କିଏ ଯିବେ ରାଜ୍ୟସଭା : ବିଜେଡିରେ ଅଙ୍କ ଛିଡ଼ୁନି

ଏପ୍ରିଲରୁ ଖାଲିପଡ଼ୁଛି ଚାରି ଆସନ, ଚତୁର୍ଥ ଆସନକୁ ଆଖେଇଛି ବିଜେପି

ଭୁବନେଶ୍ବର : ଯେକୌଣସି ମୁହୂର୍ତରେ ଭାରତର ନିର୍ବାଚନ କମିସନ ଖାଲି ପଡୁଥିବା ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ୩ ଜଣ ସାଂସଦ ନରେନ୍ଦ୍ର ସ୍ବାଇଁ (ବିଜେଡି), ସରୋଜିନୀ ହେମ୍ବ୍ରମ୍ (ବିଜେଡି) ଓ ରଂଜୀବ ବିଶ୍ବାଳ (କଂଗ୍ରେସ)ଙ୍କର କାର୍ଯ୍ୟକାଳ ସରୁଛି। ଗତ ସାଧାରଣ ନିର୍ବାଚନରେ ରାଜ୍ୟସଭା ଛାଡି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ େହାଇଛନ୍ତି। ବର୍ଷେ କାର୍ଯ୍ୟକାଳ ନଥିବା ପରିପ୍ରେକ୍ଷୀରେ ଏହି ଆସନରେ ଉପ ନିର୍ବାଚନ ହୋଇନାହିଁ। ଅର୍ଥାତ୍ ଏହି ଆସନ ସେବେଠାରୁ ଖାଲି ରହିଛି।

ବିଧାନସଭାରେ ବିଜେଡିର ସର୍ବାଧିକ ୧୧୩ ଜଣ ବିଧାୟକ ଅଛନ୍ତି। ବିଜେପି ସଦସ୍ୟଙ୍କ ସଂଖ୍ୟା ୨୩, କଂଗ୍ରେସ ୯ ଓ ଜଣେ ସ୍ବାଧୀନ ବିଧାୟକ ଏବଂ ଜଣେ ବାମଦଳ ଦଳ ବିଧାୟକ ଅଛନ୍ତି। ରାଜ୍ୟସଭା ଗଣିତ ଅନୁସାରେ, ଗୋଟିଏ ଆସନ ଜିତିବା ଲାଗି ଜଣେ ପ୍ରାର୍ଥୀଙ୍କୁ ୩୦ଜଣ ବିଧାୟକଙ୍କ ସମର୍ଥନ ଦରକାର। ଅତଏବ, ବିେଜଡି ଅନାୟାସରେ ୩ ଜଣ ସଦସ୍ୟଙ୍କୁ ରାଜ୍ୟସଭା ପଠାଇପାରିବ ଓ ଚତୁର୍ଥ ଆସନ ଲାଗି ବିଜେଡିକୁ ଆଉ ୭ଜଣ ସଦସ୍ୟଙ୍କ ସମର୍ଥନ ଦରକାର।

ସେତିକି (୭) ସଭ୍ୟଙ୍କ ସମର୍ଥନ ହାସଲ କଲେ ବିଜେପି ମଧ୍ୟ ଜଣଙ୍କୁ ରାଜ୍ୟସଭା ପଠାଇପାରିବ। ହେଲେ ଶ୍ରୀ ବିଶ୍ବାଳଙ୍କ ପରେ ଓଡ଼ିଶା କଂଗ୍ରେସ ରାଜ୍ୟସଭା ପ୍ରତିନିଧିତ୍ବ ହରାଇବ। କାରଣ, ନିଜର ପ୍ରାର୍ଥୀଙ୍କୁ ଜିତାଇବା ତ ଦୂରର କଥା, ସ୍ବାଧୀନ ବିଧାୟକ ବା ବାମଦଳ ବିଧାୟକ ସମର୍ଥନ ନ ଦେଲେ, କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସ୍ଥିତିରେ ବି ନାହିଁ।

