀ, ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, ଗିରିଧାରୀ ପୃଷ୍ଟି, ଅଂଶୁମାନ ସବୁଜ ମହାନ୍ତବର୍ମା, ନବୀନ ରାମ ପ୍ରମୁଖ ମଞ୍ଚାସୀନ ହୋଇ ଉଦ୍‌ବୋଧନ ଦେଇଥିଲେ। ସଭାକୁ ସମ୍ଭିଧାନ ମହାପାତ୍ର, ବିପ୍ଳବ ସଂଖିଆଳ, ଲୁନା ମିଶ୍ର ପରିଚାଳନା କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର