ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରଣନୀତି : ଅକଳରେ ପଡ଼ିଲା ରାଜ୍ୟ ବିଜେପି

ନବୀନଙ୍କୁ କୃତଜ୍ଞତା ଜଣାଇଲେ ମୋଦୀ, ନୀତୀଶ; ଟେଲିଫୋନ୍‌ରେ କଥା ହେଲେ ଉଭୟ ନେତା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ କରିଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଉଭୟ ନେତା ଏହି ଅବସରରେ ବେଶ୍‌ କିଛି ସମୟ ପାଇଁ ନବୀନଙ୍କ ସହିତ ଆଲୋଚନା କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନିର୍ବାଚିତ ହେବାର ଶ୍ରେୟ ଯେ ବିଜେଡିକୁ ଯାଉଛି, ଉଭୟଙ୍କ କୃତଜ୍ଞତା ପରୋକ୍ଷରେ ଏକଥା ସୂଚାଇ ଦେଇଛି। ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ବିଜେଡିର ପ୍ରଭାବୀ ଭୂମିକା ସଂପର୍କରେ ଗତ ୪ ଦିନ ଧରି ସବୁ ରାଜନୈତିକ ବିଶେଷଜ୍ଞମାନେ ହିସାବନିକାସ କରୁଥିଲେ।

ଅନ୍ୟପକ୍ଷରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ରଣନୀତିର ପ୍ରଭାବ ଜାତୀୟ ରାଜନୀତିରେ କେତେ ପଡିବ ତାହା ଅଲଗା କଥା। ମାତ୍ର ନିର୍ବାଚନ ବର୍ଷରେ ଓଡ଼ିଶା ରାଜନୀତିକୁ ଏହା ପ୍ରଭାବିତ କରିିବ, ଏଥିରେ ଦୁଇମତ ନାହିଁ। କେନ୍ଦ୍ରୀୟ ନେତା ବାଧ୍ୟବାଧ୍ୟକତା ଛଳରେ ଯେଉଁ ରଣକୌଶଳ ଆପଣାଇଲେ, ସେଥିରେ ବିଜେଡି ଓ ଏହାର ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ସିଂହ ରଡି କରୁଥିବା ରାଜ୍ୟ ବିଜେପିର ମନ ପୋଡିଗଲାଣି। ନବୀନଙ୍କୁ ବିରୋଧ କରି ଯେଉଁ ନେତାମାନେ ବିଜେପିରେ ନିଜର ଭବିଷ୍ୟତ ଖୋଜୁଛନ୍ତି, ସେମାନଙ୍କୁ ମୋଦୀ-ନବୀନ ନୂଆ ସମୀକରଣ ଦ୍ୱିବିଧାରେ ପକାଇ ଦେଇଛି। ଯେଉଁ ନେତାମାନେ ବିଜେଡି ଘର ଛା଼ଡି ବିଜେପିରେ ଆଶ୍ରୟ ନେଇଥିଲେ, ସେମାନେ ମଧ୍ୟ ପ୍ରମାଦ ଗଣିଲେଣି। ସବୁଠାରୁ ବଡ଼ କଥା ହେଉଛି, ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ୧୨୦+ ମିସନ, ୨୦୧୯ ପାଇଁ ନୁହେଁ, ଏକଥା ଏବେ ରାଜନୈତିକ ମହଲରେ ଆଲୋଚନା ହେଲାଣି।

ସଂସଦରେ ଅବା ବିଧାନସଭାରେ ଗୃହ ପରିଚାଳନାରେ ପ୍ରତିପକ୍ଷର ସମର୍ଥନ ହାସଲ କରିବା ଭାରତର ରାଜନୀତି ଇତିହାସରେ କିଛି ନୂଆ କଥା ନୁହେଁ। ଅତୀତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଅନ୍ୟ ଦଳର ସମର୍ଥନ ହାସଲ କରିଛନ୍ତି, ବିଜେଡିର ମଧ୍ୟ। ହେଲେ ବିଜେପି ରାଷ୍ଟ୍ରୀୟ ଅମିତ ଶାହ ନବୀନଙ୍କ ସହିତ ଆଲୋଚନା କରି ସମର୍ଥନ ମାଗିବା ଘଟଣାକୁ ରାଜ୍ୟ ବିଜେପି ନେତା ଗ୍ରହଣ କରିପାରୁନାହାନ୍ତି।

କାରଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କିଛି ମନ୍ତ୍ରୀଙ୍କୁ ଛାଡିଦେଲେ, ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ନବୀନ ପଟ୍ଟନାୟକ ସରକାର ବିରୋଧରେ ସେଭଳି କଠୋର ମନ୍ତବ୍ୟ ଦେଉନଥିଲେ। ବରଂ ନୀତି ଆୟୋଗ ଠାରୁ ଆରମ୍ଭ କରି ଏକାଧିକ କେନ୍ଦ୍ର ସରକାରଙ୍କ ବିଭାଗ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସାବାସୀ ଦେଇଛନ୍ତି। ନୀତିନ ଗ଼ଡକରିଙ୍କ ଭଳି ମନ୍ତ୍ରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଗୋଟିଏ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଏପରି ପରିସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କଠୋର ଆଭିମୁଖ୍ୟ ରାଜ୍ୟ ବିଜେପିର ମନୋବଳ ବଢାଉଥିଲା। ନିୟମିତ ବ୍ୟବଧାନରେ ଶ୍ରୀ ଶାହ ଓଡ଼ିଶା ଆସି ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରୁଥିଲେ। ହେଲେ ଏହି ଘଟଣାରେ ଶ୍ରୀ ଶାହ ବ୍ୟକ୍ତିଗତ ଭାବେ ଫୋନ୍‌ କରି ନବୀନଙ୍କୁ ସାହାଯ୍ୟ ମାଗିବା ପରେ ଏବେ ପୂର୍ବଭଳି କେନ୍ଦ୍ରୀୟ ବିଜେପି କଠୋର ହେବ କି ନାହିଁ, ତାହା କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି।

