ରାଜ୍ୟସଭା‌ ନିର୍ବାଚନ ପାଇଁ ବିଜ୍ଞପ୍ତି : ୧୩ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ, କିଏ ହେବ ପ୍ରାର୍ଥୀ ବିଜେଡିରେ ଅଙ୍କକଷା

ପ୍ରାର୍ଥୀ ନେଇ ଏଯାଏ ସ୍ପଷ୍ଟ କରିନି ବିଜେପି, ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି

ଭୁବନେଶ୍ବର : ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଆଜି ଭାରତର ନିର୍ବାଚନ କମିସନ ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁଯାୟୀ ଓଡ଼ିଶାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଠାରେ ହେବାକୁ ଥିବା ଚାରିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ବିଧାନସଭାର ସଚିବ ତଥା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଥିଲେ।

ବିଜ୍ଞପ୍ତି ଅନୁଯାୟୀ ଆଜି ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଛୁଟି ଦିବସ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବିଧାନସଭା ସଚିବାଳୟର ସମ୍ମିଳନୀ କକ୍ଷରେ ମନୋନୟନ ପତ୍ର ଦାଖଲ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ୧୬ ତାରିଖରେ ଦାଖଲ କରାଯାଇଥିବା ମନୋନୟନ ପତ୍ରଗୁଡ଼ିକର ଯାଞ୍ଚ୍ କରାଯିବ। ୧୮ ତାରିଖ ଅପରାହ୍ନ ୩ଟା ମଧ୍ୟରେ ମନୋନୟନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଯଦି ୪ରୁ ଅଧିକ ପ୍ରାର୍ଥୀ ଥାଆନ୍ତି, ତେବେ ୨୬ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ବିଧାନସଭା ସଚିବାଳୟର ୫୪ ନମ୍ବର କମିଟି ପ୍ରକୋଷ୍ଠରେ ଭୋଟ୍‌ ଗ୍ରହଣ କରାଯିବ।

ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବା ଏକ ପ୍ରକାର ନିଶ୍ଚିତ। ଚତୁର୍ଥ ଆସନ ପାଇଁ ବିଜେଡି ଓ ବିଜେପି ହାତରେ ସମାନ ସଂଖ୍ୟକ ସଦସ୍ୟ ଅଛନ୍ତି। ହେଲେ ଉଭୟ ବାମ ଦଳ ଓ ସ୍ବାଧୀନ ସଭ୍ୟ ବିଧାୟକଙ୍କ ସମର୍ଥନ ବିଜେଡିକୁ ମିଳିବା ସମ୍ଭାବନା ଅଧିକ ଥିବାରୁ ଦ୍ବିତୀୟ ପସନ୍ଦ ଭୋଟରେ ଏହି ଆସନ ମଧ୍ୟ ଦଳ ହାତକୁ ଯିବା ଅସମ୍ଭବ ନୁହେଁ। କଂଗ୍ରେସ ପାଖରେ ଆବଶ୍ୟକ ୧୦ ଜଣ ସଭ୍ୟ ନାହାନ୍ତି। ବିଜେପିର ୨୩ ଜଣ ସଭ୍ୟ ଅଛନ୍ତି। ଦଳ ଏଯାଏ ପ୍ରାର୍ଥୀ ଦେବ କି ନାହିଁ, ତାହା ସ୍ଥିର ହୋଇନାହିଁ। ଅନ୍ୟପକ୍ଷରେ ବିଜେଡିରୁ କିଏ କିଏ ରାଜ୍ୟସଭାକୁ ଯିବେ ସେ ନେଇ ଏଯାଏ କୌଣସି ସୂଚନା ଦିଆଯାଇନାହିଁ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଦଳ ୧୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ବିଜେଡି ଟିକେଟ୍ ହାସଲ ପାଇଁ ଦଳୀୟ ନେତାମାନେ ଲବି ଚଳାଇଥିବା ବେଳେ ଅବସରପ୍ରାପ୍ତ ନାଲକୋ ସିଏମ୍‌ଡି ତପନ ଚାନ୍ଦ, ସୁଦର୍ଶନ ପଟ୍ଟନାୟକ, କମଲହାସନ୍, ସୁଜିତ୍ କୁମାର, ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମମତା ମହାନ୍ତ ପ୍ରମୁଖଙ୍କ ନାମକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି।

ସମ୍ବନ୍ଧିତ ଖବର