ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ମାମଲାରେ କେନ୍ଦ୍ର ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି)ର ସମର୍ଥନ ରହିଥିବା ରାଜ୍ୟସଭାରେ ବିଜୁ ଜନତା ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ ବିବୃତି ରଖିଥିଲେ। ଏହି ଆଲୋଚନାରେ ଭାଗନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ପ୍ରତିରକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ବିଜେଡି ରହିଛି। ଏଥିସହିତ, ଆହୁରି ମଧ୍ୟ କହିଥିଲେ ଯେ ଚୀନ୍ର ଦୃଷ୍ଟିକୋଣରେ ବିସଙ୍ଗତି ରହିଛି। ତେଣୁ, ଏହି ଦେଶ ସହିତ ଯେ କୌଣସି ଆଲୋଚନା ଓ ବୁଝାମଣା କରିବା ପୂର୍ବରୁ କେନ୍ଦ୍ର ସରକାର ସତର୍କତାମୂଳକ ନୀତି ଅବଲମ୍ବନ କରିବା ଉଚିତ।
ବେଆଇନ ଖଣି ଖନନର ପରିଭାଷା ବଦଳାଇବାର ପ୍ରସ୍ତାବ ନାହିଁ
ଏମ୍ଏମ୍ଡିଆର୍ ଆଇନ ୧୯୫୭ ଅନ୍ତର୍ଗତ ବେଆଇନ ଖଣି ଖନନର ପରିଭାଷା (ଡେଫିନେଶନ୍) ବଦଳାଇବାର କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ। ଅପରପକ୍ଷେ ଖଣିଜ କ୍ଷେତ୍ରରେ ଘରୋଇ ନିବେଶକୁ ବୃଦ୍ଧି କରିବାକୁ ନେଇ ଅନ୍ୟ ପ୍ରସଙ୍ଗ ସମେତ ଏମ୍ଏମ୍ଡିଆର୍ ଆଇନ ୧୯୫୭ରେ ବୈଧାନିକ ସଂଶୋଧନରର ପ୍ରସ୍ତାବ ରହିଛି। ବେଆଇନ ଖଣିଖନନ ଅଭିଯୋଗ ସଂବନ୍ଧିତ ସାଂସଦ ପିନାକୀ ମିଶ୍ରଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଗତ ତିନି ବର୍ଷରେ ଓଡିଶା ସମେତ ୮ଟି ରାଜ୍ୟରେ ଆଇବିଏମ୍ର ତଥ୍ୟ ଅନୁସାରେ ମୋଟ ୯ଟି ବେଆଇନ ଖଣି ଖନନର ଅଭିଯୋଗ ଥିବାର ସୂଚିତ କରିଛନ୍ତି। ଓଡିଶା ସମେତ ୨୩ଟି ରାଜ୍ୟ ବେଆଇନ ଖଣି ଖନନ ଜରିମାନା ବାବାଦରେ ସର୍ବମୋଟ ୪୦୨୮୨୩.୬୮୪ ଲକ୍ଷ ଟଙ୍କା ଆଦାୟ କରିଛନ୍ତି। ଓଡିଶା ସରକାରଙ୍କ ଦ୍ବାରା ଗତ ତିନି ବର୍ଷରେ ବେଆଇ ଖଣି ଖନନ ଜରିମାନା ବାବଦରେ ୭୭୧.୦୫୫ ଲକ୍ଷଟଙ୍କା ଆଦାୟ କରିଥିବାର କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।
ଓଡ଼ିଶାରେ ୧୩ଟି ସୂତାକଳ ବନ୍ଦ
ଓଡିଶାରେ ୧୩ଟି ସୂତାକଳ ବନ୍ଦ ରହିଛି ଏବଂ ୩ଟି ସୂତାକଳ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଣତାରକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ଇରାନି ଆଜି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡିଶା ସମେତ ଦେଶର ୨୭ଟି ରାଜ୍ୟରେ ୧୩୬୬ଟି ସୂତାକଳ କାର୍ଯ୍ୟକ୍ଷମ ଥିବାବେଳେ ୬୪୩ଟି ବନ୍ଦ ହୋଇଛି। ତାମିଲନାଡୁରେ ସର୍ବାଧିକ ସୂତାକଳ କାର୍ଯ୍ୟକ୍ଷମ ଥିବାବେଳେ ୨୪୦ଟି ବନ୍ଦ ରହିଛି। ବନ୍ଦ ହୋଇଥିବା ସୂତାକଳ ମାନଙ୍କରେ କେତେ ସଂଖ୍ୟକ କୁଶଳ ଓ ଅକୁଶଳ କାରୀଗରଙ୍କର ଛଟେଇ ହୋଇଛି ତଥା ସେମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେଉଁ ସବୁ ପଦକ୍ଷେପ ନେଉଛନ୍ତି ସେ ସଂପର୍କରେ କେନ୍ଦ୍ରଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟରୁ ସୂଚନା ଏକତ୍ରିତ କରାଯାଉଥିବାର କେନ୍ଦ୍ର ମନ୍ତ୍ରୀ ଇରାନୀ ଲିଖିତ ଉତ୍ତରରେ କହିଥିଲେ।
ଆତଙ୍କବାଦୀ ଗତିବିଧି ଉପରେ ଅନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢ଼ିଛି
