ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ : ୩ଟି ଆସନ ପାଇଁ ନିର୍ବାଚନ ହେବ, ଗୋଟିଏ ଖାଲି ରହିବ

ଭୁବନେଶ୍ବର : ଓଡ଼ିଶାରେ ‌ଖାଲି ହୋଇଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଆଜି ନିର୍ବାଚନ କମିସନ୍ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ଲୋକସଭାକୁ ଏବଂ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହେଲା ପ‌ରେ ଏହି ଚାରିଟି ଆସନ ଖାଲି ପଡ଼ିଥିଲା। ତେବେ ରାଜ୍ୟସଭାର ସଦସ୍ୟ ଥିବା ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହୋଇଥ‌ିଲେ ବି ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳର ଅବଧି ଏକବର୍ଷରୁ କମ୍‌ ଥିବାରୁ ସେହି ଆସନରେ ନିର୍ବାଚନ ହେବ ନାହିଁ ବୋଲି ସୂଚନା ମିଳିଛି।

ନିର୍ବାଚନ କମିସନ୍‌ଙ୍କ ଘୋଷଣା ଅନୁଯାୟୀ ରାଜ୍ୟସଭା ନିର୍ବାଚନ ପାଇଁ ଜୁନ୍ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ହେବ। ପ୍ରାର୍ଥିପତ୍ରଗୁଡ଼ିକୁ ୨୬ ତାରିଖରେ ଯାଞ୍ଚ୍ କରାଯିବ ଓ ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଯଦି ଅଧିକ ପ୍ରାର୍ଥୀ ହୁଅନ୍ତି, ତେବେ ଜୁଲାଇ ୫ ତାରିଖରେ ବିଧାନସଭାରେ ସକାଳ ୯ଟାରୁ
ଅପରାହ୍ନ ୪ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ। ଅପରାହ୍ନ ୫ଟାରେ ଭୋଟ୍‌ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଜୁଲାଇ ୯ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ଅଚ୍ୟୁତ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜ୍ୟସଭା ସଦସ୍ୟତା ୨୦୨୪ ଏପ୍ରିଲ୍‌ ୩ ତାରିଖ ଯାଏ ଥିଲା। ତେଣୁ ଏହି ଦୁଇଟି ଆସନ ପାଇଁ ଯିଏ ପ୍ରାର୍ଥୀ ହେବେ ତାଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ୍‌ ୩ ତାରିଖ ଯାଏ ରହିବ। ସେହିପରି ପ୍ରତାପ ଦେବଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ଯାଏ ଥିଲା। ଏହି ଆସନରେ ଯିଏ ପ୍ରାର୍ଥୀ ହେବେ, ତାଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ୧ ତାରିଖ ଯାଏ ରହିବ।

କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ସଦସ୍ୟତା ୨୦୨୦ ଏପ୍ରିଲ୍‌ ୨ ତାରିଖ ଯାଏ ଥିଲା। ତେଣୁ ଏକ ବର୍ଷରୁ କମ୍ ସମୟ ଥିବାରୁ ସେଠାରେ ନିର୍ବାଚନ ହେବ ନାହିଁ ବୋଲି ଜଣାପଡ଼ିଛି।

ସୂଚନ‌ାଯୋଗ୍ୟ ଯେ ଓଡ଼ିଶାର ତିନିଟି ଆସନ ସହ ଗୁଜୁରାଟର ଦୁଇଟି ଓ ବିହାରର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଥିବା ଅମିତ ଶାହ ଓ ସ୍ମୃତି ଇରାନୀ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ବିହାରରୁ ରାଜ୍ୟସଭା ସଦସ୍ୟ ଥିବା ରବି ଶଙ୍କର ପ୍ରସାଦ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନ ଖାଲି ରହିଛି।

ସମ୍ବନ୍ଧିତ ଖବର