ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏ ପ୍ରାର୍ଥୀ ଘୋଷଣା କରିସାରିଛି। ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍ ଏନ୍ଡିଏର ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ହୋଇଛି। ଏନ୍ଡିଏ ବାହାରେ ଥିବା ସମସ୍ତ ଦଳ ସହ କଥା ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି। ଶ୍ରୀ ସିଂହ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିଲେ ବି ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା ଚାଲିଛି।
ବିଜେଡିର ଲୋକସଭାରେ ଆଦୌ ପ୍ରତିନିଧିତ୍ବ ନ ଥିବା ବେଳେ ରାଜ୍ୟସଭାରେ ସାତ ଜଣ ସାଂସଦ ଅଛନ୍ତି। ବର୍ତ୍ତମାନର ଲୋକସଭା ଓ ରାଜ୍ୟସଭାରେ ସଂଖ୍ୟା ଗଣିତ ଦେଖିଲେ, ଏନ୍ଡିଏ ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ନାହିଁ। ତେଣୁ ରାଜ୍ୟସଭାରେ ବିଜେଡି ସମର୍ଥନ କି ବିରୋଧ ବିଶେଷ ପ୍ରାସଙ୍ଗିକତା ରଖୁନି। ତାହା ସତ୍ତ୍ବେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକ ଭୋଟ୍ ପଡ଼ିବା ପାଇଁ ଉଭୟ ଏନ୍ଡିଏ ଓ ୟୁପିଏ ବିଜେଡିର ସମର୍ଥନ ଲୋଡ଼ିବେ। ଆଉ ଜାତୀୟ ରାଜନୀତିରେ ନିଜ ଉପସ୍ଥିତି ଜାହିର ପାଇଁ ଉପରାଷ୍ଟ୍ରପତି ଉପନିର୍ବାଚନରେ ବିଜେଡିକୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ। କିନ୍ତୁ କୌଣସି ନିଷ୍ପତ୍ତି ନେବା ଦଳ ପାଇଁ ଏତେ ସହଜ ହେବନି। ରାଜନୈତିକ ମହଲରେ ବିଜେଡିର ଆଭିମୁଖ୍ୟକୁ ସମସ୍ତେ ଅପେକ୍ଷା କରିଛନ୍ତି। ପୂର୍ବରୁ ବିଜେଡି ସବୁବେଳେ ସମଦୂରତ୍ବ କଥା କହୁଥିଲେ ବି ଏନ୍ଡିଏକୁ ସମର୍ଥନ କରୁଥିବାର ନଜିର ରହିଛି। ଏଥି ପାଇଁ ବିଜେଡି ଅନେକ ସମୟରେ ସମାଲୋଚିତ ହୋଇଛି।
ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିକୁ ନିଷ୍ପତ୍ତି ନେବା ସହଜ ହୋଇ ନଥିଲା। ଆରମ୍ଭରୁ ବିରୋଧ କରିବ ବୋଲି ଦଳ କହୁଥିଲା। ଶେଷରେ ସାଂସଦଙ୍କ ବିବେକ ଉପରେ ଭୋଟିଂକୁ ଛାଡ଼ି ଦିଆଯାଇଥିଲା। ଏହି ପ୍ରସଙ୍ଗରେ ଦଳ ଭିତରେ ପ୍ରଥମ ଥର ପାଇଁ ବଡ଼ ଧରଣର ବିଦ୍ରୋହର ସୂତ୍ରପାତ ହୋଇଥିଲା। ଯଦିଓ କୌଣସି ଉପାୟରେ ବିଦ୍ରୋହକୁ ସାମୟିକ ଭାବେ ଥମାଇ ଦିଆଯାଇଥିଲା, ତେବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ସେହି ପ୍ରସଙ୍ଗଟି ଦଳୀୟ ନେତା ଓ ଜନତାଙ୍କ ମଧ୍ୟରେ ଏବେ ବି ତାଜା ରହିଛି। ତେଣୁ ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଜେଡିକୁ ବେଶ୍ ସତର୍କତାର ସହ ପଦକ୍ଷେପ ନେବାକୁ ପଡ଼ିବ। ରାଜନୈତିକ ମହଲରେ କହିବା କଥା, ଯଦି ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ରାଜ୍ୟରେ ବିଜେପିର ଅଘୋଷିତ ସହଯୋଗୀ ଭାବେ ଦଳ ଅପବାଦ ମୁଣ୍ଡାଇବ। ଆଉ କଂଗ୍ରେସ ଏଥିରୁ ଫାଇଦା ନେବ। ଯଦି ବିରୋଧୀ ଦଳ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ, ତେବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଭିନ୍ନ ସମୀକରଣର ସମ୍ଭାବନା ରହିଛି। ଆଉ ଯଦି ମତଦାନରୁ ବିଜେଡି ସମ୍ପୂର୍ଣ୍ଣ ବିରତ ରୁହେ, ତେବେ ଦଳ ଜାତୀୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡ଼ିବାର ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/07/ZgJ9S0RICpJ8GDEBnLFU.jpg)