ରଜରେ ରାଜୁଭାଇଙ୍କ ରଜ ପାନ

ରାଉରକେଲା: ରଜରେ ରଜ ପାନର ସ୍ବାଦ ନିଆରା। ରଜ ମିଠା ପାନ ଖଣ୍ଡେ ଖାଇ ପାଟି ଲାଲ ନ କଲେ, ରଜ ପାଳନର କିଛି ମାନେ ରହେ ନା। ସ୍ମାର୍ଟ ସିଟି ରାଉରକେଲାରେ ଏମିତି ରଜ ପାନ ଭାଙ୍ଗୁଛନ୍ତି ରଞ୍ଜନ ଭାଇ ଓରଫ ରାଜୁ ଭାଇ l କିଏ କିଏ ଡାକୁଛନ୍ତି ନନା l ଦାମ ଚାଳିଶ କି ପଚାଶ ଟଙ୍କା ନୁହେଁ l ଖଣ୍ଡେ ରଜ ପାନକୁ ମାତ୍ର କୋଡିଏ ଟଙ୍କା l ଏଥିପାଇଁ ତ ତାଙ୍କର ଚାହିଦା ବେଶି l ସେଥିରେ ପୁଣି ନାନା ପ୍ରକାର ମିଠା ମସଲା । ଦୋକାନ ଖୋଲିବା ମାତ୍ର ଜମୁଛି ଲୋକଙ୍କ ଭିଡ l ଆଗରୁ ଅର୍ଡର ଦେଲେ ସଙ୍ଗେ ସଙ୍ଗେ ମିଳିଯାଉଛି l ନ ହେଲେ ଅଧ ଘଣ୍ଟା ଛିଡା ହେବାକୁ ପଡୁଛି । ଦିନ ଗୋଟାଏ ମଧ୍ୟରେ ହଜାରରୁ ଅଧିକ ରଜ ପାନ ବିକୁଛନ୍ତି l ଦିନ ଗୋଟାଏ ପରେ ଦୋକାନ ବନ୍ଦ ହୋଇ ଗଲେ ମଧ୍ୟ ତାଙ୍କୁ ଫୁରସତ୍‌ ମିଳୁନି। ଘରେ ବସି ପାନ ଭାଙ୍ଗୁଛନ୍ତି ସେ l ଲାଭ ହେଉ କି ନ ହେଉ ସହରବାସୀ ରଜ ପାନର ମଜା ଉଠାନ୍ତୁ ବୋଲି କହନ୍ତି ରଞ୍ଜନ l ରାଉରକେଲା ଡିଏଭି ଛକ ମ୍ୟୁଜିକ ସର୍କଲ ପାଖରେ ଜୟ ବଜରଙ୍ଗ ବାଲି ବେଟେଲ ସପ ନାମରେ ତାଙ୍କର ପାନ ଦୋକାନ ରହିଛି l ଦୀର୍ଘ ୨୨ ବର୍ଷ ଧରି ସେଠାରେ ପାନ ବିକୁଛନ୍ତି l ରଜ ମହୋତ୍ସବ ନୁହେଁ ଅନ୍ୟ ଦିନରେ ମଧ୍ୟ ତାଙ୍କ ପାନ ଦୋକାନରେ ଗ୍ରାହକଙ୍କ ବେଶ୍‌ ଭିଡ ଜମୁଛି।

ସମ୍ବନ୍ଧିତ ଖବର