ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜୁ ଜନତା ଦଳ ସମର୍ଥନ ପ୍ରସଙ୍ଗ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ବିଜେଡି କିନ୍ତୁ ଏହାକୁ ରାଜ୍ୟ ସ୍ବାର୍ଥ ଜନିତ ନିଷ୍ପତ୍ତି ବୋଲି କହି ଟାଳି ଦେଇଛି। ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ଟେଲିଫୋନ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବି ପାଇଁ ହରିବଂଶଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ପ୍ରସଙ୍ଗ ଘୋଷଣା କରିଥିଲେ।
ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପିସିସି ସଭାପତି ଗଣମାଧ୍ୟମରେ ବିଜେଡିର ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ବିଜେଡି ଦଳର ଅସଲ ରୂପ ପ୍ରକାଶ ପାଇଛି। ଅତୀତରେ ବିମୁଦ୍ରୀକରଣ ଠାରୁ ଆରମ୍ଭ କରି ସିଏଏ, ତିନି ତଲାକ ଓ ରାଜ୍ୟସଭା ନିର୍ବାଚନ ଆଦି ଅନେକ କ୍ଷେତ୍ରରେ ବିଜେପିକୁ ସମର୍ଥନ ଦେଇଆସୁଥିଲେ। କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା ସବୁବେଳେ ବିଜେଡି ସଭାପତି କହିଆସିଛନ୍ତି। କିନ୍ତୁ ଆଜି ସମର୍ଥନ ଦେବା ପରେ ପୁଣି ଥରେ ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ସମ୍ପୂର୍ଣ୍ଣ ଭାବେ ବିଜେପି ସହିତ ଅଛି। ବିଜେପିର ନିର୍ଦ୍ଦେଶରେ ହିଁ ବିଜେଡି ପରିଚାଳିତ ହେଉଛି। ଓଡ଼ିଶାରେ ବିଜେଡି-ବିଜେପି ଦଳ ଏକ। ଲୋକଙ୍କୁ ଅସତ୍ୟ କହି କାହିଁକି ଭୁଆଁ ବୁଲାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ।
ଅନ୍ୟପକ୍ଷରେ ବିଜେଡି ଏ ନେଇ ତତ୍କାଳ ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ସବୁ ଦୃଷ୍ଟିରୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସମୟ ଥିଲା କଂଗ୍ରେସ ସହ ବିଜେଡି ଅଛି ବୋଲି ଅଭିଯୋଗ ହେଉଥିଲା। ଏବେ ବିଜେପି ସହିତ ବିଜେଡି ହାତ ମିଳାଇଛି ବୋଲି କହୁଛନ୍ତି। ବାସ୍ତବରେ କାହା ସହିତ ବିଜେଡି ହାତ ମିଳାଇ ନାହିଁ। ଦଳ ସବୁବେଳେ କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଆସିଛି। ଜାତୀୟ ଓ ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଯାହା ଉଚିତ ସେସବୁକୁ ବିଚାର କରି ପୂର୍ଣ୍ଣ ସ୍ବାଧୀନତାର ସହ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/harivansha.jpg)