ଏନସିଇଆରଟି ପାଠ୍ୟପୁସ୍ତକରେ କଳାହାଣ୍ଡି ବାବଦରେ ଭ୍ରମାତ୍ମକ ତଥ୍ୟ ଘଟଣା : ଏନସିଇଆରଟି ନିର୍ଦ୍ଦେଶକଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ପରବର୍ତ୍ତୀ ପ୍ରକାଶନରେ ସଂଶୋଧନ ପାଇଁ ପ୍ରତିଶୃତି ଦେଲେ

ଭବାନୀପାଟଣା : ଏନସିଇଆରଟି ପଞ୍ଚମ ଶ୍ରେଣୀର ଇଭିଏସ ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭୁଲ ତଥ୍ୟ ଶୀର୍ଷକ ଖବର ସମ୍ବାଦରେ ପ୍ରକାଶ ପାଇଥିଲା । ଏହାକୁ ନେଇ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏନେଇ ଗତକାଲି ରାଜ୍ୟସଭା ସାଂସଦ ସୁଜିତ କୁମାର ଏନସିଇଆରଟି ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତିଙ୍କୁ ଭେଟିଥିଲେ । ପରବର୍ତ୍ତୀ ସଂସ୍କରଣ ପ୍ରକାଶନ ସମୟରେ ଏହାର ସଂଶୋଧନ କରାଯିବ ବୋଲି ନିର୍ଦ୍ଦେଶକଙ୍କ ନିର୍ଭର ପ୍ରତିଶ୍ରୁତି ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଏନସିଇଆରଟି ଦ୍ୱାରା ପଞ୍ଚମ ଶ୍ରେଣୀ ନିମନ୍ତେ ପ୍ରସ୍ତୁତ ପରିବେଶ ବିଜ୍ଞାନ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭୁଲ ତଥ୍ୟ ଦେଇ ଅନାହାରର ଭୂଖଣ୍ଡ ବୋଲି ଚିତ୍ରଣ କରାଯାଇଥିଲା । ଏହାକୁ ନେଇ ସମ୍ବାଦ ରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲାରେ ତୀବ୍ର ପ୍ରକାଶ ପାଇଥିଲା । କଳାହାଣ୍ଡି ଜିଲ୍ଲାରେ ଉପଯୁକ୍ତ ଖାଦ୍ୟ ନ ପାଇ ଲୋକେ ପତ୍ର ଓ କନ୍ଦା ଖାଇ ବଞ୍ଚୁଥିବା ଭଳି ମିଥ୍ୟା ତଥ୍ୟ ଦେଇ କଳାହାଣ୍ଡିବାସୀଙ୍କୁ ଅପମାନିତ କରାଯାଇଥିଲା । କଳାହାଣ୍ଡି ଶସ୍ୟ ଶ୍ୟାମଳା ହେବା ସହିତ ଓଡ଼ିଶାର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବରେ ମାନ୍ୟତା ପାଇଛି । ସେହିଭଳି ଉତ୍କୃଷ୍ଟ କପା ଉତ୍ପାଦନ କରି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରିଛି । ଜିଲ୍ଲାର ଲୋକେ ସରଳ ହୋଇଥିବା ଯୋଗୁଁ ବାହାର ଲୋକେ ଶୋଷଣ କରି ବହିରାଗତ।ମାନଙ୍କ ଚରାଭୁଇଁ ପାଲଟିଛି। ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଯୋଗୁଁ ଗରିବ ହିତାଧିକାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇପାରୁ ନାହାନ୍ତି । ଏନସିଇଆରଟିର ସିବିଏସଇ କୋର୍ସ ଇଭିଏସ ପୁସ୍ତକର ୩୪ ନମ୍ବର ପୃଷ୍ଠାରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଭ୍ରମାତ୍ମକ ଓ ଅପମାନ ସୂଚକ ତଥ୍ୟ ଉପସ୍ଥାପନ କରାଯାଇଛି । ଯାହା ଫଳରେ ଶିଶୁ ମାନଙ୍କ ମାନସିକ ସ୍ତରରେ ଖରାପ ଚିତ୍ର ଉପସ୍ଥାପନ କରାଯାଇଛି ।

୨୦୦୮ ମସିହାରୁ ପଞ୍ଚମ ଶ୍ରେଣୀ ଏନସିଇଆରଟିର ଏହି ପୁସ୍ତକର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ପରେ ୧୦ଟି ସଂସ୍କରଣ ପ୍ରକାଶ ପାଇଛି । ଏନସିଇଆରଟି ପକ୍ଷରୁ ନବମ ଶ୍ରେଣୀର ଅର୍ଥନୀତି ପାଠ୍ୟକ୍ରମରେ ତୃତୀୟ ଅଧ୍ୟାୟର ୩୪ ପୃଷ୍ଠାରେ ମଧ୍ୟ କଳାହାଣ୍ଡି ବିଷୟରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଇଛି । ଏହି ପାଠ୍ୟ ପୁସ୍ତକ ମାର୍ଚ୍ଚ ୨୦୦୬ ମସିହାରେ ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା । ଏପର୍ଯ୍ୟନ୍ତ ୧୪ଟି ସଂସ୍କରଣ ପ୍ରକାଶ ପାଇଛି । ଗତକାଲି ରାଜ୍ୟସଭା ସାଂସଦ ସୁଜିତ କୁମାର ନୂଆଦିଲ୍ଲୀ ସ୍ଥିତ ଏନସିଇଆରଟି କାର୍ଯ୍ୟାଳୟରେ ଏନସିଇଆରଟି ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତିଙ୍କୁ ଭେଟିଥିଲେ । ଏନସିଇଆରଟି ବହିରେ କଳାହାଣ୍ଡି ବିଷୟରେ ଭ୍ରମାତ୍ମକ ତଥ୍ୟର ତୁରନ୍ତ ସଂଶୋଧନ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଆଲୋଚନା ପରେ ଏନସିଇଆରଟି ବହିରେ ଭୁଲ ତଥ୍ୟ ଥିବା ନେଇ ସ୍ୱୀକାର କରିଥିଲେ । ପରବର୍ତ୍ତୀ ସଂସ୍କରଣ ପ୍ରକାଶନ ବେଳେ ଏହାର ସଂଶୋଧନ କରାଯିବ ବୋଲି ଏନସିଇଆରଟି ନିର୍ଦେଶକ ହୃଷିକେଶ ସେନାପତି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ନୂତନ ଶିକ୍ଷାନୀତି ୨୦୨୦ ପାଠ୍ୟକ୍ରମରେ ଉନ୍ନତୀକରଣ ଓ ଇନଭେସନ ଉପରେ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲି ବୋଲି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର