ଜିଲ୍ଲା ପରିଷଦ ସଦସ୍ୟାରୁ ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

କଳାହାଣ୍ଡିର ଷଷ୍ଠ ରାଜ୍ୟସଭା ସଦସ୍ୟ ହେବେ ସୁଜିତ

ରାଇରଙ୍ଗପୁର/ବାରିପଦା : ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣି ମୟୂରଭଞ୍ଜର ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ବିଜେଡି ଏଠାରୁ କାହାକୁ ରାଜ୍ୟସଭା ପଠାଇବ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା। ଶେଷରେ କୁଡୁମୀ ସମ୍ପ୍ରଦାୟ ତଥା ଓବିସି ବର୍ଗର ମହିଳା ମମତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲଗାଇଛନ୍ତି ନବୀନ।

୨୦୧୧ରେ ରାଜନୀତିରେ ପାଦ ଥାପିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା। ବି‌ଶେଷ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସହିତ ତାଙ୍କର ସଂପୃକ୍ତି ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ ବିଜେପିକୁ ଚେକ୍‌ ଦେବା ଲାଗି ବିଜେଡିର ଏହା ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି।

ପ୍ରକାଶଥାଉକି, ମମତାଙ୍କ ସ୍ବାମୀ ବିଜୟ କୁମାର ମହାନ୍ତ ପୁଲିସ କନେଷ୍ଟବଳ ଅଛନ୍ତି। ତାଙ୍କ ଶ୍ବଶୁର ଘର ବିଶୋଇ ବ୍ଲକ ନଙ୍ଗଳବେଣ୍ଟା ପୋଖରିଆ ଗାଁରେ। ତାଙ୍କର ଏକମାତ୍ର ପୁଅ ରହିଛନ୍ତି।

କଳାହାଣ୍ଡିର ଷଷ୍ଠ ରାଜ୍ୟସଭା ସଦସ୍ୟ ହେବେ ସୁଜିତ
ଭବାନୀପାଟଣା : ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି କଳାହାଣ୍ଡି ଜିଲ୍ଲା। ରାଜ୍ୟ ବିରୋଧୀ ଦଳ ନେତା ଓ କଳାହାଣ୍ଡି ସାଂସଦ ବିଜେପି ଦଳର ହୋଇଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବିଜେପିର ସାଙ୍ଗଠନିକ ସ୍ଥିତିକୁ ମୁକାବିଲା କରିବା ସହିତ ଚେକ୍‌ମେଟ ଦେବା ପାଇଁ ଜିଲ୍ଲାକୁ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲାର ଷଷ୍ଠ ରାଜ୍ୟସଭା ସଦସ୍ୟ ଭାବରେ ସୁଜିତ କୁମାର ନିର୍ବାଚିତ ହେବେ ବୋଲି ଜଣାଯାଇଛି। ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଜିଲ୍ଲାକୁ ରାଜ୍ୟସଭା ପଦବି ମିଳିଥିବା ନେଇ ବିଜେଡି ଶିବିରରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଳାହାଣ୍ଡି ଜିଲ୍ଲାରୁ ପ୍ରଥମ ଥର ପାଇଁ ୧୯୭୬ ମସିହାରୁ ୧୯୭୦ ମସିହା ପର୍ଯ୍ୟନ୍ତ ବୀର କେଶରୀ ଦେଓ, ପୁନର୍ବାର ୧୯୭୦ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ବୀରକେଶରୀ ଦେଓ ରାଜ୍ୟସଭା ସଦସ୍ୟ ଥିଲେ। ୧୯୭୮ ମସିହାରୁ ୧୯୮୪ ମସିହା ପର୍ଯ୍ୟନ୍ତ ପୂର୍ବ ବିଧାୟକ ଧନେଶ୍ବର ମାଝୀ ରାଜ୍ୟସଭା ସଦସ୍ୟ ଥିଲେ। ମନମୋହନ ମାଥୁର ୧୯୮୮ ମସିହାରୁ ୧୯୯୪ ମସିହା ପର୍ଯ୍ୟନ୍ତ, ବସନ୍ତ କୁମାର ଦାସ ୧୯୯୦ ମସିହାରୁ ୧୯୯୬ ମସିହା ଓ ଭୂପିନ୍ଦର ସିଂ ୨୦୧୨ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର