ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ରାକା ଆହତ

ଗୁଳି ମାଡ଼ କରି ବ୍ୟବସାୟୀଙ୍କୁ ଲୁଟି ଫେରାର ଥିଲା, ବିଭିନ୍ନ ଅଞ୍ଚଳରେ ରହିଛି ୧୦ରୁ ଅଧିକ ସଂଗିନ ମାମଲା

କନ୍ଦରପୁର : କଟକ, ଜଗତସିଂହପୁର ଅଞ୍ଚଳରେ ଲୁଟପାଟ୍‌ ତଥା ବିଭିନ୍ନ ସଂଗିନ ଅପରାଧରେ ସଂପୃକ୍ତ ଥିବା ଦୁର୍ଦ୍ଦାନ୍ତ ରାକା ଓରଫ ରାକେଶ ଦାସ ପୁଲିସ ସହ ଏନକାଉଣ୍ଟରରେ ଆହତ ହୋଇଛି। ଜଗତସିଂହପୁର ଅଞ୍ଚଳର ରାକା ଶନିବାର ସକାଳେ କନ୍ଦରପୁର ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସର ପାଲଟା ଗୁଳିରେ ଆହତ ହୋଇଛି।

ସୂଚନା ଅନୁଯାୟୀ ରାକା ଏକ ଆପାଚି ବାଇକ୍‌ରେ ପରମହଂସ-ଅଥଙ୍ଗା ନଦୀ ବନ୍ଧ ରାସ୍ତାରେ କଟକରୁ ଜଗତସିଂହପୁର ଯାଉଥିବା ସଂପର୍କରେ କନ୍ଦରପୁର ପୁଲିସ ସୂଚନା ପାଇଥିଲା। କନ୍ଦରପୁର ଥାନା ଆଇଆଇସି ବିପିନବହାରୀ ହୋତା, ଏସଆଇ ରାଧାକାନ୍ତ ସେଠୀ ତାକୁ ୪୨ ମୌଜା କାଠଯୋଡ଼ି ପୋଲ ନିକଟରେ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ରାକା ଫେରାର ହେବା ପାଇଁ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ଆଇଆଇସି ଶ୍ରୀ ହୋତା ସର୍ଭିସ ରିଭଲଭରରୁ ପାଲଟା ୨ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଗୁଳି ଦୁଇଟି ରାକାର ଡାହାଣ ଗୋଡରେ ବାଜିଥିଲା। ସେ ତଳେ ପଡି ଯିବାରୁ ପୁଲିସ ତାକୁ କାବୁ କରିନେଇଥିଲା। ପିସିଆର ଭ୍ୟାନରେ ଆହତ ରାକାକୁ ନେଇ ପୁଲିସ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତା ନିକଟରୁ ପୁଲିସ ଏକ ୯ ଏମ ଏମ ଦେଶୀ ବନ୍ଧୁକ, ତିନି ରାଉଣ୍ଡ ଗୁଳି ଓ ବାଇକ ଜବତ କରିଛି। କିନ୍ତୁ ତାକୁ କାବୁ କରିବା ସମୟରେ ବି ସେ ଧସ୍ତାଧସ୍ତି କରିବା ଯୋଗୁଁ  ଆଇଆଇସି ଶ୍ରୀ ହୋତା ଓ ଏସଆଇ ଶ୍ରୀ ସେଠୀ ଆହତ ହୋଇଛନ୍ତି। ଉଭୟଙ୍କ ଶରୀରରେ କ୍ଷତ ହୋଇଥିବା ଜଣାପଡିଛି।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଗଲା ଅକ୍ଟୋବର ୯ ତାରିଖ ଦିନ ପ୍ରାୟ ୧୨ଟା ବେଳେ ରାକା ଓ ତାର ଅନ୍ୟ ଜଣେ ସହଯୋଗୀ କନ୍ଦରପୁର ଜଗତସିଂହପୁର ରାସ୍ତା (୫୫ ନମ୍ବର ଜାତୀୟ ରାଜପଥ) ର ଅଥଙ୍ଗା ହନୁମାନ ମନ୍ଦିର ନିକଟରେ ଜଗତସିଂହପୁର କେନ୍ଦାଳ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି  ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏ ସଂପର୍କରେ ଏକ ମାମଲା ରୁଜୁ କରି କନ୍ଦରପୁର ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। କ୍ଷୀରୋଦଙ୍କ ପିକ୍ ଅପ୍ ଭ୍ୟାନ୍ ଡ୍ରାଇଭର ମନୋରଞ୍ଜନ ସେଠୀଙ୍କୁ ଜେରା କରିବା ସହ ବିଭିନ୍ନ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ରାକା ଚିହ୍ନଟ ହେବା ପରେ ତାର ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ରାକା ନାମରେ କନ୍ଦରପୁର, ଜଗତପୁର, ଜଗତସିଂହପୁର, ବାଲିକୁଦା, ତିର୍ତ୍ତୋଲ ଓ ଏରସମା ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ଜଣା ପଡିଛି। ରାକା ନିକଟରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଏହି ଲୁଟ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଧରିବା ପାଇଁ  ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର