‘ରାଜପ୍ରସାଦ ବିଜେ’ ନୀତି ସମ୍ପନ୍ନ : ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଅବଗତ ହେଲେ ଗଜପତି

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ ହୋଇଛି। ଦଇତାପତି, ପତିମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ରାଜପ୍ରସାଦ ଶ୍ରୀନଅରକୁ ନେଇ ସେଠାରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ କରାଇଛନ୍ତି। ମହାପ୍ରଭୁ ସୁସ୍ଥ ଅନୁଭବ କରୁଥିବାବେଳେ ଅଣସରକାଳୀନ ଗୁପ୍ତନୀତି ସୁରୁଖୁରରେ ସଂପନ୍ନ ହୋଇଥିବା ଗଜପତି ମହାରାଜାଙ୍କୁ ସୂଚନା ଦିଆଯାଇଛି।

ଆଜି ଶ୍ରୀମନ୍ଦିରରୁ ରାଜନଅରକୁ ବିଜେ ସମୟରେ ବଡ଼ଦାଣ୍ଡ ଚନ୍ଦନର ସୁବାସିତ ବାସ୍ନାରେ ମହକି ଉଠିଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରାଜପ୍ରସାଦ ବିଜେ କରାଯାଉଥିବାରୁ ସମଗ୍ର ବଡ଼ଦାଣ୍ଡ ଚନ୍ଦନ ବାସରେ ଫାଟି ପଡ଼ିଥିଲା। ଏଭଳି ନିଆରା ପରମ୍ପରାକୁ ଦେଖିବା ପାଇଁ ଆଜି ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ଆଜି ପ୍ରଥମ ଭୋଗ ମଣ୍ଡପ ପରେ ଅପରାହ୍‌ଣରେ ରାଜନଅରକୁ ରାଜପ୍ରସାଦ ବିଜେ କରାଯାଇଥିଲା। ଦଇତାପତି ସେବକମାନେ ପାଟବସ୍ତ୍ର ପରିଧାନ କରି ରାଜପ୍ରସାଦକୁ ଏକ ରୁପା ଥାଳିରେ ଶୋଭାଯାତ୍ରା ସହକାରେ ରାଜନଅରକୁ ନେଇଥିଲେ। କରାଳ, ଚନ୍ଦନ ଆଦି ରାଜନଅରକୁ ବିଜେ କରାଯାଇଥିଲା। ବୈଜୟନ୍ତୀ, ବିଜେ କାହାଳି ସହ ବହୁ ଦଇତାପତି ସେବକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀନଅରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜପ୍ରସାଦକୁ ମୁଣ୍ଡରେ ମାରି ଆଶୀର୍ବାଦ ନେଇଥିଲେ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ଖବର ପ୍ରଦାନ କରିବା ସହ ଗୋପନ ସେବା ସମ୍ୱନ୍ଧରେ ମଧ୍ୟ ଗଜପତିଙ୍କୁ ଅବଗତ କରାଇଥିଲେ। ପ୍ରଭୁଙ୍କ ସେବା ଠିକ୍ ଚାଲିଥିବା ଗଜପତି ମହାରାଜଙ୍କୁ ଖବର ଦିଆଯାଇଥିଲା। ଏହି ଖବର ପାଇବା ପରେ ଅଣସର ସେବାରେ ନିୟୋଜିତ ଦଇତାପତି ଓ ପତିମହାପାତ୍ର ସେବାୟତଙ୍କୁ ଶାଢ଼ି ବନ୍ଧାଇ ଗଜପତି ସମ୍ମାନିତ କରିଥିଲେ। ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ। ଶ୍ରୀନଅରରେ ପାଟ୍ଟଶାଣୀ ଏହି ଦଇତାପତି ସେବକଙ୍କୁ ଶାଢ଼ି ବାନ୍ଧିଥିଲେ। ପରେ ରଥଯାତ୍ରା ଓ ଶ୍ରୀମନ୍ଦିର ସଂପର୍କରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଏଥିପାଇଁ ମହାପ୍ରଭୁ ରତ୍ନବେଦି ଛାଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସ୍ନାନଯାତ୍ରାଠାରୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦଇତପତିମାନଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଛି। ନୂତନ ବିଗ୍ରହଙ୍କୁ ଦଶମୂଳ ସମର୍ପଣ, ପ୍ରଥମ ତୁଳସୀ ଲାଗି ହେବା ପରେ ଶ୍ରୀନଅରକୁ ପରମ୍ପରା ଆଧାରରେ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜପ୍ରସାଦ ବିଜେ କରାଯାଇଥିଲା। ପରମ୍ପରା ମୁତାବକ ଶ୍ରୀଜିଉଙ୍କ ଶ୍ରୀଅଙ୍ଗପ୍ରସାଦ ନେଇ ଦଇତାପତି, ବିଦ୍ୟାପତି ସେବକମାନେ ଶ୍ରୀନଅରକୁ ଯାଉଥିବାରୁ ଏହାକୁ ରାଜପ୍ରସାଦ ବିଜେ କୁହାଯାଏ। ରାଜପ୍ରସାଦ ବିଜେ ପୂର୍ବରୁ ଆଜି ଭୋରରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇ ଚନ୍ଦନ ସର୍ବାଙ୍ଗ ହୋଇଥିଲା।

ସମ୍ବନ୍ଧିତ ଖବର