ସମସ୍ୟା ଘେରରେ ରାଜସୁନାଖଳା ବୃହତ ଶୁଖୁଆ ବ୍ୟବସାୟ କେନ୍ଦ୍ର

ରଣପୁର, (ବ୍ରଜ ରଣସିଂହ): ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ମଧ୍ୟ ଭାଗରେ ରହିଥିବା ରାଜସୁନାଖଳା ବଜାରର ବୃହତ ଶୁଖୁଆ ବ୍ୟବସାୟିକ କେନ୍ଦ୍ର ଏବେ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଏଥିଯୋଗୁଁ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ବଢିବାରେ ଲାଗିଛି। ଦୀର୍ଘ ବର୍ଷ ହେଲା ରାଜସୁନାଖଳା ବଜାରରେ ଶୁଖୁଆ ବ୍ୟବସାୟ ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ବ୍ୟବସାୟୀ ତଥା ବ୍ୟବସାୟର ଉନ୍ନତୀକରଣ ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ବ୍ୟବସାୟିକ କେନ୍ଦ୍ରଟି ସମସ୍ୟା ଘେରରେ ରହିଥିବା ଜଣାପଡ଼ିଛି।

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ନୟାଗଡ଼ ଯିବା ରାସ୍ତାରେ ପଡ଼େ ରାଜସୁନାଖଳା ବଜାର। ଶୁଖୁଆର ବହୁଳ ବ୍ୟବସାୟ ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତି ଏହାକୁ ଶୁଖୁଆ ବଜାର ଭାବେ ନାମକରଣ କରିଥିବାର ନଜିର ରହିଛି। ସମୁଦ୍ର ନିକଟରେ ରହିଥିବା ବାଲେଶ୍ବର, ପୁରୀ, ଗଞ୍ଜାମ ଆଦି ଅଂଚଳରୁ ଏଠାକୁ ଦୈନିକ ଟ୍ରକ୍‌ ଯାଗେ ଶୁଖୁଆ ବ୍ୟବସାୟ ନିମନ୍ତେ ଆସିଥାଏ। ଏହି ବଜାରରେ ଥିବା ୧୦ଟି ପାଇକାରୀ ଦୋକାନ ବିଭିନ୍ନ ପ୍ରକାରର ଶୁଖୁଆ କ୍ରୟ କରି ରାଜସୁନାଖଳା ବଜାରରେ ଥିବା ୧୫ଟି ଖୁଚୁରା ଦୋକାନ ସମେତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଖୁଚୁରା ଦୋକାନକୁ ଯୋଗାଇଥାନ୍ତି। ଜାତୀୟ ରାଜପଥରେ ଯାଉଥିବା ବିଭିନ୍ନ ଜିଲ୍ଲାର ଯାତ୍ରୀମାନେ ରାସ୍ତାକଡ଼ରେ ଗାଡ଼ି ରଖି ଏଗୁଡ଼ିକୁ କିଣିନେଇଥାନ୍ତି। ଏଠାରେ କାଉଆ, କୋକଲି, ଖଇଙ୍ଗା, ଇଲିସି, କଦଳୀମଞ୍ଜା, ଖାରପାଣିଆ, ମରୁଆ, ପଥରମୁଣ୍ତି, ତାବ୍ଦେଡ଼ା, ବୋରଗ ଆଦି ୮୪ ପ୍ରକାର ଶୁଖୁଆ ସମେତ ଚିଙ୍ଗୁଡ଼ି ଓ ମାଛମଞ୍ଜି ଆଦି ମିଳିଥାଏ। ମାଛମଞ୍ଜିର ମୂଲ୍ୟ ସର୍ବାଧିକ କେଜି ପିଛା ୧୫୦୦ ଟଙ୍କା ହୋଇଥିବା ବେଳେ, ତା’ ତଳକୁ ଇଲିସି ଶୁଖୁଆର ମୂଲ୍ୟ ସର୍ବାଧିକ ରହିଥାଏ। ଓଡ଼ିଆ ଘରର ପଖାଳ ସାଙ୍ଗକୁ ଶୁଖୁଆର ବ୍ୟବହାର ଘରେ ଘରେ ପରିଚିତ। ଭୌଗୋଳିକ ଅବସ୍ଥିତି ସାଙ୍ଗକୁ ବହୁ ପ୍ରକାର ଶୁଖୁଆର ଉପଲବ୍ଧ ଯୋଗୁ ଏଠାରେ ବ୍ୟବସାୟ ଆଶାନୁରୁପ ହୋଇଥାଏ। ଦୈନିକ ବ୍ୟବସାୟୀମାନଙ୍କର ୧୫ ହଜାରରୁ ୨୦ ହଜାର ଟଙ୍କାର ବ୍ୟବସାୟ ହୋଇଥାଏ। ବସ୍‌ରେ ଯାଉଥିବା ଯାତ୍ରୀଟି ରାତିରେ ଶୋଇପଡିଥିବାବେଳେ ରାଜସୁନାଖଳା ବଜାର ଆସିଲେ ଶୁଖୁଆ ଗନ୍ଧରେ ଏହି ସ୍ଥାନକୁ ସହଜରେ ଚିହ୍ନିପାରିଥାଏ। ରାଜ୍ୟ ତଥା ଦେଶ ବାହାରୁ ଏହି ବଜାର ଦେଇ ଅନ୍ୟତ୍ର ଯାଉଥିବା ପର୍ଯ୍ୟଟକମାନେ ଶୁଖୁଆ ବଜାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି କିଣାକିଣି କରିଥାନ୍ତି। ନେତା, ଅଭିନେତା ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଗରିବ ମଣିଷଟିଏ ଏହି ବଜାରରୁ ଶୁଖୁଆ କିଣିଥାନ୍ତି।