ରାଜ୍ୟସଭା ନିର୍ବାଚନ କିନ୍ତୁ ନାଟକୀୟ ମୋଡ଼ ନେଇପାରେ। କାରଣ ଚତୁର୍ଥ ଆସନ ଲାଗି କାହା ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏଣୁ ଏହି ଆସନଟି କାହା ପାଖକୁ ଯିବ, ତାହାକୁ ନେଇ ରାଜ୍ୟ ରାଜନୀତିରେ ଅଙ୍କକଷା ଆରମ୍ଭ ହୋଇଗଲାଣି।

ଗୋଟିଏ ସୂତ୍ର କହୁଛି, ଯଦି ୯ ଜଣ ସଦସ୍ୟ ବିଶିଷ୍ଟ କଂଗ୍ରେସ ବିଧାୟକମାନେ ଗୃହରେ ଅନୁପସ୍ଥିତ ରହନ୍ତି ଓ ସ୍ବାଧୀନ ତଥା ବାମଦଳ ବିଧାୟକ ବିଜେଡି ସପକ୍ଷରେ ଯିବେ, ତେବେ ଦଳ ଏହି ଆସନଟିକୁ ମଧ୍ୟ କରାୟତ କରିପାରେ। ହେଲେ ରାଜନୈତିକ ସମୀକରଣ ଦୃଷ୍ଟିରୁ କଂଗ୍ରେସ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ବିଜେଡିକୁ ପରୋକ୍ଷ ସମର୍ଥନ କଲେ ଅକଳରେ ପଡିବ। ବିଜେପିକୁ ଖୋଲା ସମର୍ଥନ ଦେଲେ ବି ଦଳ ପାଇଁ କେବଳ ଅଡୁଆ ହିଁ ଅଡୁଆ। ଏଣୁ କଂଗ୍ରେସ ବିଧାୟକଙ୍କ ଭୂମିକା ଚତୁର୍ଥ ଆସନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିବେଚିତ େହବ।

ଦ୍ବିତୀୟ ସମୀକରଣ ଅନୁସାରେ, ଗତଥର ଆବଶ୍ୟକ ସଂଖ୍ୟା ଥାଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ କହିଲେ ବୋଲି େଗାଟିଏ ରାଜ୍ୟସଭା ଆସନ ଛାଡିଦେଲା ବିଜେଡି। ଏହାକୁ ନେଇ ଦଳକୁ ପରବର୍ତୀ ସମୟରେ ବେଶ୍ ହଲାପଟ୍ଟା ହେବାକୁ ପଡିଛି। ହେଲେ ଏଥର ସେମିତି ହେବା ସମ୍ଭାବନା କମ୍ ବୋଲି କୁହାଯାଉଛି। ଯଦି ଗତଥର ଭଳି ଏଥର ବିଜେଡି-ବିଜେପି ମିଶିକି ପ୍ରାର୍ଥୀ ଦେବେ, ତେବେ ଚତୁର୍ଥ ଆସନ ବିଜେପି ଖାତାକୁ ଯାଇପାରେ। ଅନ୍ୟଥା ବିଜେଡି ପାଖରେ ବିକଳ୍ପ ହେଉଛି, ଅତୀତର ଅଭିଜ୍ଞତା ଆଧାରରେ ଏଭି ସ୍ବାମୀଙ୍କ ଭଳି ଜଣେ ସ୍ବାଧୀନ ପ୍ରାର୍ଥୀ ଦେବ। ଯିଏ କଂଗ୍ରେସ କିମ୍ବା ବିଜେପିର ସମର୍ଥନ ଗୋଟାଇ ଜିତିପାରନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୪ଟି ଆସନ ଲାଗି ବିଜେଡି ଗଣିତ କରୁଛି ଓ ଶୀର୍ଷସ୍ତରରେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏଯାଏ କିନ୍ତୁ ବିଜେପି ତୁଙ୍ଗ ନେତାମାନେ ନବୀନଙ୍କୁ ଆସନ ମାଗିନାହାନ୍ତି। ଅବଶ୍ୟ ଏ ସମୟ ଯାଇନାହିଁ।

ତେବେ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଆଭ୍ୟନ୍ତରୀଣ ରାଜନୀତି ଏବେ ଉଷ୍ଣ। ଏଇଥିପାଇଁ ଯେ ଏଥର ନବୀନ କାହାକୁ ରାଜ୍ୟସଭାକୁ ପଠାଇବେ, ତାହା କେହି ଠଉରାଇ ପାରୁନାହାନ୍ତି। ଏମିତିରେ ବି ବିଜେଡି ପାଇଁ ଏହି ରାଜ୍ୟସଭା ଗଣିତ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଟାଣିଆଣିପାରେ। ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟ୍ ପାଇନଥିବା ଅନେକ ନେତା ରାଜ୍ୟସଭା ଯିବା ଲାଗି ଆଗ୍ରହ ଦେଖାଇବା ସ୍ବାଭାବିକ। କିନ୍ତୁ ବିଜେଡି ଟିକେଟ୍ ନେଇ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ନେତାମାନେ ବି ରାଜ୍ୟସଭା ଟିକେଟ୍‌କୁ ଆଖେଇଛନ୍ତି। ଦଳର ଶୀର୍ଷସ୍ତରର ନେତାଙ୍କୁ ଧରି ଆଶାୟୀମାନେ ଲବି ଜୋର କଲେଣି।

ସ୍ମରଣଯୋଗ୍ୟ ଯେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରି ମୋ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ବର୍ତମାନ ପରିସ୍ଥିତିରେ ସେମାନଙ୍କୁ ପଠାଯିବ କି ନାହିଁ, ସେ ସଙ୍କେତ ଆଉ ନବୀନ ନିବାସରୁ ଆସୁନାହିଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ହିସାବ ଅନୁସାରେ, ନବୀନ କୌଣସି ବି ପରାଜିତ ନେତାଙ୍କୁ ରାଜ୍ୟସଭା ପଠାଇ ନପାରନ୍ତି। ଏ ସଂକ୍ରାନ୍ତରେ ନେଇଥିବା ପୂର୍ବ ନିଷ୍ପତ୍ତିରେ ସେ ଅଟଳ ରହିବା ସମ୍ଭାବନା ଅଧିକ। କାରଣ ଦଳରେ ଗୋଷ୍ଠୀବାଦ ବନ୍ଦ ପାଇଁ ଏହାଠାରୁ ଆଉ ଭଲ ସୂତ୍ର ତାଙ୍କ ପାଖେ ନାହିଁ। ଏପରି ହେଲେ ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ମହେଶ୍ବର ମହାନ୍ତି, କଳିକେଶ ସିଂହଦେଓ, ରବି ଜେନାଙ୍କ ଭଳି ଆଶାୟୀ ନେତାଙ୍କୁ ସେ ଅଟକାଇପାରିବେ।

ଏହି ମହଲର କହିବା କଥା ହେଉଛି, ରାଜ୍ୟସଭାରେ ପଶ୍ଚିମ ଓଡ଼ିଶା (ପ୍ରସନ୍ନ ଆଚାର୍ଯ୍ୟ), ଦକ୍ଷିଣ ଓଡ଼ିଶା (ଭାସ୍କର ରାଓ), ଉପକୂଳ ଓଡ଼ିଶା (ପ୍ରଶାନ୍ତ ନନ୍ଦ)ର ନେତା ଅଛନ୍ତି। ପୂର୍ବତନ ପ୍ରଶାସକ ଅମର ପଟ୍ଟନାୟକ ବିଶେଷଜ୍ଞ ସଭ୍ୟ ଭାବେ ରାଜ୍ୟସଭାକୁ ଯାଇଛନ୍ତି। ସଂଖ୍ୟାଲଘୁ କାର୍ଡ ଖେଳି ନବୀନ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ପଠାଇ ସାରିଛନ୍ତି। ଏଣୁ ଲୋକସଭାରେ ଏକ ତୃତୀୟାଂଶ ମହିଳା ଆସନ କାର୍ଡ ଖେଳି ଚର୍ଚ୍ଚାକୁ ଆସିଥିବା ନବୀନ ଏଥର ଜଣେ ମହିଳାଙ୍କୁ ପଠାଇପାରନ୍ତି।

