ବାରିପଦା: ମମତା ମହାନ୍ତଙ୍କୁ ବିଜେପି ରାଜ୍ୟସଭା‌ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢ଼ିଛି। ମମତାଙ୍କୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଆଗରୁ ଶୁଣାଯାଉଥିଲା। ମମତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା, ତାହାକୁ ନେଇ ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୦୨୦ ମସିହା‌ରେ ତତ୍‌କାଳୀନ ଶାସକ ଦଳ ବିଜେଡି ମମତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ମମତା କୁଡ଼ୁମୀ ସମ୍ପ୍ରଦାୟର ଉଚ୍ଚଶିକ୍ଷିତା ହୋଇଥିବାରୁ ଏବଂ ମୟୂରଭଞ୍ଜରେ ୫ ଲକ୍ଷରୁ ଊର୍ଦ୍ଧ୍ବ କୁଡ଼ୁମୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ଏହି ଭୋଟ୍‌ବ୍ୟାଙ୍କ ଉପରେ ନଜର ରଖି ଦଳ ତାଙ୍କୁ ସାଂସଦ କରିଥିବା ସେ‌ତେବେଳେ ବେଶ୍‌ ଚର୍ଚ୍ଚା ହୋଇଥିଲା। ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍‌ରେ ଶେଷ ହୋଇଥା’ନ୍ତା। ମାତ୍ର, ଏହାର ବ‌ର୍ଷେ ସାତମାସ ପୂର୍ବରୁ ସେ ବିଜେଡି ଏବଂ ସାଂସଦ ପଦରୁ ଇସ୍ତଫା ଦେଇଦେଇଥି‌ଲେ। ଇସ୍ତଫା ଦେବାପଛରେ ସେ ଯେଉଁସବୁ କାରଣ ଦର୍ଶାଇଥିଲେ, ତାହା ରାଜ୍ୟ ରାଜନୀତି‌ରେ ଚର୍ଚ୍ଚାର ବିଷୟ ପାଲଟିଲା। ଗତ ଜୁଲାଇ ୩୧ ତାରିଖ ଦିନ ସେ ଇସ୍ତଫା ଦେବା ପରେପରେ ସେ କହିଥିଲେ ଯେ ସାଂସଦ ହେବାର ପ୍ରାୟ ୨ ବର୍ଷ ପରେ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କୁ କୋଣଠେସା କରୁଥିଲେ। ବିଶେଷକରି, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଡ଼କୁ ସେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସାଂସଦ ପାଣ୍ଠିକୁ ନେଇ ତାଙ୍କ ସହ ବିବାଦ ରହିଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ, ‘ସାଂସଦ ପାଣ୍ଠି ଖର୍ଚ୍ଚ କରିବାରେ ମୋର କୌଣସି ଭୂମିକା ରହୁନଥିଲା। ମୋତେ ଯେଉଁଠି ଦସ୍ତଖତ କରିବାକୁ କୁହାଯାଉଥିଲା ମୁଁ କରୁଥିଲି।’

Advertisment

ମମତା ଇସ୍ତଫା ଦେବାପରେ ବିଜେପି ତାଙ୍କୁ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ପଦ ଦେଇପାରେ ବୋଲି ଶୁଣିବାକୁ ବି ମିଳୁଥିଲା। ଏପରିକି ଶୁଣିବାକୁ ମିଳୁଥିଲା, ପ୍ରସ୍ତାବିତ ତାଙ୍କୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦିଆଯାଇପାରେ କିମ୍ବା ରାଜ୍ୟସଭାକୁ ପଠାଯାଇପାରେ। ଶେଷରେ, ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ତାଙ୍କୁ ରାଜ୍ୟସଭାର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତେବେ, ଏହିଭଳି ନିଷ୍ପତ୍ତି ପଛରେ କ’ଣ ସବୁ କାରଣ ଥାଇପାରେ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛିଲୋକଙ୍କ ମତ‌ରେ, ସାଂସଦ ପାଣ୍ଠି ପ୍ରସଙ୍ଗ ଉଠାଇ ମମତା ଯେଉଁଭଳି ଭାବେ ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ‌ଟାର୍ଗେଟ୍‌ କଲେ ତାହା ପରୋକ୍ଷରେ ବିଜେପିକୁ ଏକ ଅସ୍ତ୍ର ମିଳିଯାଇଛି। ଦ୍ବିତୀୟରେ, ଏକଦା ବିଜେଡି ଦବ୍‌ଦବା ଥିବା‌ ମୟୂରଭଞ୍ଜ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ବିଜେପି କବ୍‌ଜାରେ ରହିଛି। ମୟୂରଭଞ୍ଜ ଜିଲ୍ଲା ତଥା ଏଠାକାର ଜନଜାତି ସମ୍ପ୍ରଦା‌ୟକୁ ଦଳ ଯେ ଯଥେଷ୍ଟ ଗୁରୁତ୍ବ ଦେଉଛି, ଏହିଭଳି ନିଷ୍ପତ୍ତି ମାଧ୍ୟମରେ ସେମିତି ଏକ ବାର୍ତ୍ତା ଦେବାକୁ ଚାହୁଁଛି। ତୃତୀୟରେ, ଏହାଦ୍ବାରା ବିଜେଡି ଛାଡ଼ି ଆସୁଥିବା ନେତାଙ୍କୁ ଦଳ ଯଥେଷ୍ଟ ଗୁରୁତ୍ବ ଦେଉଛି ‌ବୋଲି ଦଳ ଜଣାଇବାକୁ ଚାହୁଁଛି।

ଏହି ନିଷ୍ପତ୍ତି ପଛରେ ବିଜେପିର ଯାହା ବି ଉଦ୍ଦେଶ୍ୟ ଥାଉନା କାହିଁକି, ମୟୂରଭଞ୍ଜ‌ରେ କିନ୍ତୁ ଖୁସିର ମାହୋଲ୍‌ ଖେଳିଯାଇଛି। ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ କହିଛନ୍ତି, କେନ୍ଦ୍ରରେ ମୋଦୀ ସରକାରଙ୍କୁ ସୁଦୃଢ଼ କରିବା ପାଇଁ ମମତା ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିବା ଦ୍ବାରା ମୟୂରଭଞ୍ଜ ଜିଲ୍ଲାରେ ଦଳ ସୁଦୃଢ଼ ହେବ।