ରାଉରକେଲା: ରାଉରକେଲାରେ ନୂଆ ରେଳ ଡିଭିଜନ ଦାବି ଦୃଢ଼ିଭୂତ ହେବାରେ ଲାଗିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ ଏନେଇ ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିସାରିଛନ୍ତି। ଏବେ ଏଥିରେ ସାମିଲ ହୋଇଯାଇଛନ୍ତି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ। ଡ. ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ରେଳ ଡିଭିଜନର ସମସ୍ତ ମାନଦଣ୍ଡ ପୂରଣ କରିଥିବାରୁ ତୁରନ୍ତ ଦାବି ପୂରଣ କରିବାକୁ ନିବେଦନ କରିଛନ୍ତି।
ଚିଠିରେ ଡ. ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ରାଉରକେଲାରେ ନୂତନ ରେଳ ଡିଭିଜନ ସ୍ଥାପନ କରି ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ସୁନ୍ଦରଗଡ଼-ଝାରସୁଗୁଡ଼ା-କେନ୍ଦୁଝର ଅଞ୍ଚଳକୁ ମିଶାଇ ନୂତନ ରେଳ ଡିଭିଜନ ସ୍ଥାପନ କରାଯାଇପାରିବ। ଚକ୍ରଧରପୁର ରେଳ ଡିଭିଜନ ତଥା ଦକ୍ଷିଣ ପୂର୍ବ ରେଳବାଇ ଆଦାୟ କରୁଥିବା ରାଜସ୍ବ ସିଂହଭାଗ ଏହି ଅଞ୍ଚଳରୁ ଆଦାୟ ହେଉଛି। ଏମିତିକି କେବଳ ସୁନ୍ଦରଗଡ଼ ଜିଲ୍ଲା ହିଁ ବାର୍ଷିକ ୭ ହଜାର କୋଟି ଟଙ୍କା ରାଜସ୍ବ ଦେଉଛି; ଯାହାକି ଚକ୍ରଧରପୁର ଡିଭିଜନର ମୋଟ୍ ରାଜସ୍ବର ୪୦ ପ୍ରତିଶତ।
ଏହାବାଦ୍ ଏହି ଅଞ୍ଚଳରେ ରାଉରକେଲା ଇସ୍ପାତ କାରଖାନା, ଟାଟା ରିଫ୍ରାକ୍ଟୋରିଜ୍(ବେଲପାହାଡ଼), ଆଧୁନିକ ମେଟାଲିକ୍ସ(କୁଆରମୁଣ୍ଡା), ଏଲ୍ ଆଣ୍ଡ୍ ଟି (କାଂଶବାହାଲ), ଭୂଷଣ ଷ୍ଟିଲ୍ ପ୍ଲାଣ୍ଟ୍(ଝାରସୁଗୁଡ଼ା), ବେଦାନ୍ତ(ଝାରସୁଗୁଡ଼ା), ଜିଓସିଏଲ୍(ରାଉରକେଲା) ଆଦି ଏକାଧିକ ଶିଳ୍ପ କାରଖାନା ରହିଛି। ଏଠାରୁ ପରିବହନ ବାବଦକୁ ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହେଉଛି। ତଥାପି ଚକ୍ରଧରପୁର ଡିଭିଜନ ପକ୍ଷରୁ କ୍ରମାଗତଭାବେ ଅଣଦେଖା କରାଯାଉଛି। ଏଠାରେ ନୂତନ ରେଳ ଲାଇନ୍ ପ୍ରକଳ୍ପ ନାହିଁ କିମ୍ବା ଅନ୍ୟ କୌଣସି ପ୍ରକଳ୍ପ ପ୍ରତିଷ୍ଠା କରାଯାଇନି। ଏମିତିକି ସ୍ବାସ୍ଥ୍ୟସେବା, ଶିକ୍ଷା ଆଦି ମୌଳିକ ସେବାର ବିକାଶ ପାଇଁ ସାମାନ୍ୟତମ ପ୍ରୟାସ ବି କରାଯାଉନି। ଡିଭିଜନ ସ୍ଥାପନ ପାଇଁ ବନ୍ଧମୁଣ୍ଡାରେ ପର୍ଯ୍ୟାପ୍ତ ଭିତ୍ତିଭୂମି, ସୁବିଧାସୁଯୋଗ ମହଜୁଦ ରହିଛି। ଏସବୁକୁ ବିଚାରକୁ ନେଇ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଓ ରେଳ ବିଭାଗର ଉନ୍ନତି ପାଇଁ ଯଥାଶୀଘ୍ର ରେଳ ଡିଭିଜନ ସ୍ଥାପନ କରିବାକୁ ସାଂସଦ ଡ. ପଟ୍ଟନାୟକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/amar-aswini.jpg)