ସେହିଭଳି ଉତ୍ତର ଓଡ଼ିଶାରୁ ରାଜ୍ୟସଭାକୁ କେହି ପ୍ରତିନିଧିତ୍ବ କରୁନାହାନ୍ତି। ବରଂ ମୟୂରଭଂଜ ଜିଲ୍ଲାରୁ ବିଜେପି ଦ୍ରୌପଦୀ ମୁର୍ମୁ ଓ ଗିରିଶ ମୁର୍ମୁଙ୍କୁ ଉଚ୍ଚ ପଦରେ ଥଇଥାନ କରିସାରିଛି। ଏଭଳିସ୍ଥଳେ ବିଜେଡି ଉତ୍ତର ଓଡ଼ିଶାର ୪ ଜିଲ୍ଲାରୁ ଜଣେ ଆଦିବାସୀ ନେତାଙ୍କୁ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ଏହାବ୍ୟତୀତ ଦଳ ପାଖରେ ଆଉ ଗୋଟିଏ କାର୍ଡ ରହିଛି। ତାହା ହେଉଛି ପଛୁଆ ବର୍ଗ। ଜନଗଣନାରେ ଓବିସି ଓ ଏସଇବିସିଙ୍କ ପାଇଁ ପୃଥକ୍ ଗଣତି କଥା କହି ଚର୍ଚ୍ଚାରେ ଥିବା ନବୀନ ଏ ବର୍ଗରୁ ଜଣେ ରାଜ୍ୟସଭାକୁ ପଠାଇ ବିରୋଧୀଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରିପାରନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଜେଡିର ନିଷ୍ପତ୍ତି ବିଜେପିର ସଙ୍କେତ ଉପରେ ନିର୍ଭର କରୁଛି। ଚାପ କୌଶଳ ପ୍ରୟୋଗ କରି ବା ଆସନ୍ତା ଅଧିବେଶନରେ ବିଧାନ ପରିଷଦ ବିଲ୍ ଆଗତ କରିବା ଆଳରେ ବିଜେପି ଗୋଟିଏ ବା ଦୁଇଟି ଆସନ ମାଗିବା ବିଚିତ୍ର ନୁହେଁ। ଅବଶ୍ୟ ଶିବସେନା ଏନଡିଏରୁ ଦୂରେଇଯିବା କାରଣରୁ ରାଜ୍ୟସଭାରେ ବିଜେଡିର ସହଯୋଗ ଏବେ ବିଜେପି ପାଇଁ ଅତ୍ୟାବଶ୍ୟକ ହୋଇପଡିଛି। ଏଭଳିସ୍ଥଳେ ବିଜେଡିକୁ ପୂର୍ବଭଳି ଡରାଇବା ଅବସ୍ଥାରେ ବିଜେପି ଆଉ ନାହିଁ। ଦିଲ୍ଲୀ ନିର୍ବାଚନ ହାରିବା ପରେ ଭାବମୂର୍ତି ସଙ୍କଟରେ ଥିବା ବିଜେପି ଅଧିକ ଚାପ ପ୍ରୟୋଗ ନ କରି ସାଲିସ୍ କରିପାରେ।

ସମ୍ବନ୍ଧିତ ଖବର