ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଜି : ଏନ୍‌ଡିଏକୁ ବିଜେଡିର ସମର୍ଥନ

ଶେଷ ମୁହୂର୍ତରେ ନିଷ୍ପତ୍ତି ଶୁଣାଇଲେ ନବୀନ, ଅମିତଙ୍କ ପରେ ମୋଦୀ କଥା ହେଲେ

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବ। ଦୁଇଦିନିଆ ମୁମ୍ବାଇ ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଳମ୍ବିତ ରାତିରେ ଏହି ଘୋଷଣା କରିଛନ୍ତି। ଫଳରେ ଗତ ୭୨ ଘଣ୍ଟା ଧରି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ସମଗ୍ର ଦେଶରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି। କେବଳ ସେତିକି ନୁହେଁ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ବିଜୟ ଲାଭ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲା। ଦେଶର ସବୁ ପ୍ରମୁଖ ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଥିଲେ। ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନବୀନ ନିଜର ୯ ଜଣ ସାଂସଦଙ୍କୁ କହିବେ ନା ବିରୋଧୀ ମେଣ୍ଟର ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ସପକ୍ଷରେ ଯିବ ବିଜେଡି ଭୋଟ୍‌, ତାହାକୁ ନେଇ ଦିନତମାମ କଳ୍ପନାଜଳ୍ପନା ଓ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ମୁହଁ ଖୋଲିନଥିଲେ। ଅନାସ୍ଥା ଭୋଟ ଭଳି ନବୀନ ଶେଷ ମୁହୂର୍ତରେ ମାଷ୍ଟରକାର୍ଡ ଖେଳିପାରନ୍ତି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ ଗତକାଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ, ବୁଧବାର ଦଳର ସୁପ୍ରିମୋ ରାଜ୍ୟସଭା ଉପନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଏକଥା ବି ସୂଚନା ମିଳୁଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତରୁ ଫେରିବା ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେବେ।

ମୁଖ୍ୟମନ୍ତ୍ରୀ ଆଜି ରାତିରେ ଦୁଇ ଦିନିିଆ ଗସ୍ତ ସାରି ଫେରିବା ପରେ କହିଛନ୍ତି ଯେ ଜେଡିୟୁ ନେତା ହରିବଂଶଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ କଥା ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମଧ୍ୟ ତାଙ୍କର ଆଲୋଚନା ହୋଇଛି। ଏହି କ୍ରମରେ ବିଜେଡି ହରିବଂଶକୁ ସମର୍ଥନ ଦେବ। ଆଜି ସକାଳେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସଂସଦରେ ଥିବା ବିଜେଡି କାର୍ଯ୍ୟାଳୟକୁ ଯାଇ ସାଂସଦମାନଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲେ।

ଆସନ୍ତାକାଲି ସକାଳ ସାଢେ ୯ଟା ବେଳେ ବିଜେଡି ରାଜ୍ୟସଭା ସାଂସଦମାନଙ୍କର ଏକ ବୈଠକ ବସୁଛି। ଏହି ବୈଠକରେ ଦଳର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଶୁଣାଇବେ।

ଜାତୀୟ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ, ତିନି ସପ୍ତାହ ମଧ୍ୟରେ ନବୀନ ଓ ମୋଦୀଙ୍କ ମଧ୍ୟରେ ଦୁଇଥର ଆଲୋଚନା ହେଲାଣି ଓ ଏନ୍‌ଡିଏର ଅନୁରୋଧକୁ ମୁଖ୍ୟମନ୍ତ୍ରୀ ରଖିଛନ୍ତି। ଖବର ଅନୁସାରେ, ଗତମାସ ୨୦ ତାରିଖରେ ଅନାସ୍ଥା ଭୋଟ ବେଳେ ମଧ୍ୟ ନବୀନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଓ ତା ପରେ ହଠାତ୍‌ ବିଜେଡି ନିଷ୍ପତ୍ତି ବଦଳାଇଥିଲା । ଅନାସ୍ଥା ଆଲୋଚନା ଓ ଭୋଟିଂରୁ ଦୂରେଇ ଯାଇଥିଲା। ଏଣୁ ସ୍ୱାଭାବିକ ଭାବେ ଆସନ୍ତାକାଲି ଏନ୍‌ଡିଏ ସପକ୍ଷରେ ନବୀନ ନିଜ ମତ ରଖିବେ ବୋଲି ଅପରାହ୍ନରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା।

ଉଲ୍ଲେଖଥାଉକି, ପୂର୍ବରୁ ବିରୋଧୀ ମେଣ୍ଟରୁ ଏନ୍‌ସିପି ନେତ୍ରୀ ବନ୍ଦନା ଚୌହାନ ପ୍ରାର୍ଥୀ ହୋଇଥିଲେ ଓ ଦଳର ମୁଖିଆ ଶରଦ ପାଓ୍ଵାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ୍‌ କରି ସମର୍ଥନ ମାଗିଥିଲେ। ମାତ୍ର ଜାତୀୟ ରାଜନୀତିରେ ଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ହଟଚମଟ ହେଲା, ତାହାକୁ ଲକ୍ଷ୍ୟ ରଖି ଏନ୍‌ସିପି ଏହି ଦୌଡରୁ ଓହରିଯାଇଥିଲା। ଶେଷ ମୁହୂର୍ତରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ କଂଗ୍ରେସ ନେତା ବି କେ ହରିପ୍ରସାଦ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ହରିପ୍ରସାଦ ମଧ୍ୟ ଆଜି ଗଣମାଧ୍ୟମକୁ କହିଥିଲେ, ବିଜେଡି ସହିତ ଦଳର ନେତାମାନେ ଯୋଗାଯୋଗରେ ଅଛନ୍ତି। ତେବେ କିଏ ଯୋଗାଯୋଗ କରିଥିଲେ, ସେ ନେଇ ମୁହଁ ଖୋଲିନଥିଲେ।

