ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନଅରକୁ ରାଜପ୍ରସାଦ ବିଜେ

ଗଜପତିଙ୍କୁ ମହାପ୍ରଭୁ ସୁସ୍ଥ ହେଉଥିବା ଖବର ଜଣାଇଲେ ଦଇତାପତି

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ‘ରାଜପ୍ରସାଦ ବିଜେ’ ନୀତି ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଶନିବାର ଦିନ ଶ୍ରୀନଅରକୁ ବିଜେ ହୋଇଛି। ପତି ମହାପାତ୍ର, ଦଇତାପତି, ଖୁଣ୍ଟିଆ ମେକାପ, ଦେଉଳ କରଣ, ତଢ଼ଉ କରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ‘ରାଜପ୍ରସାଦ’ ଶ୍ରୀନଅରକୁ ନେଇ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। ମହାପ୍ରଭୁ ସୁସ୍ଥ ଅନୁଭବ କରୁଥିବା ବେଳେ ଅଣସରକାଳୀନ ଗୁପ୍ତନୀତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି। ଶନିବାର ଦିନ ଶ୍ରୀମନ୍ଦିରରୁ ରାଜନଅରକୁ ବିଜେ ସମୟରେ ବଡ଼ଦାଣ୍ଡ ଚନ୍ଦନର ସୁବାସିତ ବାସ୍ନାରେ ମହକି ଉଠିଛି।

ଶନିବାର ପ୍ରଥମ ଭୋଗମଣ୍ଡପ ପରେ ଅପରାହ୍ଣରେ ରାଜନଅରକୁ ରାଜପ୍ରସାଦ ବିଜେ କରାଯାଇଥିଲା। ଦଇତାପତି ସେବକମାନେ ପାଟବସ୍ତ୍ର ପରିଧାନ କରି ରାଜପ୍ରସାଦକୁ ଏକ ରୁପା ଥାଳିରେ ଶୋଭାଯାତ୍ରା ସହକାରେ ରାଜନଅରକୁ ନେଇଥିଲେ। କରାଳ, ଚନ୍ଦନ ଆଦି ରାଜନଅରକୁ ବିଜେ କରାଯାଇଥିଲା। ବୈଜୟନ୍ତୀ, ବିଜେ କାହାଳୀ ସହ ଦଇତାପତି ଓ ଅନ୍ୟ ସେବକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀନଅରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ରାଜପ୍ରସାଦକୁ ମୁଣ୍ଡରେ ମାରି ଆଶୀର୍ବାଦ ନେଇଥିଲେ। ଦଇତାପତି ସେବକମାନେ ମହାପ୍ରଭୁ ସୁସ୍ଥ ହେଉଥିବା ଖବର ପ୍ରଦାନ କରିବା ସହ ଗୋପନ ସେବା ସମ୍ୱନ୍ଧରେ ଗଜପତିଙ୍କୁ ଅବଗତ କରିଥିଲେ। ମହାପ୍ରଭୁଙ୍କ ସେବା ଠିକ୍ ଚାଲିଥିବା ଗଜପତି ମହାରାଜାଙ୍କୁ ଖବର ଦିଆଯାଇଥିଲା। ଏହି ଖବର ପାଇବା ପରେ ଅଣସର ସେବାରେ ନିୟୋଜିତ ଦଇତାପତି, ପତି ମହାପାତ୍ର ଓ ଅନ୍ୟ ସେବକଙ୍କୁ ଶାଢ଼ି ବନ୍ଧାଇ ଗଜପତି ସମ୍ମାନିତ କରିଥିଲେ। ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ। ଶ୍ରୀନଅରରେ ପାଟ୍ଟଶାଣୀ ଏହି ଦଇତାପତି ସେବକଙ୍କୁ ଶାଢ଼ି ବାନ୍ଧିଥିଲେ। ପରେ ରଥଯାତ୍ରା ଓ ଶ୍ରୀମନ୍ଦିର ସମ୍ପର୍କିତ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଏଥିପାଇଁ ମହାପ୍ରଭୁ ରତ୍ନବେଦି ଛାଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସ୍ନାନଯାତ୍ରାଠାରୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦଇତପତିମାନଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଛି। ନୂତନ ବିଗ୍ରହଙ୍କୁ ଦଶମୂଳ ସମର୍ପଣ, ପ୍ରଥମ ତୁଳସୀ ଲାଗି ହେବା ପରେ ଶ୍ରୀନଅରକୁ ପରମ୍ପରା ଆଧାରରେ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜପ୍ରସାଦ ବିଜେ କରାଯାଇଥିଲା। ଗତକାଲି ମହାପ୍ରଭୁଙ୍କୁ ଖଣ୍ଡୁ୍ଆ ଲାଗି ସହ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର