କିଶୋରନଗର: ଗୋପପୁରରେ କୃଷ୍ଣ ବାଲ୍ୟଲୀଳା କରୁଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ନାନା ଷଡ଼୍‌ଯନ୍ତ୍ର ରଚୁଛି କଂସ। ଏପଟେ ସଂଜ ହେଉ ହେଉ ମଥୁରାନଗରୀରେ ଶୁଭୁଛି କଂସଙ୍କ ଅଟ୍ଟହାସ୍ୟ। ଦରବାର ବସାଇ କୃଷ୍ଣଙ୍କ ବଧ ପାଇଁ ରଣନୀତି ଚାଲିଛି। କଂସଙ୍କ ଭୟରେ ଗୋପପୁର ଓ ମଥୁରାନଗରୀରେ ଆତଙ୍କ ଖେଳିଯାଇଥିଲାବେଳେ କଂସ ଦରବାରରେ‌ ଚାଲିଛି ନାଚଗୀତର ଆସର। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଖଣ୍ଡହତା-ପିପଳବାହାଳ ଗଜଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଧନୁଯାତ୍ରା ମହୋତ୍ସବ ପାଇଁ ଏଠାରେ ଏମିତି ପୌରାଣିକ ପରିବେଶ ସୃଷ୍ଟି ହୋଇଥିଲାବେଳେ ମୁକ୍ତାକାଶ ରଙ୍ଗମଞ୍ଚରେ ଏହାକୁ ହଜାର ହଜାର ଲୋକ ଉପ‌ଭୋଗ କରୁଛନ୍ତି। ଧନୁଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗୋପପୁର ପାଲଟିଥିବା ଘୋଷର ଗ୍ରାମରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ପଠାଇଥିବା ଅଷ୍ଟମଲ୍ଲଙ୍କ ନିଧନ ହେବା ସହିତ କାଳୀୟନାଗଙ୍କୁ ଆହ୍ୱାନ କରିଥିଲେ। ରବିବାର କାଳୀୟ ଦଳନ କରିଛନ୍ତି କୃଷ୍ଣ। ଏହାକୁ ନେଇ ଗୋପପୁରରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ନନ୍ଦ ଦରବାରରେ ଉତ୍ସବ ଚାଲିଥିଲାବେଳେ ଏଥିରେ ଅଞ୍ଚଳବାସୀ ସାମିଲ ହୋଇ ଏହାର ମଜା ନେଉଛନ୍ତି। ସେହିପରି ଖଣ୍ଡହତା ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ଚାଲିଥିବା କଂସ ଦରବାରରେ ଚାଲିଛି କୃଷ୍ଣଙ୍କ ବିରୋଧରେ ମନ୍ତ୍ରଣା। କୃ‌ଷ୍ଣଙ୍କୁ ହତ୍ୟା କରି ନିଜକୁ ବିପଦମୁକ୍ତ କରିବାକୁ କଂସ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା ଚଳାଇଛନ୍ତି। ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍‌ ବିଫଳ ହେବା ପରେ କ୍ରୋଧରେ ଜର୍ଜରିତ ହୋଇ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏପ‌ଟେ ତାଙ୍କ ଦରବାରରେ ନୃତ୍ୟଗୀତର ଆସର ଚାଲିଛି। ଅଞ୍ଚଳର କୁନି କଳାକାର ଏଠାରେ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି।

Advertisment

କଂସ ଦରବାରରେ ‘ସମ୍ବାଦ’ ସଂପାଦକ

ମଥୁରାଗଡ଼ର କଂସଙ୍କ ଦରବାରେ ଶନିବାର ରାଜ ଅତିଥି ହୋଇଥିଲେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ। ସେ ମହାରାଜା କଂସଙ୍କ ଆତିଥେୟତ‌ା ପାଇଁ କୃତଜ୍ଞତା ଜଣାଇବା ସହ ଧନୁଯାତ୍ରା ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଓଡ଼ିଶାର ମହାନ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଯୁବପିଢ଼ିକୁ ‌ଯୋଡ଼ିବା ଦିଗରେ ଏହି ଧନୁଯାତ୍ରା ଏକ ପ୍ରମୁଖ ମାଧ୍ୟମ ସାଜିଛି। ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡ଼ିଆ ଅସ୍ମିତାକୁ ଆଗକୁ ନେଇପାରିବ। ଆମ ମାଟିରେ ଅନେକ କାହାଣୀ ଅଛି, ବହୁ ଜାଣିବାର କଥା ଅଛି। ଏହାକୁ ଛାତ୍ରଛାତ୍ରୀ ଓ ଯୁବକଙ୍କ ପାଖରେ ପହଞ୍ଚାଇ ପାରିଲେ ଆମ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ଅଧିକ ସମୃଦ୍ଧ ହୋଇପାରିବ ବୋଲି ସେ କହିଥିଲେ। ଏ ଦିଗରେ ଓଡ଼ିଶାର ୧ ନମ୍ବର ଗଣମାଧ୍ୟମ ଭାବେ ‘ସମ୍ବାଦ ତାର ଉଦ୍ୟମ ଅବ୍ୟାହତ ରଖିଛି। ସାଧାରଣ ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ମିଳୁଥିବାରୁ ଏହି ଉଦ୍ୟମ ନିଶ୍ଚିତ ସଫଳ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଅନ୍ୟତମ ଅତିଥି ଭାବେ କିଶୋରନଗର ଡିଗ୍ରି କଲେଜର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଓ ଯୁବ ଉଦ୍ୟୋଗୀ ଶଶାଙ୍କ ଶେଖର ପ୍ରଧାନ ଯୋଗ ଦେଇଥିଲେ।