ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେବ ବିଜେଡି!

ଭୁବନେଶ୍ୱର : ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ବିଜୁ ଜନତା ଦଳ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡିର ସମର୍ଥନ ମିଳିବା ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଏକ ପ୍ରକାର ସବୁଜ ସଙ୍କେତ ଦେଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି। ୨୦୧୮ରେ ବି ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିଲା।

ଏଥରକ ବି ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀ ଶ୍ରୀ ସିଂହଙ୍କୁ ସମର୍ଥନ କରିବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି।

୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ସଭ୍ୟ ଥିବାବେଳେ ୧୨ ଜଣ ମନୋନୀତ ସଦସ୍ୟ ଅଛନ୍ତି। ସେଥିରୁ ବିଜେପିର ୮୬ ସଦସ୍ୟ ମିଶି ଏନ୍‌ଡିଏର ସଦସ୍ୟ ସଂଖ୍ୟା ୧୧୬ ରହିଥିବାବେଳେ ୟୁପିଏର ୬୦ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ୬୭ ମିଶିବା ପରେ ୧୨୭ ହେଉଛି। ଏନ୍‌ଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବାବେଳେ ୟୁପିଏ ଓ ବିରୋଧୀ ଦଳ ପକ୍ଷରୁ ଆର୍‌ଜେଡି ସାଂସଦ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି। ତେବେ ଏଥରକ ଉପାଧ୍ୟକ୍ଷ ନିର୍ବାଚନରେ ଅଣ ଏନ୍‌ଡିଏ ଦଳ ଭାବେ ବିଜୁ ଜନତା ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ସଂସଦରେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଜିଏସ୍‌ଟି, ତିନି ତଲାକ୍‌ , ଧାରା-୩୭୦ ଉଚ୍ଛେଦ, ସୂଚନା ଅଧିକାର ଆଇନ ସଂଶୋଧନ ପରି ଗୁରୁତ୍ବପୂର୍ଣ୍ଣ ବିଲ୍‌ ପାରିତ କରିବାରେ ସମର୍ଥନ ଦେଇଆସିଛି। ଏଥର ମଧ୍ୟ ସମର୍ଥନ କରିବା ନେଇ ୩ଟି ପ୍ରମୁଖ କାରଣ ରହିଛି। ୨୦୧୮ରେ ସାଂସଦ ଶ୍ରୀ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଏନ୍‌ଡିଏ ତରଫରୁ ସେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ଦ୍ବିତୀୟ କାରଣଟି ହେଲା ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତଥର ବି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତିଙ୍କୁ ଅନୁରୋଧ କରି ସମର୍ଥନ ମାଗିଥିଲେ। ଏଥରକ ବି ମାଗିଛନ୍ତି। ତୃତୀୟ କାରଣଟି ହେଉଛି, ବିଜେଡି ସବୁବେଳେ କହିଆସିଛି ରାଷ୍ଟ୍ର ନିର୍ମାଣରେ ଯାହା ଉଚିତ ସେସବୁ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଇଆସିଛି ଓ ଆଗକୁ ମଧ୍ୟ ଦେବ। ଏସବୁ ଦୃଷ୍ଟିରୁ ବିଜୁ ଜନତା ଦଳ ସୁପ୍ରିମୋ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଏକ ପ୍ରକାର ମନ ସ୍ଥିର କରିଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଆସନ୍ତାକାଲି ସଂସଦରେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ବିପ୍‌ ମଧ୍ୟ ଜାରି କରାଯାଇଛି।

ଜଣେ ବିଜେପି ସାଂସଦ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏଥରକ ରାଜ୍ୟସଭା ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ୧୨୫ରୁ ୧୩୫ ଖଣ୍ଡ ଭୋଟ ମିଳିବ। କାରଣ ବିଜେଡି ସମେତ ଏଆଇଡିଏମ୍‌କେ, ଓ୍ବାଇଏସ୍‌ଆର୍‌ସିପି, ଟିଆର୍‌ଏସ୍‌ ପରି ଅଣ ଏନ୍‌ଡିଏ ଦଳ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ଆଶା ରହିଛି। ରାଜ୍ୟସଭାରେ ବିଜେଡିର ୯ ଜଣ ସଭ୍ୟ ଥିବାବେଳେ ଏଆଇଡିଏମ୍‌କେର ୮ , ଓ୍ବାଇଏସ୍‌ଆର୍‌ସିପିର ୬ ଓ ଟିଆର୍‌ଏସ୍‌ର ୭ ଜଣ ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର