ରାଜ୍ୟସଭା ନିର୍ବାଚନ: ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ବର: ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ କେହି ଆଶାୟୀ ନାମାଙ୍କନପତ୍ର ନେଇନାହାନ୍ତି। ମେ’ ୩୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଅବଧି ରହିଛି। ସରକାରୀ ଛୁଟି ବ୍ୟତୀତ ଅନ୍ୟ ସମସ୍ତ ଦିନରେ ସକାଳ ୧୧ଟାରୁ ୩ଟା ମଧ୍ୟରେ ବିଧାନସଭା ସଚିବାଳୟର ସମ୍ମିଳନୀ କକ୍ଷରେ ନାମାଙ୍କନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଅପରପକ୍ଷେ ଏହି ତିନିଟି ଆସନରେ ଜିତିବା ପାଇଁ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠ ବିଧା‌ୟକ ଥିବାରୁ ଅନ୍ୟ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବା ସମ୍ଭାବନା କମ୍‌। ହେଲେ ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବାରୁ ଦଳ ଭିତରେ ସସ୍ପେନ୍ସ ବଢ଼ିଚାଲିଛି। ଏବେ ଏକାଧିକ ଆଶାୟୀ ବିଭିନ୍ନ ମହଲରେ ଲବି ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ବିଜ୍ଞପ୍ତି ଅନୁଯାୟୀ ଜୁନ୍‌ ୧ରେ ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବାବେଳେ ଜୁନ୍‌ ୩ରେ ନାମାଙ୍କନ ପ୍ରତ୍ୟାହାର ହୋଇପାରିବ। ଆବଶ୍ୟକ ହେଲେ ଜୁନ୍‌ ୧୦ରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍‌ଗ୍ରହଣ ହେବା ସହ ଅପରାହ୍ନ ୫ଟାରେ ଭୋଟ୍‌ ଗଣତି କରି ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଜୁନ୍ ୧୩ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ସୂଚନାଯୋଗ୍ୟ ଯେ ଆସନ୍ତା ଜୁଲାଇ ୧ରେ ସାଂସଦ ଏନ୍‌.ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିବ। ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ରାଜ୍ୟସଭା ସାଂସଦ ପଦବିରୁ ସୁବାସ ସିଂହ ଇସ୍ତଫା ଦେଇଥିବାରୁ ଏହି ଅଶଓଡ଼ ପାଇଁ ମେ ୨୬ରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ ସ ୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଜୁନ୍‌ ୧୩ରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ହେବ। ଏହି ଆସନରେ ବି ବିଜେଡି ପ୍ରାର୍ଥୀ ଜିତିବା ନିଶ୍ଚିତ ଥିବାରୁ ଦଳ ସଭାପତି କାହାକୁ ପ୍ରାର୍ଥୀ କରୁଛନ୍ତି ତାହାକୁ ଅପେକ୍ଷା।

ସମ୍ବନ୍ଧିତ ଖବର