ଜଣେ ବରିଷ୍ଠ ବିଜେପି ନେତା ନିଜ ନାମ ପ୍ରକାଶ ନ କରି କହିଛନ୍ତି, ଏବେ ଶ୍ରୀ ଶାହ ଆଉ ନବୀନଙ୍କୁ ଭର୍ତ୍ସନା କଲେ ବି ତାହାର ପ୍ରଭାବ ସେଭଳି ଅନୁଭବ ହେବନାହିଁ। ଅତୀତରେ ଯେତେବେଳେ ବି ବିଜେଡିର ସମର୍ଥନ ନିଆଯାଇଥିଲା, ସେତେବେଳେ ଦଳ ପାଖରେ କହିବା ଲାଗି କିଛି ବାହାନା ଥିଲା। ସିବିଆଇ ତଦନ୍ତ ଚାପିବା ଭୟରେ ବିଜେପି ପାଖରେ ବିଜେଡି ଆଶ୍ରୟ ନେଇଛି ବୋଲି କୁହାଯାଉଥିଲା। ଏବେ କିନ୍ତୁ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀମାନେ ଯେଭଳି ଅନୁରୋଧ କରି ସାହାଯ୍ୟ ନେଲେ, ସେଥିରେ ବିଜେପି ଓ କେନ୍ଦ୍ର ସରକାର ଜାତୀୟ ସ୍ତରରେ ନିଜ ସମ୍ମାନ ରଖିଲେ ସତ, ଓଡ଼ିଶାରେ କିନ୍ତୁ ବିଜେପି ଅଡୁଆରେ ପଡିଯାଇଛି।

ରାଜନୈତିକ ମହଲର କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖି କେନ୍ଦ୍ରୀୟ ବିଜେପି ନେତା ଉତ୍ସାହିତ ହୋଇଥିଲେ। ଓଡ଼ିଶାରେ ମିସନ ୧୨୦+ ସ୍ୱପ୍ନ ଫିଙ୍ଗିଥିଲେ ଦଳର ମୁଖିଆ ଅମିତ ଶାହ। ହେଲେ ବିଜେପୁର ଉପନିର୍ବାଚନ, ଏନ୍‌ଏସି ନିର୍ବାଚନ ଓ ବର୍ତମାନର ସ୍ଥିତିକୁ ଦେଖି କେନ୍ଦ୍ରୀୟ ନେତା ବୁଝିଗଲେଣି ଯେ ଶାସକ ଦଳକୁ କ୍ଷମତାରୁ ହଟାଇବା ବିଜେପି ପାଇଁ କଷ୍ଟସାଧ୍ୟ। ରାଜ୍ୟ ବିଜେପି ସଂଗଠିତ ହୋଇପାରୁନାହିଁ, ବରଂ ଦିନକୁ ଦିନ ବିବାଦରେ ଛନ୍ଦି ହୋଇଯାଉଛି। ନେତୃୃତ୍ୱ ଗତ ଚାରିବର୍ଷ ଭିତରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିପାରିଲେ ନାହିଁ। ଦଳର ସ୍ଥିତି ଏଠି ଏତେ ଦୁର୍ବଳ ଯେ ନିଜର ଦଳର ନେତାଙ୍କୁ ପ୍ରାର୍ଥୀ କରିବା ଲାଗି ସ୍ଥାନୀୟ ନେତୃତ୍ୱ ସାହସ ଜୁଟାଇ ପାରୁନାହାନ୍ତି। ବରଂ ବିଜେଡିର ଅସନ୍ତୋଷକୁ ଦଳ ପୁଞ୍ଜି କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ଏଣୁ ଅକଳରେ ପଡିଥିବା କେନ୍ଦ୍ରର ବିଜେପି ନେତାମାନେ ବିଜେଡି ଭଳି ଏକ ଆଞ୍ଚଳିକ ଦଳକୁ ବର୍ତମାନ ସମୟରେ ବିଗାଡିବା ସମ୍ଭାବନା କ୍ଷୀଣ। ଗତ କିଛି ମାସ ଧରି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସଂପର୍କ ଓ ଅକଳରେ ପଡିଥିବା କେନ୍ଦ୍ରକୁ ବିଜେଡିର ସମର୍ଥନ ଏମିତି ହିଁ ସଙ୍କେତ ଦେଉଛି।

ସମ୍ବନ୍ଧିତ ଖବର