ତେବେ ପରିତାପର ବିଷୟ ହେଉଛି, ଦୂରଦୂରାନ୍ତରୁ ବ୍ୟବସାୟ ନିମନ୍ତେ ଆସୁଥିବା ଗ୍ରାହକ ତଥା ପର୍ଯ୍ୟଟକମାନେ ବ୍ୟବସାୟିକ କେନ୍ଦ୍ରର ପାରିପାର୍ଶ୍ବିକ ଅବସ୍ଥାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜାତୀୟ ରାଜପଥର ଦୁଇପାର୍ଶ୍ବରେ ରହିଥିବା ଏହି ଦୋକାନଗୁଡିକ ସମ୍ମୁଖରେ ବ୍ୟବସାୟୀମାନେ ଗାଡି କିମ୍ବା ଯାନବାହନ ରଖି ବ୍ୟବସାୟ କରିବା ସମୟରେ ହଟହଟାର ସମ୍ମୁଖୀନ ହୋଇଥାନ୍ତି। ଘଂଟାଘଂଟା ଧରି ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ରାଜପଥ କଡ଼ରେ ଶୁଖୁଆ ବ୍ୟବସାୟ ହେଉଥିବାରୁ ଶୁଖୁଆ ଆବର୍ଜନା ରାସ୍ତାକଡ଼ରେ ଏଣେତେଣେ ପଡ଼ିରହିବା ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଶୁଖୁଆ ବ୍ୟବସାୟୀ ରାସ୍ତାକଡ଼ରେ ଥିବା ଡ୍ରେନ୍‌ରେ ଆବର୍ଜନା ଫୋପାଡ଼ୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଶୁଖୁଆ ବ୍ୟବସାୟକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟବସାୟୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରି ସମସ୍ତ ବ୍ୟବସାୟୀଙ୍କୂ ଗୋଟିଏ ସ୍ଥାନରେ ବ୍ୟବସାୟ ନିମନ୍ତେ ସ୍ଥାନ ଯୋଗାଇଦେଲେ ବଜାରରେ ଟ୍ରାଫିକ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବା ସହ ଶୁଖୁଆ ଆବର୍ଜନାରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧରୁ ମୁକ୍ତି ମିଳିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଅପରପକ୍ଷେ ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ସାରୁଅ ରାସ୍ତା କଡ଼ରେ ଏବେ ଏହି ଶୁଖୁଆ ବ୍ୟବସାୟ ଜୋର୍‌ ଧରିଥିବା ବେଳେ ସୁନାଖଳା ଶୁଖୁଆ ବଜାର ମାନ୍ଦା ପଡ଼ୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର