ଭୁବନେଶ୍ବର: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ । ଦିନକ ପରେ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ ଦେବାକୁ ସ୍ୱତନ୍ତ୍ର ଭାବେ ସରକାରଙ୍କ ତରଫରୁ ପ୍ରେସମିଟ୍ ଡକାଯାଇଥିଲା । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପାଳନ ନେଇ କଟକଣା ଲଗାଇଛି ପ୍ରଶାସନ ।
Sambad is now on WhatsApp
Join and get latest news updates delivered to you via WhatsApp
ଏପଟେ ଭୁବନେଶ୍ୱରରେ ଭିଡ଼କୁ ଦେଖି ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଆଜି ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଦୋକାନରେ କିଣିକିଣି ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରି କାଳୀନ କର୍ଫ୍ୟୁ ଲାଗିବ।
ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଆଜି ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।