ଭାରତ ସରକାରଙ୍କ ଦୃଢ଼ ପ୍ରୟାସର ପରିଣାମ ସ୍ୱରୂପ ପାକିସ୍ତାନରୁ ଉପୁଜୁଥିବା ଆତଙ୍କବାଦକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢିଛି। ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଓ ବ୍ୟକ୍ତି-ଜମାତ୍-ଇଦ୍-ଦାୱା, ଲକ୍ସର-ଏ-ତୋଏବା, ଜୈସେ-ଏ-ମହମଦ, ହିଜ୍ବୁଲ ମୁଜାହିଦ୍ଦିନ ସାମିଲ ରହିଛି। ପାକିସ୍ତାନକୁ ତାହାର ଭୂଖଣ୍ଡରେ କୌଣସି ପ୍ରକାର ଆଦଙ୍କବାଦୀ ଗତିବିଧି ପାଇଁ ଉପଯୋଗ କରିବାର ଅନୁମତି ନଦେବାକୁ ବଡ ଭାଗୀଦାର ଦେଶଗୁଡ଼ିକ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଛନ୍ତି। ପାକିସ୍ତାନ ପ୍ରତି ଭାରତର ବିଦେଶ ନୀତିକୁ ନେଇ ବିଜେଡିର ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ରଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୂରଲୀଧରନ୍ ଏହି ସୂଚନା ଦେଇଛନ୍ତି।
କୋଇଲା ଦୁର୍ଘଟଣାରେ ମୃତ ୨୫ ଜଣଙ୍କୁ କ୍ଷତିପୂରଣ
୨୦୧୭ରରୁ ୨୦୨୦ ମସିହା ୩ ବର୍ଷ ମଧ୍ୟରେ ଓଡିଶାର ବିଭିନ୍ନ କୋଇଲା ଖଣିମାନଙ୍କରେ ମୋଟ ୩୩ଟି ଦୁର୍ଘଟଣା ଘଟିଥିଲା। ଏଥିମଧ୍ୟରୁ ୨୩ଟି ଘାତକ ଦୁର୍ଘଟଣା ଏବଂ ୧୦ଟି ଗମ୍ଭୀର ଦୁର୍ଘଟଣା ରହିଛି। ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣଙ୍କୂ କ୍ଷତିପୂରଣ ପ୍ରଦାନ କରାାଯାଇଛି। ଆଜି ଲୋକସଭାରେ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲାଦ ଯୋଶୀ ଏହା କହିଛନ୍ତି।
ଭର୍ଚୁଆଲ ଅଦାଲତ ବାବଦରେ ଓଡ଼ିଶାକୁ ମିଳିବ ୧୦୯.୪ ଲକ୍ଷ ଟଙ୍କା
ଓଡିଶାର ଅଦାଲତ ମାନଙ୍କରେ ୬୮୮ଟି କୋଟ ରୁମ୍ କାର୍ଯ୍ୟ କରୁଛି। ଏ ସବୁ କୋର୍ଟ ରୁମ୍ ଗୁଡିକରେ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ପାଇଁ ୧୪୧ଟି ଉପକରଣ ଉପଲବ୍ଧ ହେଉଥିବା ବେଳେ ଆଉ ୫୪୭ଟି ଅତିରିକ୍ତ ଉପକରଣ ଯୋଗାଇଦିଆଯିବ। ଏଇଥିପାଇଁ ୧୦୯.୪ ଲକ୍ଷ ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। କେବଳ ଓଡିଶା ନୁହେଁ ଓଡିଶା ସମେତ ଦେଶର ୨୫ଟି ରାଜ୍ୟରେ ଭର୍ଚ୍ଚୁଆଲ କୋର୍ଟ ଶୁଣାଣି ପାଇଁ ୧୪୪୪୩ ଅତିରିକ୍ତ ଉପକରଣ ପାଇଁ ୨୮୮୮.୬ ଲକ୍ଷ ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟ ସଭାରେ ଲିଖିତ ଉତ୍ତରର କହିଛନ୍ତି।
କୃଷି ସମ୍ବନ୍ଧିତ ବିଲ୍କୁ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ: ବିଜେଡି
ଆଜି ଲୋକସଭାରେ ଦୁଇଟି କୃଷକ ସମ୍ବନ୍ଧିତ ବିଲ୍କୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ଦୁଇଟି ବିଲ୍ର ଆଲୋଚନାରେ ଭାଗ ନେଇଥିଲେ ବିଜେଡିର ସାଂସଦ ଅନୁଭବ ମହାନ୍ତି।
ସାଂସଦ ଶ୍ରୀ ମହାନ୍ତି କହିଥିଲେ ଯେ, ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଦୁଇଟି ବିଲ୍ରେ କୌଣସି ସ୍ପଷ୍ଟତା ନାହିଁ। ଏହାକୁ ଷ୍ଟାଣ୍ଡିଂ କମିଟି ଦ୍ୱାରା ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଉଚିତ। ବିଲ୍ରେ ବଡ଼ ଚାଷୀମାନଙ୍କ ପାଇଁ ଉପଯୁକ୍ତ ପୁଞ୍ଜି ଓ ଇଣ୍ଟରନେଟ୍ର ବ୍ୟବସ୍ଥା ଥିବାବେଳେ ଛୋଟ ଚାଷୀମାନଙ୍କୁ ଅଣଦେଖା କରାଯାଇଛି । ବିଲ୍ ଦୁଇଟିରେ ଏଏମ୍ପିସି (ସର୍ବନିମ୍ନ ସହାୟକ ମୂଲ୍ୟ)କୁ ଉଚ୍ଛେଦ ନକରିବାର ବ୍ୟବସ୍ଥା ପରୋକ୍ଷରେ ପ୍ରଭାବ ପକାଇବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ।