ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ତଥା ଚିତ୍ରୋତ୍ତଳକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ, ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ରାଜୁ ମିଶ୍ରଙ୍କର ଆଜି ଜଟଣୀସ୍ଥିତ ବାସଭବନରେ ପରଲୋକ ହୋଇଛି।  ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଆଜି ପୂର୍ବାହ୍ଣରେ ବ୍ୟାଙ୍କରୁ ଫେରି ଘରେ ବିଶ୍ରାମ ନେଉଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ଓଲିଉଡର ଜଣେ ଅଲ୍‌ରାଉଣ୍ଡର ଥିଲେ ରାଜୁ ମିଶ୍ର। ସେ ଏକାଧାରରେ ଜଣେ ନିର୍ଦ୍ଦେଶକ, ଅଭିନେତା, ସିନେମାଟୋଗ୍ରାଫର୍, ଚିତ୍ରନାଟ୍ୟକାର, ସଂଳାପ ଲେଖକ, କାହାଣୀକାରଏବଂ ସଙ୍ଗୀତକାର ଥିଲେ। ଯଦିଓ ରାଜୁ ମିଶ୍ର ନାମରେ ସେ ଦର୍ଶକ ଓ ସିନେ-ପରିସରରେ ପରିଚିତ ଥିଲେ କିନ୍ତୁ ତାଙ୍କର ପ୍ରକୃତ ନାମ ରାଜଗୋପାଳ ମିଶ୍ର।

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ହାସଲ କରିବା ପରେ ରାଜୁ ମିଶ୍ର ସିନେଜଗତରେ ପ୍ରବେଶ କରିଥିଲେ। ସେ ପ୍ରଥମେ ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ପରେ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ତାଙ୍କ ନିର୍ଦ୍ଦେଶିତ ସଫଳ ତଥା ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଜୋର ଯାର ମୁଲକ ତାର’, ‘ପୁଅ ମୋର କଳାଠାକୁର’, ‘ଚକା ଆଖି ସବୁ ଦେଖୁଛି’, ‘ଆସୁଚି ମୋ କାଳିଆସୁନା’, ‘ପଥର ଖସୁଛି ବଡ଼ ଦେଉଳୁ’, ‘ସାଗର ଗଙ୍ଗା’, ‘ରୂପା ଗାଁର ସୁନାକନିଆଁ’, ‘ଲକ୍ଷ୍ମୀର ଅଭିସାର’, ‘ସତମିଛ’, ‘ସିଂହବାହିନୀ’, ‘ହରି ଭାଇ ହାରେନା’ ଏବଂ ‘ଜୀବନ ମୃତ୍ୟୁ’।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଫିଲ୍ମ ନିର୍ମାଣ ସଂସ୍ଥା ସହ ରାଜୁ ମିଶ୍ରଙ୍କର ଖୁବ୍ ଘନିଷ୍ଠ ସଂପର୍କ ଥିଲା। ସେ ଏହି ବ୍ୟାନରର ଦ୍ବିତୀୟ ସିନେମା ‘ମମତା ମାଗେ ମୂଲ’ରେ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିବା ପରେ କ୍ରମାଗତ ଭାବେ ତିନିଟି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାଗୁଡ଼ିକ ହେଲା ‘ପୁଅ ମୋର କଳାଠାକୁର’, ଚକା ଆଖି ସବୁ ଦେଖୁଛି’ ଏବଂ ‘ଆସୁଛି ମୋ’ କାଳିଆ ସୁନା’। ଲୋକପ୍ରିୟ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଏହିସବୁ ସିନେମା ସୁପରହିଟ୍ ହୋଇଥିଲା।

ରାଜୁ ମିଶ୍ର ନିଜ ନିର୍ଦ୍ଦେଶିତ ସବୁ ସିନେମାରେ ଚିତ୍ରୋତ୍ତଳକର ଦାୟିତ୍ବ ବି ନିର୍ବାହ କରିଥିଲେ। ଏହାଛଡ଼ା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ଏଇ ଆମ ସଂସାର’ ଓ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଜଗା ହାତରେ ପଘା’ ଭଳି ସୁପରହିଟ୍  ସିନେମାର ସିନେମାଟୋଗ୍ରାଫର୍ ଥିଲେ ରାଜୁ ମିଶ୍ର। ସଙ୍ଗୀତକାର ଭାବେ ସେ ‘ଉଲକା’, ‘ସତମିଛ’ ଓ ‘ରୂପା ଗାଁର ସୁନାକନିଆଁ’ ଆଦି ସିନେମାରେ ସ୍ବରସଂଯୋଜନା କରିଥିଲେ। ସେ କେତୋଟି ଓଡ଼ିଆ ମେଗା ଧାରାବାହିକର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ରାଜୁ ମିଶ୍ର ନିକଟରେ ସୁଟିଂ ସରିଥିବା ଓଡ଼ିଆ ଛବି ‘କୋଟିଏରେ ଗୋଟିଏ ମନ’ର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଲେଖିବା ସହିତ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ବି ଦେଇଥିଲେ। ଖାଲି ସେତିକି ନୁହେଁ ସେ ଏହାର ଚିତ୍ରୋତ୍ତଳନ ଦାୟିତ୍ୱ ବି ବହନ କରିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସାମଗ୍ରିକ ଅବଦାନ ଲାଗି ତାଙ୍କୁ ରାଜ୍ୟ ସରକାର ଚଳଚ୍ଚିତ୍ର କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର  ‘ଜୟଦେବ ସମ୍ମାନ’ରେ ସମ୍ମାନିତ କରିଥିଲେ। ଏହା ବାଦ ନିଜର ଚଳଚ୍ଚିତ୍ରକୃତି ଲାଗି ସେ ଏକାଧିକ ବାର ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଚିତ୍ରୋତ୍ତଳକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ରାଜୁ ମିଶ୍ରଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବିୟୋଗ ଚଳଚ୍ଚିତ୍ର ଶିଳ୍ପ ଲାଗି ଏକ ଅପୂରଣୀୟ କ୍ଷତି। ସେ କେବଳ ଜଣେ ସଫଳ ବ୍ୟକ୍ତି ନ ଥିଲେ ଜଣେ ଅନୁଷ୍ଠାନ ଥିଲେ। ତାଙ୍କର ପଥନିର୍ଦ୍ଦେଶରେ ବହୁ କଳାକାର, ନିର୍ଦ୍ଦେଶକ ସୃଷ୍ଟି ହୋଇଛନ୍ତି।

ସମ୍ବନ୍ଧିତ ଖବର