ଭୁବନେଶ୍ବର: ଆସନ୍ତା ଏପ୍ରିଲ ୨ରେ ଖାଲି ହେବାକୁ ଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ନେଇଥିବାବେଳେ ଜଣେ ପ୍ରାର୍ଥୀ ଏହାକୁ ଦାଖଲ କରିଛନ୍ତି। ସେ ହେଉଛନ୍ତି ହାଇଦ୍ରାବାଦର କାନ୍ତେ ସୟନ୍ନା। ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ  ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି। ଶ୍ରୀ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଆଜିଠାରୁ ବିଧାନସଭାର ତଳ ମହଲା ସମ୍ମିଳନୀ କକ୍ଷରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଫର୍ମ ଉପଲବ୍ଧ ହେବ। 

Advertisment

ମାର୍ଚ୍ଚ ୫ ସୁଦ୍ଧା ଯେକୌଣସି ଦିନ ଏହି ସମୟ ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କ ପ୍ରସ୍ତାବକ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୬ ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୯ରେ ପ୍ରାର୍ଥିତ୍ବ ପ୍ରତ୍ୟାହାର ନିମନ୍ତେ ନୋଟିସ୍ ସ୍ବୟଂ ପ୍ରାର୍ଥୀ ଅଥବା ତାହା ଦାଖଲ କରିବା ନିମନ୍ତେ ପ୍ରାର୍ଥୀଙ୍କ ଦ୍ବାରା ଲିଖିତ ଆକାରରେ ପ୍ରାଧିକୃତ ହୋଇଥିବା ପ୍ରସ୍ତାବକ ବା ତାଙ୍କ ନିର୍ବାଚନ ଏଜେଣ୍ଟ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଅପରାହ୍ଣ ୩ଟା ପୂର୍ବରୁ ଦାଖଲ କରିପାରିବେ। 

Indian Navy: ବଙ୍ଗୋପସାଗରରେ ସରିଲା ଭାରତୀୟ ନୌସେନାର ସମରାଭ୍ୟାସ

ଯଦି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାମୂଳକ ହୁଏ ତେବେ ମାର୍ଚ୍ଚ ୧୬‌େର ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ବିଧାନସଭାର କମିଟି ପ୍ରକୋଷ୍ଠ ନଂ-୫୪ରେ ଭୋଟ୍ ଗ୍ରହଣ କରାଯିବ। ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ଏବଂ ନିର୍ବାଚିତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ନାମାଙ୍କନପତ୍ର  ଦାଖଲ ଅବଧି ସରିବାକୁ ଆଉ ୭ ଦିନ ସମୟ ଥିବାବେଳେ ମଝିରେ ୪ଦିନ ସରକାରୀ ଛୁଟି ରହିଛି। ତେଣୁ ଫେବ୍ରୁଆରି ୨୭, ମାର୍ଚ୍ଚ ୨ ଓ ୫ରେ କେଉଁ ଦଳରୁ କିଏ ନାମାଙ୍କନପତ୍ର ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ଅପରପକ୍ଷେ ବିଜେପି ୩ଟି ଆସନ, ବିଜେଡି ୨ଟି ଓ କଂଗ୍ରେସ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି କହିଥିଲେ ହେଁ କେହି ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଚତୁର୍ଥ ଆସନ ନେଇ କୌଣସି ଦଳ ପାଖରେ ଆବଶ୍ୟକୀୟ ଭୋଟ୍ ନଥିବାରୁ ଏହି ଗୋଟିଏ ଆସନକୁ ହାତେଇବାକୁ ବିଜେପି-ବିଜେଡି ଉପରେ, ବିଜେଡି-କଂଗ୍ରେସ/ବିଜେପି ଉପରେ ଏବଂ କଂଗ୍ରେସ-ବିଜେଡି ଉପରେ ନିର୍ଭର କରୁଛନ୍ତି।