ଇତିମଧ୍ୟରେ ଶିବସେନାର ୩ ଜଣ ସାଂସଦ ଏନ୍‌ଡିଏକୁ ସମର୍ଥନ ଦେବେ ବୋଲି ଜଣାଇସାରିଲେଣି। ସେହିଭଳି ଅକାଳୀ ଦଳ ମଧ୍ୟ ହରିବଂଶକୁ ସମର୍ଥନ କରିବ। ଟିଆର୍‌ଏସ୍‌ର ସମର୍ଥନ ହାସଲ ଲାଗି ତାର ନେତା କେ ଚନ୍ଦ୍ରଶେଖର ରାଓଙ୍କ ସହିତ ମୋଦୀ ଆଲୋଚନା କରିଥିଲେ। ବିଜେଡି ସମର୍ଥନ ଘୋଷଣା ପରେ ହରିବଂଶ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି।

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ସିଟ୍‌ ଖାଲି ରହିଛି। ଏଣୁ ରାଜ୍ୟସଭାର ଏହି ଦୁଇନମ୍ବର ଆସନକୁ ଦଖଲ କରିବାକୁ ହେଲେ ପ୍ରାର୍ଥୀଙ୍କୁ ୧୨୩ ଜଣ ସଦସ୍ୟଙ୍କ ସମର୍ଥନ ଦରକାର। ବିଜେଡି ସମର୍ଥନ ମିଳିବା ପରେ ଏନଡିଏ ପ୍ରାର୍ଥୀଙ୍କୁ ୧୨୬ଟି ଭୋଟ୍‌ ମିଳିବ ଏବଂ ତାଙ୍କର ବିଜୟ ନିଶ୍ଚିତ ହୋଇଯାଇଛି।

ଏନ୍‌ଡିଏ ହିସାବ ଅନୁସାରେ ରାଜ୍ୟସଭାରେ ମେଣ୍ଟର ୯୧ ସଭ୍ୟ ଥିବା ବେଳେ ଆନ୍ନାଡିଏମକେ, ଟିଆରଏସ, ଓ୍ଵାଇଏସଆର ଏବଂ ଭାରତୀୟ ଲୋକଦଳର ସମର୍ଥନକୁ ମିଶାଇଲେ ଭୋଟ୍‌ ୧୧୭ ହେଉଥିଲା। ବିଜୟ ପାଇଁ ଆହୁରି ୬ଟି ଭୋଟ୍‌ ଦରକାର ପଡ଼ୁଥିଲା। ତେଣୁ ସମସ୍ତଙ୍କ ନଜର ବିଜେଡି ଉପରେ ଥିଲା। ବିଜେଡି (୯) ଆଜି ସମର୍ଥନ ଘୋଷଣା କରିବା ପରେ ଏନଡିଏ ପ୍ରାର୍ଥୀ ସପକ୍ଷରେ ଭୋଟ୍‌ ସଂଖ୍ୟା ୧୨୬ ହୋଇଛି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ହରିପ୍ରସାଦଙ୍କ ସପକ୍ଷରେ ରହିଛି ମାତ୍ର ୧୧୧ ଜଣଙ୍କ ସମର୍ଥନ। ଏଥିରେ ୟୁପିଏର ୬୧ ଥିବା ବେଳେ ତୃଣମୂଳ କଂଗ୍ରେସ (୧୩), ସମାଜବାଦୀ ପାର୍ଟି (୧୩), ଟିଡିପି, ସିପିଏମ୍‌, ଡିଏମକେ, ବିଏସପି. ସିପିଆଇ ଓ ଜେଡିଏସ୍‌, ସ୍ୱାଧୀନ ଓ ମନୋନୀତ ସଭ୍ୟଙ୍କ ଭୋଟ୍‌ ରହିଛି। ତେବେ ପିଡିପି (୨) ଏବଂ ଆପ୍‌ (୩) ଏନଡିଏକୁ ସମର୍ଥନ ଦେବାକୁ ମନା କରିଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଚୁପ୍‌ ରହିଛନ୍ତି।

ଇତିମଧ୍ୟରେ ଆଜି ରାତିରେ ବିଜେଡି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଲୋକସଭାରେ ବାଚସ୍ପତି ଏବଂ ରାଜ୍ୟସଭାରେ ଉପାଧ୍ୟକ୍ଷ ଭଳି ସାମ୍ବିଧାନିକ ପଦବି ପାଇଁ ନିର୍ବାଚନ ସହମତି ଭିତ୍ତିରେ ହେବା ଉଚିତ। କାଲି ହେଉଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସହମତି ଭିତ୍ତିରେ ହେବ ବୋଲି ବିଜେଡି ଅପେକ୍ଷା କରିଥିଲା। କିନ୍ତୁ ଏମିତି କିଛି ହେଲାନାହିଁ। ନିର୍ବାଚନରେ ଜେଡିୟୁ ଏବଂ କଂଗ୍ରେସ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି। ଜେଡିୟୁ ଏବଂ ବିଜେଡି ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଜନ୍ମ ନେଇଥିବାରୁ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ବିଜେଡି ସ୍ଥିର କରିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଦିନେ ଏଆଇସିସିର ଓଡ଼ିଶା ପ୍ରଭାରୀ ଥିଲେ। ଏହି ସମୟରେ ସେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଡ଼ା ଭାଷା ପ୍ରୟୋଗ କରିଥିଲେ।

ସମ୍ବନ୍ଧିତ ଖବର